ଗଣତନ୍ତ୍ର ଦିବସ ପୂର୍ବରୁ ବିସ୍ଫୋରଣରେ ଥରିଲା ଜମ୍ମୁ, ୬ ଆହତ | News Room Odisha

ଗଣତନ୍ତ୍ର ଦିବସ ପୂର୍ବରୁ ବିସ୍ଫୋରଣରେ ଥରିଲା ଜମ୍ମୁ, ୬ ଆହତ

ଶ୍ରୀନଗର: ଗଣତନ୍ତ୍ର ଦିବସ ପୂର୍ବରୁ ଶନିବାର ସକାଳେ ଜମ୍ମୁର ନରୱାଲ ଅଞ୍ଚଳରେ ଶକ୍ତିଶାଳୀ ବିସ୍ଫୋରଣରେ ୬ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ଦିନ ପ୍ରାୟ ୧୧.୩୦ରେ ଘଟିଥିଲା ​​|

ଜମ୍ମୁ କାଶ୍ମୀରର ଅତିରିକ୍ତ ମହାନିର୍ଦ୍ଦେଶକ ମୁକେଶ ସିଂହଙ୍କ କହିବାନୁସାରେ, ନରଓ୍ବାଲ ଅଞ୍ଚଳରେ ଦୁଇଟି ବିସ୍ଫୋରଣ ହୋଇଥିଲା । ଏଥିରେ ୬ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ପୋଲିସର ପ୍ରାରମ୍ଭିକ ଅନୁସନ୍ଧାନ ଅନୁଯାୟୀ, ନରୱାଲ ଅଞ୍ଚଳରେ ରାସ୍ତା ପାର୍ଶ୍ୱରେ ପାର୍କିଂ ହୋଇଥିବା ଏକ ପୁରୁଣା କାରରେ ବିସ୍ଫୋରଣ ଘଟିଥିଲା । ଏହି ଘଟଣା ପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ସିଲ୍ କରିଛି । ନରୱାଲ ଅଞ୍ଚଳରେ ଥିବା ଦୋକାନବଜାର ବନ୍ଦ ରହିଛି ।

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାକୁ ଦୃଷ୍ଟିରେ ରଖି ସମଗ୍ର ଅଞ୍ଚଳର ସୁରକ୍ଷା କଡାକଡି କରାଯାଇଛି। ଏହି ଯାତ୍ରା ୨୪ ଜାନୁଆରୀରେ ଜମ୍ମୁରେ ପ୍ରବେଶ କରିବ |