ସିଦ୍ଧରମୈୟା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ, ଖୁବ୍ ଶୀଘ୍ର ହୋଇପାରେ ଘୋଷଣା | News Room Odisha

ସିଦ୍ଧରମୈୟା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ, ଖୁବ୍ ଶୀଘ୍ର ହୋଇପାରେ ଘୋଷଣା

ନୂଆଦିଲ୍ଲୀ:କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀକୁ ନେଇ ଲାଗି ରହିଥିବା ସସପେନ୍ସ ଆଜି ଦୂର ହୋଇପାରେ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିପାରନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୭୫ ବର୍ଷୀୟ ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଆସନ ମିଳିବା ନିଶ୍ଚିତ ହୋଇଯାଇଛି। ବେଙ୍ଗାଲୁରୁରେ ତାଙ୍କ ସମର୍ଥକମାନଙ୍କ ମଧ୍ୟରେ ମଧ୍ୟ ସେଲିବ୍ରେସନ ‌‌‌‌‌‌‌‌‌‌‌ଆରମ୍ଭ ହୋଇଯାଇଛି । ଅନ୍ୟପକ୍ଷରେ ସିଏମ୍ ପଦ ପାଇଁ ଦ୍ୱିତୀୟ ଦାବିଦାର ୬୧ ବର୍ଷୀୟ ଡିକେ କୁମାରଙ୍କୁ ମନାଇବା ପାଇଁ କଂଗ୍ରେସ ହାଇକମାଣ୍ଡ ଚେଷ୍ଟା କରୁଛନ୍ତି । ଶିବକୁମାରଙ୍କୁ ଅସନ୍ତୋଷ ପ୍ରଶମିତ କରିବା ପାଇଁ ସିଦ୍ଧରମୈୟା ସରକାରରେ ତାଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ନେଇ ଚାରି ଦିନ ଧରି ଜାରି ରହିଥିବା ସସପେନ୍ସ ଖୁବ ଶୀଘ୍ର ଦୂର ହେବ। ମିଳିଥିବା ସୂଚନା ଅନୁଯାୟୀ ସିଦ୍ଧରମୈୟା କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବେ। ସେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବ ଶପଥ ଗ୍ରହଣ କରିପାରନ୍ତି। ତେବେ ସେ କେବଳ ଜଣେ ଶପଥ ନେବେ ନା ତାଙ୍କ ସହ ଅନ୍ୟ କିଛି ବିଧାୟକ ତାଙ୍କ ସହ ଶପଥ ନେବେ ତାହା ସ୍ପଷ୍ଟ ହୋଇନାହିଁ। ଆସନ୍ତାକାଲି ବେଙ୍ଗାଲୁରୁରେ ବିଧାନସଭା ଦଳ ବୈଠକ ମଧ୍ୟ ଅନୁଷ୍ଠିତ ହେବା ସମ୍ଭାବନା ରହିଛି।

ମେ ୧୩ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଆସିଥିଲା | କଂଗ୍ରେସ ୧୩୫ଟି ଆସନ ଜିତିବା ପୂର୍ବକ ବଡ଼ ବିଜୟ ସହ ବିଜେପିକୁ କ୍ଷମତାରୁ ହଟାଇଥିଲା । ନିର୍ବାଚନ ପୂର୍ବରୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନଥିଲା। ଏଭଳି ସ୍ଥିତିରେ ନିର୍ବାଚନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ କଂଗ୍ରେସ ରାଜ୍ୟ ସଭାପତି ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାରୀ ଉପସ୍ଥାପନ କରିଥିଲେ। ଏହା ପରେ ହାଇକମାଣ୍ଡ ଉଭୟ ନେତାଙ୍କୁ ଦିଲ୍ଲୀ ଡାକି ଆଲୋଚନା କରିଥିଲେ । ଚାରି ଦି‌ନ ମନ୍ଥନ ପରେ ସିଦ୍ଧରମୈୟାଙ୍କ ନାମରେ କଂଗ୍ରେସ ହାଇକମାଣ୍ଡ ମୋହର ଲଗାଇବାକୁ ଯାଉଛନ୍ତି। ସିଦ୍ଧରମୈୟାଙ୍କୁ ମଧ୍ୟ ଅଧିକାଂଶ ବିଧାୟକଙ୍କ ସମର୍ଥନ ରହିଛି ।