ଭାରତୀୟ ରାଜନୀତିରେ ସୋସିଆଲ ମିଡ଼ିଆ କମ୍ପାନୀ ଗୁଡ଼ିକର ହସ୍ତକ୍ଷେପ ଶେଷ କରିବାକୁ ସୋନିଆଙ୍କ ଦାବି | News Room Odisha

ଭାରତୀୟ ରାଜନୀତିରେ ସୋସିଆଲ ମିଡ଼ିଆ କମ୍ପାନୀ ଗୁଡ଼ିକର ହସ୍ତକ୍ଷେପ ଶେଷ କରିବାକୁ ସୋନିଆଙ୍କ ଦାବି

ନୂଆଦିଲ୍ଲୀ: ନିର୍ବାଚନୀ ରାଜନୀତିରେ ସୋସିଆଲ ମିଡିଆ କମ୍ପାନୀଗୁଡିକର ଯୋଜନାବଦ୍ଧ ପ୍ରଭାବ ଓ ହସ୍ତକ୍ଷେପ ଗଣତନ୍ତ୍ର ପ୍ରତି ବିପଦ ବୋଲି କହି ଏହାକୁ ଶେଷ କରିବାକୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଦାବି କରିଛନ୍ତି ।

ଲୋକସଭାରେ ପ୍ରଶ୍ନକାଳ ସମୟରେ ସେ ଏହି ପ୍ରସଙ୍ଗ ଉଠାଇଥିଲେ । କିଛି ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟର ଉଲ୍ଲେଖ ପୂର୍ବକ ସୋନିଆ ଅଭିଯୋଗ କରିଥିଲେ ଯେ ଶାସକ ଦଳର ସହ ମନ୍ତ୍ରଣାରେ ସୋସିଆଲ ମିଡିଆ କମ୍ପାନୀଗୁଡିକର ଅପବ୍ୟବହାର କରାଯାଉଅଛି ।

ଗଣତନ୍ତ୍ରକୁ ହ୍ୟାକ୍ କରିବା ପାଇଁ ସୋସିଆଲ ମିଡିଆର ଅପବ୍ୟବହାର କରାଯାଉଛି ବୋଲି ସୋନିଆ କହିଛନ୍ତି।

ସେ କହିଛନ୍ତି ଯେ ଶାସକ ଦଳର ମନ୍ତ୍ରଣା ସହ ଫେସବୁକ୍ ଏବଂ ଅନ୍ୟାନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଯେଉଁଭଳି ସାମାଜିକ ସୌହାର୍ଦ୍ଦ୍ୟକୁ ପ୍ରଭାବିତ କରାଯାଉଛି ତାହା ଆମ ଗଣତନ୍ତ୍ର ପାଇଁ ବିପଦ।

କଂଗ୍ରେସ ସଭାପତି କହିଛନ୍ତି, ବିଶ୍ବର ସର୍ବବୃହତ ଗଣତନ୍ତ୍ରର ନିର୍ବାଚନୀ ରାଜନୀତିରେ ଶାସକ ଗୋଷ୍ଠୀ ସହ ମିଶି ଫେସବୁକ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ଦ୍ୱାରା ବ୍ୟବସ୍ଥିତ ପ୍ରଭାବକୁ ବନ୍ଦ କରିବାକୁ ସରକାରଙ୍କୁ ଅନୁରୋଧ।ଦେଶର ଗଣତନ୍ତ୍ର ଏବଂ ସାମାଜିକ ସୌହାର୍ଦ୍ଦ୍ୟ ରକ୍ଷା କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।