କାଉଡିଆଙ୍କ ଉପରେ ମାଡ଼ିଗଲା ଟ୍ରକ୍, ୬ ମୃତ | News Room Odisha

କାଉଡିଆଙ୍କ ଉପରେ ମାଡ଼ିଗଲା ଟ୍ରକ୍, ୬ ମୃତ

ହାଥରସ୍: ଉତ୍ତରପ୍ରଦେଶର ହାଥରସ୍ ରେ ଏକ ଟ୍ରକ୍ ଧକ୍କାରେ ୬ ଜଣ କାଉଡିଆଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୨ଟାରେ ଘଟିଛି । ମହାଦେବଙ୍କୁ ଜଳ ଲାଗି କରିବା ପାଇଁ ହରିଦ୍ବାରରୁ ଗ୍ୱାଲିଅର ଯାଉଥିବା କାଉଡ଼ିଆଙ୍କ ଉପରେ ଟ୍ରକ୍ ମାଡ଼ି ଯାଇଥିଲା | ଘଟଣାସ୍ଥଳରେ ୬ ଜଣ କାଉଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି। ଉଭୟ ଆହତଙ୍କୁ ଆଗ୍ରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବର୍ତ୍ତମାନ ଶ୍ରାବଣ ମାସ ଚାଲିଛି | ଏହି ସମୟରେ କାଉଡ଼ିଆମାନେ ଗଙ୍ଗା ଘାଟରୁ ପବିତ୍ର ଗଙ୍ଗା ଜଳ ନେଇ ବିଭିନ୍ନ ଶିବାଳୟକୁ ଜଳଲାଗି ପାଇଁ ଯାଆନ୍ତି | ହାଥରସ୍ ଆଗ୍ରା ରାଜପଥ ବଡ଼ ଛକ ନିକଟରେ ଏକ ଢ଼ବା ନିକଟରେ କିଛି କାଉଡ଼ିଆ ଠିଆ ହୋଇଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ସେମାନଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଘଟଣାସ୍ଥଳରେ ୬ ଜଣ କାଉଡ଼ିଆଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଥିଲେ । ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଆଗ୍ରା ମେଡିକାଲ କଲେଜକୁ ପଠାଯାଇଛି।

ଜଣେ ଆହତ କାଉଡ଼ିଆ କହିଛନ୍ତି ଯେ ସେ ଓ ତାଙ୍କର କିଛି ସାଥୀ ହରିଦ୍ୱାରରୁ ଗଙ୍ଗାଜଳ ଉଠାଇ ଗ୍ୱାଲିଅରକୁ ଯାଉଥିଲେ । ବାଟରେ ଖାଇବା ପାଇଁ ସେମାନେ ଏକ ଢ଼ାବା ପାଖରେ ଅଟକି ଥିଲେ | ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ଧକ୍କା ଦେଇ ପଳାଇ ଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭରର ଖୋଜା ଚାଲିଛି | ଆଗ୍ରା ଜୋନର ଏଡିଜି ରାଜୀବ କୃଷ୍ଣ କହିଛନ୍ତି ଯେ କାଉଡିଆଙ୍କ ଏକ ଦଳ ହରିଦ୍ୱାରରୁ ଗ୍ୱାଲିଅରକୁ ଫେରୁଥିଲେ। ଏହି ଦୁର୍ଘଟଣାରେ ୬ ଜଣ କାଉଡିଆଙ୍କ ମୃତ୍ୟୁ ଘଟିଛି ଏବଂ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣା ଘଟାଇଥିବା ଗାଡି ବିଷୟରେ ସୂଚନା ମିଳିଛି ଏବଂ ଖୁବ୍ ଶୀଘ୍ର ଅଭିଯୁକ୍ତ ଧରାଯିବ ବୋଲି ସେ କହିଛନ୍ତି ।