ବନ ବିଭାଗ ହେପାଜତରେ ହାତୀ ଶିକାର ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୬ ବନ କର୍ମଚାରୀ ଗିରଫ | News Room Odisha

ବନ ବିଭାଗ ହେପାଜତରେ ହାତୀ ଶିକାର ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୬ ବନ କର୍ମଚାରୀ ଗିରଫ

ଆଠଗଡ଼ – ବନ ବିଭାଗ ହେପାଜତରେ ହାତୀ ମୃତ୍ୟୁ ଅଭିଯୁକ୍ତ ଧନେଶ୍ୱର ବେହେରା ମୃତ୍ୟୁ ମାମଲାରେ ୬ ଜଣ ବନ କର୍ମଚାରୀଙ୍କୁ ଗିରଫ କରାଯାଇଛି । ବଡ଼ମ୍ବା ଥାନା ପୋଲିସ ସେମାନଙ୍କୁ ଗିରଫ କରିଛି । ରେଞ୍ଜର ସୁବ୍ରତ ବେହେରାଙ୍କ ସମେତ ଫରେଷ୍ଟର ମନୋଜ ଦାସ, ଦୀପକ ସେଠୀ, ଫରେଷ୍ଟ ଗାର୍ଡ ସୁନାୟକ ମାଝୀ, କୁନା ବେହେରା ଓ ପ୍ରଭାତ ପ୍ରଧାନଙ୍କୁ ଗିରଫ କରାଯାଇଛି । ୨ଟି ବୋଲେରୋ ସହ ମାଡ଼ ମାରିବାରେ ବ୍ୟବହୃତ ୪ଟି ଠେଙ୍ଗା ମଧ୍ୟ ଜବତ କରିଛି ପୋଲିସ।

ସୂଚନାଯୋଗ୍ୟ, କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅଧୀନସ୍ଥ ବଡ଼ମ୍ବା ଅଞ୍ଚଳରେ ହାତୀ ଶିକାର ଓ ଦାନ୍ତ ଚୋରି ଅଭିଯୋଗରେ ବନ ବିଭାଗ ଧନେଶ୍ୱର ବେହେରା, ରାଜକିଶୋର ପ୍ରଧାନ, ବିରଞ୍ଚି ଜାନି ଓ ରାଜୀବ ସ୍ୱାଇଁଙ୍କୁ ଉଠାଇ ନେଇଥିଲା। ହାତୀ ମାରିଥିବା ଅଭିଯୋଗ ସ୍ୱୀକାର କରିବାକୁ ବନ କର୍ମଚାରୀ ସେମାନଙ୍କ ଉପରେ ଥାର୍ଡ ଡିଗ୍ରୀ ପ୍ରୟୋଗ କରିଥିବା ଅଭିଯୋଗ ହୋଇଥିଲା । ପ୍ରବଳ ମାଡ଼ ଯୋଗୁଁ ଧନେଶ୍ୱରର ମୃତ୍ୟୁ ହୋଇଥିଲା। ଏ ନେଇ ବଡମ୍ବା ରେଞ୍ଜର, ଏସିଏଫ୍‌ଙ୍କ ସମେତ ୫ଜଣ ବନ କର୍ମଚାରୀଙ୍କ ନାଁରେ ବଡମ୍ବା ଥାନାରେ ମୃତକଙ୍କ ପରିବାରବର୍ଗଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଥିଲା ।