ଜି-୨୦ ନୈଶଭୋଜି ପାଇଁ ସୋନିଆ, ଖଡ଼ଗେଙ୍କୁ କରାଯାଇନି ନିମନ୍ତ୍ରଣ | News Room Odisha

ଜି-୨୦ ନୈଶଭୋଜି ପାଇଁ ସୋନିଆ, ଖଡ଼ଗେଙ୍କୁ କରାଯାଇନି ନିମନ୍ତ୍ରଣ

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଜି -୨୦ ଶିଖର ସମ୍ମିଳନୀ ସେପ୍ଟେମ୍ବର ୯ ଓ ୧୦ ଦୁଇଦିନ ଧରି ଜାତୀୟ ରାଜଧାନୀରେ ଅନୁଷ୍ଠିତ ହେବ | ଏଥିପାଇଁ ପୂରା ଦିଲ୍ଲୀ ସଜେଇ ହୋଇଛି | ଏହି ମେଗା ଇଭେଣ୍ଟରେ ଭାଗ ନେବାକୁ ସାରା ବିଶ୍ବର ପ୍ରମୁଖ ନେତା ଓ ପ୍ରତିନିଧିଙ୍କ ଦିଲ୍ଲୀ ଆଗମନ ଆରମ୍ଭ ହୋଇଛି । ଏହି ଅବସରରେ ରାଷ୍ଟ୍ରପତି ଭବନ ତରଫରୁ ଏକ ନୈଶଭୋଜି ଆୟୋଜନ କରାଯାଇଛି । ଏଥିରେ ବିଦେଶୀ ପ୍ରତିନିଧିଙ୍କ ସହ ଦେଶର ସାଂସଦ, ମନ୍ତ୍ରୀ ଓ କିଛି ବରିଷ୍ଠ ନେତା ସାମିଲ ହେବେ ।

ସୂତ୍ରରୁ ପ୍ରକାଶ ଯେ ଜି -୨୦ ଶିଖର ସମ୍ମିଳନୀର ନୈଶଭୋଜି ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଏଚଡି ଦେବ ଗୌଡ଼ଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଏହି ଉଭୟ ନେତା ଏହି ନୈଶଭୋଜିରେ ଯୋଗଦେବେ ବୋଲି ଆଶା କରାଯାଉଛି।

ରାଷ୍ଟ୍ରପତିଙ୍କ ଜି-୨୦ ନୈଶଭୋଜି ପାଇଁ ସମସ୍ତ କ୍ୟାବିନେଟ ଏବଂ ରାଷ୍ଟ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ ପଠାଯାଇଛି। କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଅତିଥି ତାଲିକାରେ ଦେଶର ବଡ଼ ବଡ଼ ଶିଳ୍ପପତିଙ୍କ ସମେତ ସମସ୍ତ ସଚିବ ଏବଂ ଅନ୍ୟ ଭିଭିଆଇପି ଅତିଥି ରହିଛନ୍ତି | ତେବେ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଏହି ନୈଶଭୋଜି ପାଇଁ ନିମନ୍ତ୍ରଣ କରାଯାଇ ନାହିଁ।

ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ନୈଶଭୋଜିରେ ନିମନ୍ତ୍ରିତ ମୁଖ୍ୟମନ୍ତ୍ରୀ ତାଲିକାରେ ନୀତୀଶ କୁମାର, ହେମନ୍ତ ସୋରେନ, ମମତା ବାନାର୍ଜୀ, ଏମକେ ଷ୍ଟାଲିନ, ଅରବିନ୍ଦ କେଜ୍ରିୱାଲ, ଭଗବନ୍ତ ମାନ ପ୍ରମୁଖ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ଅଛନ୍ତି ।

ଭାରତ ପ୍ରଥମ ଥର ପାଇଁ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରୁଛି। ତେବେ ଏଥିରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗଦେବେ ନାହିଁ। ଏହି ଜି-୨୦ ଶିଖର ସମ୍ମିଳନୀରେ ଚୀନ୍ ତରଫରୁ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଏବଂ ରୁଷର ପ୍ରତିନିଧିତ୍ୱ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ କରିବେ।

ଜି -୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ରାଷ୍ଟ୍ର ହେଲେ ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ବ୍ରିଟେନ, ଜାପାନ, ସାଉଦି ଆରବ, କୋରିଆ, ଇଜିପ୍ଟ, ଅଷ୍ଟ୍ରେଲିଆ, ଆମେରିକା, କାନାଡା, ଚୀନ୍, ୟୁଏଇ, ବ୍ରାଜିଲ, ଇଣ୍ଡୋନେସିଆ, ତୁର୍କୀ ସ୍ପେନ୍, ଜର୍ମାନୀ, ଫ୍ରାନ୍ସ, ମେକ୍ସିକୋ, ୟୁରୋପୀୟ ୟୁନିଅନ୍, ସିଙ୍ଗାପୁର, ନାଇଜେରିଆ, ଆର୍ଜେଣ୍ଟିନା, ଇଟାଲୀ । ଏଥର ଆଫ୍ରିକୀୟ ସଂଘକୁ ବିଶେଷ ଆମନ୍ତ୍ରଣ କରାଯାଇଛି ।