ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ କେକେଙ୍କୁ ଦିଆଗଲା ତୋପ ସଲାମୀ | News Room Odisha

ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ କେକେଙ୍କୁ ଦିଆଗଲା ତୋପ ସଲାମୀ

କୋଲକାତା: ଦିବଂଗତ ବଲିଉଡ୍ ଗାୟକ କେକେଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ତୋପ ସଲାମୀ ଦିଆଯାଇଛି। ଏସ୍ଏସକେଏମ୍ ହସ୍ପିଟାଲରେ ଶବ ବ୍ୟବଚ୍ଛଦ ପରେ ତାଙ୍କ ମରଶରୀର ରବୀନ୍ଦ୍ର ସଦନକୁ ଅଣାଯାଇଥିଲା । ଏଠାରେ କେକେଙ୍କୁ ତୋପ ସଲାମୀ ସହ ପଶ୍ଚିମବଙ୍ଗ ସରକାର ଏହି ଗାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କେକେଙ୍କ ପତ୍ନୀ ଓ ପୁଅଝିଅ ମଧ୍ୟ ଉପସ୍ଥିତ ଥିଲେ। କେକେଙ୍କ ମରଶରୀର ଏୟାର ଇଣ୍ଡିଆର AI 773 ବିମାନ ଯୋଗେ ମୁମ୍ବାଇ ଯିବ। କେକେଙ୍କ ମରଶରୀର ରାତି ପ୍ରାୟ ୮:୧୫ ସୁଦ୍ଧା ମୁମ୍ବାଇରେ ପହଞ୍ଚିବ। କେକେଙ୍କ ବାସଭବନ ନିକଟ ଭର୍ସୋଭାସ୍ଥିତ ମୁକ୍ତିଧାମ ଶ୍ମଶାନରେ ଏହି କଣ୍ଠଶିଳ୍ପୀଙ୍କ ଅନ୍ତିମ ସଂସ୍କାର କରାଯିବ।

ଲୋକପ୍ରିୟ ଗାୟକ କ୍ରିଷ୍ଣାକୁମାର କୁନ୍ନାଥ ଓରଫ୍ କେକେଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ (ମେ ୩୧) କୋଲକାତାରେ ପରଲୋକ ହୋଇଯାଇଥିଲା । ସେ କୋଲକାତାରେ ଏକ ଶୋ’ କରୁଥିବା ବେଳେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କୁ ୫୩ ବର୍ଷ ହୋଇଥିଲା । କେକେଙ୍କ ଆକସ୍ମିକ ଦେହାନ୍ତ ପରେ କୋଲକାତା ପୋଲିସ ଏକ ‘ଅସ୍ବାଭାବିକ ମୃତ୍ୟୁ’ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କେକେଙ୍କ ଆକସ୍ମିକ ବିୟୋଗରେ ସଂଗୀତ ଜଗତ ତଥା ବଲିଉଡ୍ ସ୍ତବ୍ଧ ହୋଇଯାଇଛି ।