ଆପ୍ ପ୍ରାର୍ଥୀ ଶେଲୀ ଓବରୟ ପୁଣି ଦିଲ୍ଲୀ ମେୟର ଭାବେ ନିର୍ବାଚିତ | News Room Odisha

ଆପ୍ ପ୍ରାର୍ଥୀ ଶେଲୀ ଓବରୟ ପୁଣି ଦିଲ୍ଲୀ ମେୟର ଭାବେ ନିର୍ବାଚିତ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର (ଆପ୍) ଶେଲି ଓବରୟ ପୁଣି ଦିଲ୍ଲୀ ମହାନଗର ନିଗମ (ଏମସିଡି)ର ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ବୁଧବାର ଅନୁଷ୍ଠିତ ମେୟର ନିର୍ବାଚନରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ଶିଖା ରୟ ଓହରିଯିବାରୁ ଶେଲି ଓବରୟ ନିର୍ଦ୍ବନ୍ଦ୍ବରେ ଦିଲ୍ଲୀ ମେୟର ଭାବେ ନିର୍ବାଚିତ ହୋଇଥିଲେ । ଏଥିସହ ଓବରୟଙ୍କୁ ଦିଲ୍ଲୀର ମେୟର ଭାବରେ ଆଉ ଏକ ବର୍ଷର କାର୍ଯ୍ୟକାଳ ମିଳିଛି ।

ତାଙ୍କ ନାମାଙ୍କନ ପ୍ରତ୍ୟାହାର କରି ନେଇଥିବା ବିଜେପି ପ୍ରାର୍ଥୀ ରାୟ କହିଛନ୍ତି ଯେ ସ୍ଥାୟୀ କମିଟି ନିର୍ବାଚିତ ହୋଇ ନ ଥିବାରୁ ସେ ଏହି ନିଷ୍ପତ୍ତି ନେଇଥିଲେ ।

ଆପର ହିଁ ଆଲେ ମହମ୍ମଦ ଇକବାଲ ଡେପୁଟି ମେୟର ଭାବେ ପୁନଃ ନିର୍ବାଚିତ ହୋଇଥିଲେ । ବିଜେପି ପ୍ରାର୍ଥୀ ସୋନି ପାଲ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିଥିବାରୁ ଏହି ଇକବାଲ ମଧ୍ୟ ନିର୍ବିରୋଧରେ ନିର୍ବାଚିତ ହୋଇଥିଲେ।

ଦିଲ୍ଲୀରେ ଏମସିଡି ମେୟର ନିର୍ବାଚନରେ ଓବରୋଇ ଓ ରାୟଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ମନେ କରାଯାଉଥିଲା। ଦିଲ୍ଲୀ ମହାନଗର ନିଗମ (ଏମସିଡି) ର କମାଣ ବର୍ତ୍ତମାନ ଆପ୍ ହାତରେ ଅଛି |

ମନୋନୀତ ସଦସ୍ୟମାନଙ୍କୁ ଭୋଟ୍ ଦେବା ଅଧିକାର ପ୍ରସଙ୍ଗରେ ବିବାଦ ଯୋଗୁଁ ମେୟର ନିର୍ବାଚନ ଆୟୋଜନ କରିବାର ପୂର୍ବ ତିନିଟି ପ୍ରୟାସ ବିଫଳ ହେବା ପରେ ଫେବୃଆରୀ ୨୨ରେ ଚତୁର୍ଥ ପ୍ରୟାସରେ ଓବରୟ ମେୟର ଭାବେ ନିର୍ବାଚିତ ହୋଇଥିଲେ। ମେୟର ପଦ ପାଇଁ ନିର୍ବାଚନରେ ବିଜେପିର ରେଖା ଗୁପ୍ତାଙ୍କୁ ୩୪ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ଓବରୟ। ନିର୍ବାଚନରେ ମୋଟ ୨୬୬ ଭୋଟ୍ ମଧ୍ୟରୁ ଓବରୟ ୧୫୦ ଭୋଟ୍ ପାଇଥିବା ବେଳେ ଗୁପ୍ତାଙ୍କୁ ମିଳିଥିଲା ୧୧୬ ଭୋଟ୍ ।

ପ୍ରତି ଆର୍ଥିକ ବର୍ଷ ଶେଷରେ ଏମସିଡି ମେୟର ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୁଏ । ପାଞ୍ଚ ବର୍ଷର କାର୍ଯ୍ୟକାଳ ମଧ୍ୟରୁ ପ୍ରଥମ ବର୍ଷ ମହିଳାମାନଙ୍କ ପାଇଁ, ଦ୍ୱିତୀୟ ବର୍ଷ ସାଧାରଣ ବର୍ଗ, ତୃତୀୟ ବର୍ଷ ସଂରକ୍ଷିତ ବର୍ଗ ଏବଂ ଅବଶିଷ୍ଟ ଦୁଇ ବର୍ଷ ସାଧାରଣ ବର୍ଗ ପାଇଁ ମେୟର ପଦ ସଂରକ୍ଷିତ ରହିଥାଏ ।