ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନିଆ ଗାନ୍ଧୀ | News Room Odisha

ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର ସନ୍ଧ୍ୟାରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଘରେ ବିଶ୍ରାମ ନେବାକୁ ଡାକ୍ତରମାନେ ତାଙ୍କୁ ପରାମର୍ଶ ଦେଇଛନ୍ତି।

ପାର୍ଟିର ସାଧାରଣ ସମ୍ପାଦକ ଜୟରାମ ରମେଶ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।

କରୋନା ଆକ୍ରାନ୍ତ ହେବା ପରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ୭୫ ବର୍ଷୀୟା ସୋନିଆ ଗାନ୍ଧୀ ଗତ ଜୁନ୍ ୧୨ରେ ସାର୍ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ସୋନିଆଙ୍କୁ ଆଜି ସନ୍ଧ୍ୟାରେ ସାର୍ ଗଙ୍ଗା ରାମ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ଏବଂ ଘରେ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି ବୋଲି ରମେଶ କହିଛନ୍ତି।

କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି ଯେ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ସୋନିଆ ଗାନ୍ଧୀଙ୍କ ଶ୍ୱାସକ୍ରିୟାରେ ‘ଫଙ୍ଗଲ୍ ସଂକ୍ରମଣ’ ହୋଇଥିବା ଜଣାପଡ଼ିଥିଲା ।

ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ସୋନିଆ ଗାନ୍ଧୀଙ୍କୁ ନୂଆ ସମନ ଜାରି କରି ଜୁନ୍ ୨୩ରେ ହାଜର ହେବା ପାଇଁ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କହିଥିଲା ।

ତା’ ପୂର୍ବରୁ ସୋନିଆ ଗାନ୍ଧୀଙ୍କୁ ଜୁନ୍ ୮ରେ ହାଜର ହେବାକୁ କୁହାଯାଇଥିଲା, କିନ୍ତୁ କରୋନା ସଂକ୍ରମିତ ହୋଇଥିବାରୁ ତାଙ୍କୁ କେନ୍ଦ୍ରୀୟ ସଂସ୍ଥାରେ ହାଜର ହେବାକୁ ଏକ ନୂଆ ତାରିଖ ଦେବାକୁ ଅନୁରୋଧ କରାଯାଇଥିଲା ।

ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପଚରାଉଚରା ଜାରି ରଖିଛି ଏବଂ ସେ ସୋମବାର ପୁଣିଥରେ ଇଡି ସମ୍ମୁଖରେ ଚତୁର୍ଥ ଥର ପାଇଁ ହାଜର ହୋଇଥିଲେ।