ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଶ୍ରୀକାନ୍ତ ତ୍ୟାଗୀ ମେରଟରୁ ଗିରଫ | News Room Odisha

ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଶ୍ରୀକାନ୍ତ ତ୍ୟାଗୀ ମେରଟରୁ ଗିରଫ

ମେରଟ: ନୋଏଡାର ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଶ୍ରୀକାନ୍ତ ତ୍ୟାଗୀଙ୍କୁ ପୋଲିସ ମେରଟରୁ ଗିରଫ କରିଛି। ମେରଟରୁ ତ୍ୟାଗୀଙ୍କ ସମେତ ମୋଟ ୪ ଜଣଙ୍କୁ ଗିରଫ କରାଯାଇଛି। ଗ୍ରାଣ୍ଡ ଓମେକ୍ସ ସୋସାଇଟିର ଜଣେ ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ନେଇ ଶ୍ରୀକାନ୍ତ ତ୍ୟାଗୀ ବିରୋଧର ମାମଲା ରୁଜୁ ହୋଇଥିଲା। ଶନିବାର ଠାରୁ ସେ ଫେରାର ହୋଇଯାଇଥିଲେ ଏବଂ ଘଟଣାର ୩ ଦିନ ପରେ ୟୁପି ପୋଲିସ ତାଙ୍କୁ ଗିରଫ କରିଛି। ୟୁପି ପୋଲିସ ମଧ୍ୟ ତାଙ୍କ ଉପରେ ୨୫,୦୦୦ ଟଙ୍କା ପୁରସ୍କାର ଘୋଷଣା କରିଥିଲା ।

ତ୍ୟାଗୀ ନିଜକୁ ବିଜେପି ନେତା ବୋଲି ଦାବି କରିଆସୁଥିଲେ । କିନ୍ତୁ ତାଙ୍କ ସହ କୌଣସି ସମ୍ପର୍କକୁ ବିଜେପି ଅସ୍ବୀକାର କରିଛି ।

କିଛି ଦିନ ତଳେ ନୋଏଡାର ସେକ୍ଟର-୯୩ ସ୍ଥିତ ଗ୍ରାଣ୍ଡ ଓମେକ୍ସ ସୋସାଇଟିରେ ଗଛ ଲଗାଇବାକୁ କେନ୍ଦ୍ର କରି ଶ୍ରୀକାନ୍ତ ତ୍ୟାଗୀ ସର୍ବସମ୍ମୁଖରେ ଜଣେ ମହିଳାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ଶ୍ରୀକାନ୍ତ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା ।

ସୋମବାର ନୋଏଡା ପ୍ରଶାସନ ବୁଲଡୋଜର ଲଗାଇ ତ୍ୟାଗୀଙ୍କ ଫ୍ଲାଟରେ ଅବୈଧ ନିର୍ମାଣ ଭାଙ୍ଗିଥିଲା।