ପ୍ରଥମ ଶତକ ସହ ସଚିନଙ୍କ ୨୪ ବର୍ଷର ରେକର୍ଡ ଭାଙ୍ଗିଲେ ଶୁଭମାନ ଗିଲ୍ | News Room Odisha

ପ୍ରଥମ ଶତକ ସହ ସଚିନଙ୍କ ୨୪ ବର୍ଷର ରେକର୍ଡ ଭାଙ୍ଗିଲେ ଶୁଭମାନ ଗିଲ୍

ହରାରେ: ଜିମ୍ବାୱେ ବିପକ୍ଷ ତୃତୀୟ ଦିନିକିଆରେ ଶୁଭମାନ ଗିଲ ତାଙ୍କ ଦିନିକିଆ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି। ସେ ୯୭ ବଲରୁ ୧୩୦ ରନର ଚମତ୍କାର ଇନିଂସ୍ ଖେଳିଥିଲେ। ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ତୃତୀୟ ମ୍ୟାଚ୍ ହରାରେ ସ୍ପୋର୍ଟସ କ୍ଲବରେ ଖେଳାଯାଇଥିଲା | ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୨୮୯ ରନ୍ ସଂଗ୍ରହ କରିଥିଲା, ଯେଉଁଥିରେ ଗିଲଙ୍କ ଅବଦାନ ଅଧିକ ଥିଲା |

ଗିଲ୍ ତାଙ୍କ ଇନିଂସରେ ୯୭ ବଲର ସମ୍ମୁଖୀନ ହୋଇଥିଲେ ଏବଂ ୧୫ ଚୌକା ଓ ଗୋଟିଏ ଛକା ସହାୟତାରେ ୧୩୦ ରନ୍ କରି ଆଉଟ୍ ହୋଇଥିଲେ।

ଗିଲ ଏପର୍ଯ୍ୟନ୍ତ ୯ଟି ଦିନିକିଆ ଖେଳିଛନ୍ତି । ସେ ୩ଟି ଅର୍ଦ୍ଧଶତକ ଏବଂ ଗୋଟିଏ ଶତକ ହାସଲ କରିଛନ୍ତି | ତାଙ୍କ ବ୍ୟାଟିଂ ଆଭରେଜ୍ ୭୧.୨୮ ରହିଛି । ଏହି ଯୁବ ବ୍ୟାଟ୍ସମ୍ୟାନ୍ ମାତ୍ର ଦୁଇଥର ୧୦ ରନରୁ କମ୍ ସ୍କୋରରେ ଆଉଟ୍ ହୋଇଛନ୍ତି। ଗିଲ୍ ତାଙ୍କ ଶେଷ ୬ଟି ଇନିଂସରେ ଯଥାକ୍ରମେ ୧୩୦, ୩୩, ୮୨, ୯୭, ୪୩, ୬୪ ରନ କରିଛନ୍ତି । ସେ ନିଜର ପ୍ରଥମ ଶତକ ସହିତ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି । ଜିମ୍ବାୱେରେ ଜିମ୍ବାୱେ ବିପକ୍ଷରେ ଗିଲଙ୍କ ୧୩୦ ରନ୍ ହେଉଛି କୌଣସି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦ୍ବାରା ସର୍ବୋଚ୍ଚ ସ୍କୋର । ଏଥିସହ ଗିଲ୍ ସଚିନଙ୍କ ୨୪ ବର୍ଷର ରେକର୍ଡ ଭାଙ୍ଗିଛନ୍ତି । ସଚିନ ୧୯୯୮ରେ ଜିମ୍ବାୱେ ବିପକ୍ଷ ବୁଲାଓ୍ବାୟୋରେ ଖେଳାଯାଇଥିବା ଏକ ଦିନିକିଆରେ ୧୨୭ ରନ୍ କରିଥିଲେ।