ବାଲେଶ୍ବର ଟ୍ରେନ୍ ଟ୍ରାଜେଡି ମନୁଷ୍ୟକୃତ ! ସିଗନାଲ ତ୍ରୁଟି ଯୋଗୁଁ ଭୁଲ୍ ଟ୍ରାକରେ ଆସିଥିଲା କରମଣ୍ଡଳ ଏକ୍ସପ୍ରେସ | News Room Odisha

ବାଲେଶ୍ବର ଟ୍ରେନ୍ ଟ୍ରାଜେଡି ମନୁଷ୍ୟକୃତ ! ସିଗନାଲ ତ୍ରୁଟି ଯୋଗୁଁ ଭୁଲ୍ ଟ୍ରାକରେ ଆସିଥିଲା କରମଣ୍ଡଳ ଏକ୍ସପ୍ରେସ

ଭୁବନେଶ୍ୱର/ନୂଆଦିଲ୍ଲୀ: ଓଡିଶାର ବାଲେଶ୍ବରରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସମଗ୍ର ଦେଶକୁ ସ୍ତବ କରିଛି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୬୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୦୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଟ୍ରିପଲ୍ ଟ୍ରେନ୍ ଦୁର୍ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଇତିମଧ୍ୟରେ ପ୍ରାରମ୍ଭିକ ଯାଞ୍ଚ ରିପୋର୍ଟରେ ଏହି ଦୁର୍ଘଟଣା ସିଗନାଲ ଫେଲ୍ ଯୋଗୁଁ ଘଟିଥିବା କୁହାଯାଇଛି ।

ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ଅନୁଯାୟୀ, ଦ୍ୱିତୀୟ ଟ୍ରେନକୁ ଠିକ୍ ସମୟରେ ସିଗନାଲ ମିଳିନଥିଲା, ଯେଉଁ କାରଣରୁ ଦୁଇଟି ଟ୍ରେନ୍ ସମାନ ଟ୍ରାକରେ ଆସିଥିଲେ । ଫଳରେ ଏହି ବଡ଼ ଦୁର୍ଘଟଣା ଘଟିଥିଲା | ଅଦ୍ୟାବଧି ଏହି ରିପୋର୍ଟ ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ । କିନ୍ତୁ ଭୁଲ୍ ସିଗନାଲ ଦୁର୍ଘଟଣାର ଏକ ପ୍ରମୁଖ କାରଣ ବୋଲି ଜଣାପଡ଼ିଛି।

ଯେତେବେଳେ ଏକ ଟ୍ରେନ୍ ଏକ ଷ୍ଟେସନ ଦେଇ ଯାଇଥାଏ, ସେତେବେଳେ ଅନ୍ୟ ଟ୍ରେନକୁ ଲୁପ୍ ଲାଇନରେ ରଖାଯାଏ | ବାଲେଶ୍ଵର ବାହାନଗାରେ ମଧ୍ୟ କରମଣ୍ଡଳ ଏକ୍ସପ୍ରେସ ପାଇଁ ଲାଇନ୍ କ୍ଲିୟର କରିବା ଲାଗି ମାଲବାହୀ ଟ୍ରେନ୍ ଲୁପ୍ ଲାଇନରେ ରହିଥିଲା । ସେତେବେଳେ କରମଣ୍ଡଳ ଏକ୍ସପ୍ରେସ ଘଣ୍ଟା ପ୍ରତି ୧୩୦ କିମି ବେଗରେ ଆସୁଥିଲା । ହେଲେ ସିଗନାଲ ତ୍ରୁଟି ଯୋଗୁଁ ମେନ୍ ଲାଇନ୍ ପରିବର୍ତ୍ତେ କରମଣ୍ଡଳ ଏକ୍ସପ୍ରେସ ଲୁପ୍ ଲାଇନରେ ଯିବା ଯୋଗୁଁ ସେଠାରେ ପୂର୍ବରୁ ଛିଡ଼ା ହୋଇଥିବା ମାଲ୍ ଟ୍ରେନକୁ ଧକ୍କା ଦେଇଥିଲା । ଫଳରେ ଏହାର କିଛି କୋଚ୍ ଲାଇନଚ୍ୟୁତ ହୋଇ ପାର୍ଶ୍ଵବର୍ତ୍ତୀ ଟ୍ରାକରେ ପଡ଼ିଥିଲା । ସେତେବେଳେ ସେହି ଟ୍ରାକରେ ବିପରୀତ ଦିଗରୁ ଯଶୋବନ୍ତପୁର- ହାୱଡା ଏକ୍ସପ୍ରେସ ଆସି କରୋମାଣ୍ଡେଲ ଏକ୍ସପ୍ରେସ ଲାଇନଚ୍ୟୁତ ବଗି ଗୁଡ଼ିକୁ ଧକ୍କା ଦେଇଥିଲା | ଯାହା ଦ୍ବାରା ଯଶୋବନ୍ତପୁର- ହାୱଡା ଏକ୍ସପ୍ରେସର କିଛି ବଗି ମଧ୍ୟ ଲାଇନଚ୍ୟୁତ ହୋଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବାକୁ ଆସୁଛନ୍ତି। ସେ ସେଠାକୁ ଯାଇ ସ୍ଥିତି ସମୀକ୍ଷା କରିବା ପରେ ଡାକ୍ତରଖାନାରେ ଆହତମାନଙ୍କୁ ଭେଟିବେ । ପ୍ରଧାନମନ୍ତ୍ରୀ ଅଧିକାରୀଙ୍କ ସହ ଏକ ବୈଠକ ମଧ୍ୟ କରିବା ସମ୍ଭାବନା ରହିଛି ।