ଆରସିବିର ପରାଜୟ ପରେ ଶୁଭମାନ ଗିଲଙ୍କ ଭଉଣୀଙ୍କୁ ବଳାତ୍କାର ଧମକ! | News Room Odisha

ଆରସିବିର ପରାଜୟ ପରେ ଶୁଭମାନ ଗିଲଙ୍କ ଭଉଣୀଙ୍କୁ ବଳାତ୍କାର ଧମକ!

ବେଙ୍ଗାଲୁରୁ: ଚଳିତ ଆଇପିଏଲରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ଅଭିଯାନ ପରାଜୟ ସହ ଶେଷ ହୋଇଛି | ରବିବାର ଶେଷ ଲିଗ୍ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଠାରୁ ଆରସିବିର ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫରେ ପ୍ରବେଶ କରିଛି । ଏହି ମ୍ୟାଚରେ ବିରାଟ କୋହଲି ଚମତ୍କାର ଶତକ ସହ ଆରସିବିକୁ ଫ୍ଲେ ଅଫ୍ ନେବା ପାଇଁ ଯଥା ସମ୍ଭବ ଉଦ୍ଯମ କରିଥିଲେ । କୋହଲିଙ୍କ ଶତକ ବଳରେ ଆରସିବି ପ୍ରଥମେ ବ୍ୟାଟିଂ କରି ୧୯୭ ରନର ଚ୍ୟାଲେଞ୍ଜିଂ ସ୍କୋର୍ ଛିଡ଼ା କରିଥିଲା । କିନ୍ତୁ ଗୁଜରାଟ ଓପନର ଶୁଭମାନ ଗିଲ୍, ଆରସିବି ଓ କୋହଲିଙ୍କ ପ୍ଲେ ଅଫ୍ ଆଶାକୁ ଧୂଳିସାତ୍ କରିଦେଇଥିଲେ । ଗିଲଙ୍କ ଅପରାଜିତ ଶତକ ସହାୟତାରେ ଗୁଜରାଟ ଟାଇଟାନ୍ସ ବିଜୟୀ ହୋଇଥିଲା । ଆରସିବିର ପ୍ରଥମ ଆଇପିଏଲ୍ ଟାଇଟଲ୍ ଆଶା ପୁଣି ଲମ୍ବିଥିଲା ।

ତେବେ ଆରସିବିର ପରାଜୟକୁ ହଜମ କରିନପାରି କୋହଲିଙ୍କ ପ୍ରଶଂସକମାନେ ମ୍ୟାଚ୍ ପରେ ଗିଲ୍ ଓ ତାଙ୍କ ଭଉଣୀ ଶହନୀଲଙ୍କୁ ଇନଷ୍ଟାଗ୍ରାମରେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ରେପ୍ ଧମକ ଦେଇଥିଲେ ‌।

ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ୍ ଆରସିବି ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଆରସିବି ଯଦି ଏହି ମ୍ୟାଚ୍ ଜିତିଥାନ୍ତା ତେବେ ପ୍ଲେ ଅଫରେ ପ୍ରବେଶ କରିଥାଆନ୍ତା । କିନ୍ତୁ ଦଳର ପରାଜୟ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପ୍ଲେ ଅଫ୍ ଦ୍ବାର ଖୋଲି ଦେଇଥିଲା ।

ଆରସିବିକୁ ଆଇପିଏଲରୁ ବିଦା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗୁଜରାଟର ପ୍ରତିଭାବାନ ଓପନର ଶୁଭମାନ ଗିଲ୍ କୋହଲିଙ୍କ ଫ୍ୟାନ୍ ମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ । ସେମାନେ ଗିଲଙ୍କ ଭଉଣୀ ଶହନୀଲଙ୍କୁ ମଧ୍ୟ ଛାଡିନଥିଲେ ‌‌। ଆରସିବି ଓ କୋହଲିଙ୍କ କିଛି ଫ୍ୟାନ୍ ଶହନୀଲଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରି ଅତ୍ୟନ୍ତ ଅଶ୍ଲୀଳ ଓ ଧମକପୂର୍ଣ୍ଣ କମେଣ୍ଟ ଦେଇଥିଲେ । ସେମାନଙ୍କ ମଧ୍ୟରୁ କେତେ ଜଣ ଶହନୀଲଙ୍କୁ ବଳାତ୍କାର ଧମକ ଦେଇଥିଲେ। ଆଉ କିଛି ପ୍ରଶଂସକ ରିଷଭ ପନ୍ତଙ୍କ କାର୍ ଦୁର୍ଘଟଣାର ଫଟୋ ସେୟାର କରି କହିଥିଲେ ଯେ ଗିଲ୍ ମଧ୍ୟ ଏଭଳି ଦୁର୍ଘଟଣାର ଶିକାର ହୁଅନ୍ତୁ।

ସୋସିଆଲ ମିଡିଆରେ ଗିଲ୍ ଓ ତାଙ୍କ ଭଉଣୀ‌ ଶହନୀଲଙ୍କୁ ଏଭଳି ଅପମାନର କରୁଥିବା ଲୋକଙ୍କୁ ଅନେକ ୟୁଜର ନିନ୍ଦା କରିଥିଲେ । ଜଣେ ୟୁଜର ଲେଖିଥିଲେ, ‘କିଛି କୋହଲି ପ୍ରଶଂସକ ଗିଲ୍ ଏବଂ ତାଙ୍କ ଭଉଣୀଙ୍କୁ ଭୁଲ କଥା କହୁଛନ୍ତି। ଏଭଳି ପ୍ରଶଂସକଙ୍କ ନକାରାତ୍ମକତା କାରଣରୁ କୋହଲି ଟ୍ରଫି ଜିତିପାରୁ ନାହାଁନ୍ତି। ‘ଅନ୍ୟ ଜଣେ ୟୁଜର ଲେଖିଛନ୍ତି,’ ଏଭଳି ଲୋକମାନଙ୍କୁ ଜେଲ ପଠାଇବା ଉଚିତ୍।