ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନିଆ ଗାନ୍ଧୀ | News Room Odisha

ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାର୍ ଗଙ୍ଗାରାମ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ହସ୍ପିଟାଲର ମ୍ୟାନେଜମେଣ୍ଟ ବୋର୍ଡର ଅଧ୍ୟକ୍ଷ ଡକ୍ଟର ଅଜୟ ସ୍ବରୂପ ବୁଧବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶ୍ବାସ ଜନିତ ସମସ୍ୟା ଯୋଗୁଁ ଜାନୁଆରୀ ୪ରେ ସୋନିଆ ଗାନ୍ଧୀଙ୍କୁ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ପୁଅ ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରା ଛାଡି ତାଙ୍କୁ ଭେଟିବାକୁ ଦିଲ୍ଲୀ ଆସିଥିଲେ।

ସୋନିଆ ଗାନ୍ଧୀ ମଧ୍ୟ ୨୪ ଡିସେମ୍ବରରେ ଭାରତ ଯୋଡ ଯାତ୍ରାରେ ଭାଗ ନେଇଥିଲେ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଚାଲିଛି। ବର୍ତ୍ତମାନ ଏହି ଯାତ୍ରା ପଞ୍ଜାବରେ ଅଛି ଏବଂ ଜାନୁଆରୀ ୨୦ରେ କାଶ୍ମୀରରେ ପହଞ୍ଚିବ।

ଉଲ୍ଲେଖଯୋଗ୍ୟ ଯେ ୧୨ ଜୁନ୍ ୨୦୨୨ରେ ହଠାତ୍ ନାକରୁ ରକ୍ତ ବାହାରିବା ପରେ ସୋନିଆ ଗାନ୍ଧୀଙ୍କୁ ଡାକ୍ତରଖାନା ନିଆଯାଇଥିଲା। କରୋନା ଜନିତ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ତାଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା । ସୋନିଆ ୨ ଜୁନ୍ ୨୦୨୨ରେ କରୋନା ସଂକ୍ରମିତ ହୋଇଥିଲେ।