'ବିଜେପି ଚନ୍ଦ୍ରଯାନ-୩ରେ ପ୍ରଚାର କଲେ ବି...' ମମତାଙ୍କ ପରେ ହେଲିକପ୍ଟର ବୁକିଂ ନେଇ ବିଜେପିକୁ ଶିବସେନାର ଟାର୍ଗେଟ୍ | News Room Odisha

‘ବିଜେପି ଚନ୍ଦ୍ରଯାନ-୩ରେ ପ୍ରଚାର କଲେ ବି…’ ମମତାଙ୍କ ପରେ ହେଲିକପ୍ଟର ବୁକିଂ ନେଇ ବିଜେପିକୁ ଶିବସେନାର ଟାର୍ଗେଟ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିକଟରେ କହିଥିଲେ ଯେ ଡିସେମ୍ବର ମାସରେ ଲୋକସଭା ନିର୍ବାଚନ ହୋଇପାରେ। ଏଥିପାଇଁ ବିଜେପି ପ୍ରାଇଭେଟ୍ ଜେଟ୍ ଓ ହେଲିକପ୍ଟର ବୁକିଂ ଆରମ୍ଭ କରିସାରିଛି । ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତି ନେଇ ଏବେ ବିଜେପିକୁ ଟାର୍ଗେଟ କରିଛି ଶିବସେନା । ଦଳର ମୁଖପତ୍ର ‘ସାମନା’ରେ କୁହାଯାଇଛି, ବିଜେପି ଏଥର ଚନ୍ଦ୍ରଯାନ-୩ରେ ପ୍ରଚାର କଲେ ମଧ୍ୟ ଜିତିପାରିବ ନାହିଁ।

‘ସାମନା’ ଲେଖିଛି, ଡିସେମ୍ବରରେ ଲୋକସଭା ନିର୍ବାଚନ ହେବା ସମ୍ଭାବନା ରହିଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଭଳି ଦାବି କରିଛନ୍ତି। ନଭେମ୍ବର-ଡିସେମ୍ବରରେ ନିର୍ବାଚନ ପ୍ରଚାର ପାଇଁ ଦେଶର ସବୁ ହେଲିକପ୍ଟର ବୁକିଂ ଆରମ୍ଭ ହୋଇଛି। ଆମେ କହୁଛୁ, ସେମାନେ ଯାହା ଚାହାଁନ୍ତି ତାହା କରନ୍ତୁ । ସେମାନେ ଚନ୍ଦ୍ରଯାନ-୩ରେ ପ୍ରଚାର କରନ୍ତୁ ନା କାହିଁକି, ସେମାନଙ୍କ ଏକଛତ୍ରବାଦୀ ଶାସନର ପରାଜୟ ନିଶ୍ଚିତ | ବିଜେପି ରାଶିଫଳରେ କ୍ଷମତା ଯୋଗ ଶେଷ ହୋଇ ଆସିଲାଣି ।

ପ୍ରାଇଭେଟ୍ ଛୋଟ ବିମାନ, ହେଲିକପ୍ଟର ବୁକିଂ କରି ବିଜେପି ବିରୋଧୀଙ୍କୁ ଅସୁବିଧାରେ ପକାଇବାକୁ ଚାହୁଁଛି । ବିଜେପି ଚାହୁଁଛି ଯେ ବିରୋଧୀଙ୍କୁ ନିର୍ବାଚନ ପ୍ରଚାର ପାଇଁ କୌଣସି ଦ୍ରୁତଗାମୀ ଯାନ ନ ମିଳୁ । କ୍ଷମତାର ଏଭଳି ଅପବ୍ୟବହାର ଆପତ୍ତିଜନକ ବୋଲି ‘ସାମନା’ ସମ୍ପାଦକୀୟରେ କୁହାଯାଇଛି ‌।

ବିଜେପି ଏବଂ ଏହାର ସମର୍ଥକଙ୍କ ଅମାପ ସମ୍ପତ୍ତି ରହିଛି ବୋଲି ଦାବି କରିଛି ‘ସାମନା’ । ଏହି ସମ୍ପତ୍ତି ସବୁ ଦୁର୍ନୀତିରୁ ଅର୍ଜନ ହୋଇଛି । ଚନ୍ଦ୍ରଯାନ-୩ ଅଭିଯାନର ମୋଟ ଖର୍ଚ୍ଚ ୬୫୦ କୋଟି ଟଙ୍କା ହୋଇଥିବାବେଳେ ଦିଲ୍ଲୀର ଦ୍ୱାରକା ଏକ୍ସପ୍ରେସୱେର ମାତ୍ର ତିନି କିଲୋମିଟର ରାସ୍ତାର ମୂଲ୍ୟ ୭୫୦ କୋଟିରୁ ଅଧିକ ବୋଲି ଜଣାପଡିଛି। ଏଭଳି ସ୍ଥିତିରେ ଯଦି ଦଳ ନିର୍ବାଚନ ପ୍ରଚାର ପାଇଁ ଦେଶର ସବୁ ପ୍ରାଇଭେଟ୍ ବିମାନ, ହେଲିକପ୍ଟର ବୁକ୍ କରେ, ତେବେ ଏହା କାହିଁକି ଆଶ୍ଚର୍ଯ୍ୟଜନକ ହେବ ?