ଜରୁରୀ ପରିସ୍ଥିତି ଘୋଷଣା ପରେ ସୋସିଆଲ ମିଡ଼ିଆ ଉପରେ ବି କଟକଣା ଲଗାଇଲେ ଶ୍ରୀଲଙ୍କା ସରକାର | News Room Odisha

ଜରୁରୀ ପରିସ୍ଥିତି ଘୋଷଣା ପରେ ସୋସିଆଲ ମିଡ଼ିଆ ଉପରେ ବି କଟକଣା ଲଗାଇଲେ ଶ୍ରୀଲଙ୍କା ସରକାର

କଲମ୍ବୋ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷ ଏବେ ହିଂସାର ରୂପ ନେଇଛି । ଜରୁରୀ ପରିସ୍ଥିତି ଘୋଷଣା ସତ୍ତ୍ୱେ ଶ୍ରୀଲଙ୍କାର ବିଭିନ୍ନ ସ୍ଥାନରେ ସରକାର ବିରୋଧୀ ବିକ୍ଷୋଭ ଉଗ୍ର ହେଉଛି । ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହେଉଥିବାବେଳେ ଶ୍ରୀଲଙ୍କା ସରକାର ଏବେ ସୋସିଆଲ ମିଡିଆ ଉପରେ କଟକଣା ଲଗାଯାଇଛି। ଏହାଦ୍ବାରା ଫେସବୁକ୍, ଟ୍ୱିଟର, ହ୍ବାଟସଆପ୍, ୟୁଟ୍ୟୁବ୍, ସ୍ନାପଚାଟ୍, ଟିକଟକ୍ ଏବଂ ଇନଷ୍ଟାଗ୍ରାମ ସହିତ ପ୍ରାୟ ଦୁଇ ଡଜନ ସୋସିଆଲ ମିଡିଆ ପ୍ଲାଟଫର୍ମ ପ୍ରଭାବିତ ହୋଇଛି। ଡିଜେଲ-ପେଟ୍ରୋଲ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀର ଅଭାବ ଯୋଗୁଁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ଗୋଟାବାୟା ରାଜପକ୍ଷା ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।

ରବିବାର ବିକ୍ଷୋଭ ପ୍ରଦର୍ଶନ ଘୋଷଣାକୁ ଦୃଷ୍ଟିରେ ରଖି ଶନିବାର ଠାରୁ ସୋମବାର ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ୩୬ ଘଣ୍ଟିଆ କର୍ଫ୍ୟୁ ଲାଗୁ ହୋଇଛି। ସେଠାରେ ବିଦ୍ୟୁତ୍ ସଙ୍କଟ ଏକ ଭୟଙ୍କର ରୂପ ନେଇଛି ଏବଂ ମୁଦ୍ରାସ୍ଫୀତି ଶିଖରରେ ପହଞ୍ଚିଛି | ଦୈନିକ ୧୩ ଘଣ୍ଟା ବିଦ୍ୟୁତ୍ କାଟ୍ ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏଥିସହିତ ଶ୍ରୀଲଙ୍କା ସରକାରଙ୍କ ପାଖରେ ବୈଦେଶିକ ମୁଦ୍ରା ଭଣ୍ଡାରର ନିଅଣ୍ଟିଆ ସ୍ଥିତି ଯୋଗୁଁ ତୈଳ ଆମଦାନୀ କରିବାକୁ ଅସମର୍ଥ ହୋଇଛନ୍ତି ଶ୍ରୀଲଙ୍କା ସରକାର ।