ଆସିଲା ସୋନାଲି ଫୋଗଟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ଶରୀରରେ ଅନେକ କ୍ଷତ ଚିହ୍ନ, ହତ୍ୟା ମାମଲା ରୁଜୁ | News Room Odisha

ଆସିଲା ସୋନାଲି ଫୋଗଟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ଶରୀରରେ ଅନେକ କ୍ଷତ ଚିହ୍ନ, ହତ୍ୟା ମାମଲା ରୁଜୁ

ପାଣାଜୀ: ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ଶବ ବ୍ୟବଚ୍ଛେଦ ପରେ ଗୋଆ ପୋଲିସ ତାଙ୍କ ଦୁଇ ସହଯୋଗୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି। ପୋଷ୍ଟମର୍ଟମ ରିପୋର୍ଟରେ ସୋନାଲି ଫୋଗଟଙ୍କ ଶରୀରରେ ଅନେକ ସ୍ଥାନରେ କ୍ଷତ ଚିହ୍ନ ଥିବା କୁହାଯାଇଛି । ତାଙ୍କୁ ଧାରୁଆ ଅସ୍ତ୍ର ଦ୍ବାରା ଏକାଧିକ ଥର ଆଘାତ କରାଯାଇଥିବା ଉଲ୍ଲେଖ କରାଯାଇଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ୪୨ ବର୍ଷ ବୟସ୍କା ଫୋଗାଟଙ୍କ ମୃତ୍ୟୁ ସହ ଏହି ମାମଲାରେ ଆଇପିସି ଧାରା ୩୦୨ (ହତ୍ୟା)କୁ ଯୋଡି ଦିଆଯାଇଛି। ସେ କହିଛନ୍ତି ଯେ ସୁଧୀର ସାଙ୍ଗୱାନ ଏବଂ ସୁଖବିନ୍ଦର ଭାସି ଏହି ମାମଲାରେ ଅଭିଯୁକ୍ତ ରହିଛନ୍ତି। ଅଗଷ୍ଟ ୨୨ରେ ଫୋଗଟ୍ ଗୋଆରେ ପହଞ୍ଚିବା ପରେ ସାଙ୍ଗୱାନ୍ ଏବଂ ଭାସି ତାଙ୍କ ସହିତ ଥିଲେ | ସୋନାଲି ଫୋଗାଟଙ୍କ ଭାଇ ରିଙ୍କୁ ଢାକା ବୁଧବାର ଅଞ୍ଜୁନା ପୋଲିସ ଷ୍ଟେସନରେ ଉଭୟଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ପରିବାର ସଦସ୍ୟଙ୍କ ଅନୁମତି ମିଳିବା ପରେ ସୋନାଲି ଫୋଗାଟଙ୍କ ମୃତ୍ୟୁର ଦୁଇ ଦିନ ପରେ ଅର୍ଥାତ୍ ଗୁରୁବାର ସରକାରୀ ଡାକ୍ତରଖାନାରେ ପୋଷ୍ଟମର୍ଟମ କରାଯାଇଥିଲା। ଡାକ୍ତରଖାନାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଟିକଟକରୁ ଖ୍ୟାତି ଅର୍ଜନ କରିଥିବା ହରିୟାଣାର ଏହି ବିଜେପି ନେତ୍ରୀଙ୍କୁ ମଙ୍ଗଳବାର ସକାଳେ ଉତ୍ତର ଗୋଆ ଜିଲ୍ଲାର ଅଞ୍ଜୁନା ସ୍ଥିତ ସେଣ୍ଟ ଆନ୍ଥୋନୀ ହସ୍ପିଟାଲକୁ ମୃତ ଅବସ୍ଥାରେ ଅଣାଯାଇଥିଲା। ଜଣେ ପୋଲିସ ଅଧିକାରୀ ଏହା ପୂର୍ବରୁ କହିଥିଲେ ଯେ ବୋଧହୁଏ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଏହା ପରେ ପୋଲିସ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରିଥିଲା।

ଗୁରୁବାର ଦିନ ପାଣାଜୀ ନିକଟ ବାମ୍ବୋଲିମ୍ ଗୋଆ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍ (ଜିଏମ୍ଏଚ୍) ର ଫୋରେନସିକ୍ ବିଶେଷଜ୍ଞଙ୍କ ଏକ ଟିମ୍ ଦ୍ୱାରା ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପାଣାଜୀରେ ଗଣମାଧ୍ୟମକୁ କହିଛନ୍ତି ଯେ ଫୋଗାଟଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ରାଜ୍ୟ ମହାନିର୍ଦ୍ଦେଶକ ପୋଲିସ (ଡିଜିପି) ଜସପାଲ ସିଂ ବ୍ୟକ୍ତିଗତ ଭାବେ ତଦାରଖ କରୁଛନ୍ତି। ସାୱନ୍ତ କହିଛନ୍ତି ଯେ ଡିଜିପି ଗଣମାଧ୍ୟମକୁ ଏହି ଘଟଣାର ତଦନ୍ତ ସମ୍ପର୍କରେ ସୂଚନା ଦେବେ।