ସିଲ୍କ ସିଟି ଫେଷ୍ଟ୍ ଉଦଘାଟିତ: ମଞ୍ଚ ଦୁଲୁକାଇଲେ ଲୋକ କଳାକାର ଓ ବଲିଉଡ୍ ଷ୍ଟାର୍ | News Room Odisha

ସିଲ୍କ ସିଟି ଫେଷ୍ଟ୍ ଉଦଘାଟିତ: ମଞ୍ଚ ଦୁଲୁକାଇଲେ ଲୋକ କଳାକାର ଓ ବଲିଉଡ୍ ଷ୍ଟାର୍

ବ୍ରହ୍ମପୁର: ସିଲ୍କ ସିଟି ଫେଷ୍ଟ୍ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି। ବ୍ରହ୍ମପୁର ୟୁସିପି ଇଞ୍ଜିନିୟରିଂ ସ୍କୁଲ ପଡ଼ିଆରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ଉଠାଇଛନ୍ତି ଦର୍ଶକ।

ଲୋକନୃତ୍ୟ ଦିଗପହଣ୍ଡିର ଢୁମ୍ପା ଓ କଳାହାଣ୍ଡିର ଢେମସା, ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ, ସମ୍ବଲପୁରୀ ଓ କଥକ ସାଙ୍ଗକୁ ଆଧୁନିକ ନୃତ୍ୟ ଏବଂ ବଲିଉଡ୍ ସିଙ୍ଗର୍ ବେନ୍ନୀ ଦୟାଲ୍ ତଥା ବ୍ରହ୍ମପୁର ମାଟିରୁ ଯାଇ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ପାଇଥିବା ଗାୟିକା ଲିସା ମିଶ୍ର ମଞ୍ଚରେ ଧୁମ୍ ମଚାଇଥିଲେ।

ଦର୍ଶକ ମହୋତ୍ସବ ସ୍ଥଳରେ ଥିବା ପ୍ରାୟ ଦେଢ଼ଶହ ଷ୍ଟଲ୍ ବୁଲି ଏସ୍ଏଚଜି ଉତ୍ପାଦ, ଘରକରଣା ସାମଗ୍ରୀ, ପୁସ୍ତକ ଓ ଅନ୍ୟାନ୍ୟ ସାମଗ୍ରୀ କିଣା ସହ ଖାଦ୍ୟର ମଜା ଉଠାଇଥିଲେ। ଶୀତୁଆ ସନ୍ଧ୍ୟାରେ ହଜାର ହଜାର ଦର୍ଶକଙ୍କ ଉତ୍ସାହରେ ମହୋତ୍ସବ ସ୍ଥଳର ପରିବେଶ ଉଷ୍ଣ ହୋଇ ଉଠିଥିଲା।

ବିଏମସି-ବିଡିଏ ପ୍ରାୟୋଜିତ ସିଲ୍କ ସିଟି ଫେଷ୍ଟକୁ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟନ କରିଥିଲେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ। ସେହି ଏକା ସ୍ଥାନରେ ପଲ୍ଲୀଶ୍ରୀ ମେଳା, ପୁସ୍ତକ ମେଳା ଓ ଖାଦ୍ୟ ମେଳା ସହ ହକି ମହୋତ୍ସବ ମଧ୍ୟ ଆରମ୍ଭ ହୋଇଥିଲା।

ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ହକି ବିଶ୍ବକପକୁ ଲଗାତାର ଦ୍ବିତୀୟ ଥର ଆୟୋଜନ କରି ରାଜ୍ୟକୁ ବିଶ୍ବରେ ସୁପରିଚିତ କରାଇଛନ୍ତି ବୋଲି କହିଥିଲେ ମନ୍ତ୍ରୀ। ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ବ୍ରହ୍ମପୁର ମେୟର୍ ସଂଘମିତ୍ରା ଦଳେଇ, ଡେପୁଟି ମେୟର୍ ଇ.ବିବେକ ରେଡ୍ଡୀ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡା୍ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଉଦବୋଧନ ଦେଇଥିଲେ। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସ୍ବାଗତ ଭାଷଣ ଦେଇଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ବିଏମସି କମିଶନର୍ ଜେ.ସୋନାଲ୍। ବ୍ରହ୍ମପୁର ଏସପି ଡା ସର୍ବଣା ବିବେକ ଏମ୍ ମଧ୍ୟ ଉପସ୍ଥିତ ଥିଲେ।