କୋହଲି ଘର ଅଗଣାରେ ଖେଳି ୭୦ଟି ଶତକ ହାସଲ କରିନାହାଁନ୍ତି: ଅଖତର | News Room Odisha

କୋହଲି ଘର ଅଗଣାରେ ଖେଳି ୭୦ଟି ଶତକ ହାସଲ କରିନାହାଁନ୍ତି: ଅଖତର

ଲାହୋର: ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ‌‌‌ ପରେ ପୂର୍ବତନ ପାକ୍ ପେସର ଶୋଏବ ଅଖତର ମଧ୍ୟ ସଂଘର୍ଷ କରୁଥିବା ଭାରତୀୟ ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ସମର୍ଥନ କରିଛନ୍ତି । କୋହଲିଙ୍କ ସମାଲୋଚକଙ୍କ ଉପରେ ବର୍ଷିଛନ୍ତି ଅଖତର । ଅଖତର କହିଛନ୍ତି ଯେ ଭାରତର ଏହି ପୂର୍ବତନ ଅଧିନାୟକ ୭୦ଟି ଅନ୍ତର୍ଜାତୀୟ ଶତକ କୋଉ ଘର ଅଗଣାରେ କିମ୍ବା “କ୍ୟାଣ୍ଡି କ୍ରସ୍ ଭିଡିଓ ଗେମ୍” ଖେଳି ହାସଲ କରିନାହାଁନ୍ତି ।

କୋହଲି ଗତ ତିନି ବର୍ଷ ଧରି ଅନ୍ତର୍ଜାତୀୟ ସ୍ତରରେ ଏକ ଶତକ କରିପାରି‌ ନାହାଁନ୍ତି ଏବଂ ଦୀର୍ଘ ସମୟ ଧରି ଫର୍ମ ପାଇଁ ସଂଘର୍ଷ କରୁଛନ୍ତି | ତାଙ୍କୁ ବର୍ତ୍ତମାନ ଭାରତୀୟ ଦଳରୁ ବାଦ୍ ଦେବା ପାଇଁ ଦାବି ହେଉଛି । ପୂର୍ବତନ ବିଶ୍ୱକପ ବିଜେତା ଅଧିନାୟକ କପିଳ ଦେବ ମଧ୍ୟ ଭାରତୀୟ ଦଳରୁ କୋହଲିଙ୍କୁ ଡ୍ରପ୍ କରିଦେବା ଉଚିତ ବୋଲି କହିଛନ୍ତି ।

ଅଖତର ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି, କପିଳ ଦେବ ମୋର ସିନିୟର ଓ ତାଙ୍କ ମତକୁ ସେ ସମ୍ମାନ କରନ୍ତି। କିନ୍ତୁ ଖରାପ ଫର୍ମରେ ଥିବା କୋହଲିଙ୍କୁ ଜୁନିଅର କ୍ରିକେଟରଙ୍କ ସହ ତୁଳନା କରାଯାଇପାରିବ ନାହିଁ। ଅଖତର କହିଛନ୍ତି ଯେ ଦିନିକିଆରେ ୪୩ ଏବଂ ଟେଷ୍ଟରେ ୨୭ ଶତକ ପାଇଁ ବହୁ ପରିଶ୍ରମ କରିବାକୁ ପଡ଼ିଥାଏ |

ଜଣେ ପାକିସ୍ତାନୀ ଭାବରେ ମୁଁ କୋହଲିଙ୍କୁ କାହିଁକି ସମର୍ଥନ କରୁଛି? ଏହି ସମର୍ଥନ ଏଥିପାଇଁ ଯେ ତାଙ୍କ ନାମରେ ୭୦ଟି ଅନ୍ତର୍ଜାତୀୟ ଶତକ ରହିଛି | ସେ ମାଉସୀ ଘର ଅଗଣାରେ କିମ୍ବା କ୍ୟାଣ୍ଡି କ୍ରସ୍ ଖେଳି ୭୦ ଶତକ ମାରିନାହାଁନ୍ତି | ,

ଅଖତର କହିଛନ୍ତି ଯେ କୋହଲିଙ୍କୁ ଦଳରୁ ବାହାର କରିବା କଥା ଶୁଣି ଦୁଃଖ ମଧ୍ୟ ଲାଗୁଛି । “କୋହଲିଙ୍କୁ ଦଳରୁ ବାହାର କରିବା ବିଷୟରେ ଶୁଣି ମୋତେ ହସ ବି ମାଡ଼େ। ସେ ଗତ ୧୦ ବର୍ଷ ଧରି ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ରହିଛନ୍ତି।

ଅଖତର କୋହଲିଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ସେ ଗଲା ଦିନର ଅଧିନାୟକତ୍ବ କଥା ଭୁଲି ଖୋଲା ମନ ସହିତ ଖେଳିବା ଉଚିତ୍।

ସେ କହିଛନ୍ତି, “କୋହଲି ଭୁଲିଯିବା ଉଚିତ ଯେ ସେ ଦିନେ ଭାରତର ଅଧିନାୟକ ଥିଲେ। ସେ କେବଳ ତାଙ୍କ ବ୍ୟାଟିଂ ଉପରେ ଧ୍ୟାନ ଦେବା ଉଚିତ୍।”