ବାଣ ବ୍ୟବସାୟୀଙ୍କ ଘରେ ବିସ୍ଫୋରଣ, ୬ ମୃତ | News Room Odisha

ବାଣ ବ୍ୟବସାୟୀଙ୍କ ଘରେ ବିସ୍ଫୋରଣ, ୬ ମୃତ

ପାଟଣା: ବିହାରର ସାରଣ ଜିଲ୍ଲାର ଜଣେ ବାଣ ବ୍ୟବସାୟୀଙ୍କ ଘରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପରେ ଘରଟି ଭୁଶୁଡି ପଡିଛି। ଏହି ଘଟଣା ସାରଣ ଜିଲ୍ଲାର ଖଇରା ପୋଲିସ ଥାନା ଅନ୍ତର୍ଗତ ଖୁଦାଇ ବାଗ ଗାଁରେ ବାଣ ବ୍ୟବସାୟୀ ଶବୀର ହୁସେନ୍‌ଙ୍କ ଘରେ ଘଟିଛି। ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮ ଜଣ ଆହତଙ୍କୁ ଘରୁ ଉଦ୍ଧାର କରାଯାଇଛି । ଘର ଧ୍ବଂସାବଶେଷ ତଳେ ଆହୁରି ଅନେକ ଲୋକ ଦବି ହୋଇ ରହିଥିବା କୁହାଯାଇଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

ଘରଟି ଏକ ନଦୀ କୂଳରେ ଅବସ୍ଥିତ। ବିସ୍ଫୋରଣ ବେଳେ ସେହି ଘରେ ଏବଂ ପାଖ ଘରେ ୧୦ରୁ ଅଧିକ ଲୋକ ଥିଲେ ବୋଲି କୁହାଯାଇଛି ।

ଯେଉଁ ଘରେ ବିସ୍ଫୋରଣ ହୋଇଥିଲା ସେହି ଘରେ ବାଣ ତିଆରି ଚାଲୁଥିଲା। ହଠାତ୍ ଲଗାତାର ବିସ୍ଫୋରଣ ହୋଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଯେଉଁଥିପାଇଁ ପୋଲିସ-ପ୍ରଶାସନ ଦଳ ଏବଂ ସ୍ଥାନୀୟ ଲୋକ ସେହି ଘର ନିକଟକୁ ଯାଇପାରିନଥିଲେ।

ସାରଣ ଜିଲ୍ଲା ଏସପି ସନ୍ତୋଷ କୁମାର କହିଛନ୍ତି ଯେ ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଭୁଶୁଡ଼ି ପଡିଥିବା ଘର ତଳେ ଦବି ରହିଥିବା ଆଶଙ୍କା କରାଯାଉଛି । ବିସ୍ଫୋରଣର କାରଣ କଣ ସେନେଇ ବର୍ତ୍ତମାନ ତଦନ୍ତ ଜାରି ରହିଛି। ଫୋରେନସିକ୍ ଟିମ୍ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳକୁ ଡକାଯାଇଛି ବୋଲି ସେ କହିଛନ୍ତି ।