ଅଗ୍ନିପଥ ଯୋଜନାକୁ ଦିଶାହୀନ କହିଲେ ସୋନିଆ, ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରିବାକୁ ଆଶାୟୀ ପ୍ରାର୍ଥୀଙ୍କୁ ଅପିଲ କଲେ | News Room Odisha

ଅଗ୍ନିପଥ ଯୋଜନାକୁ ଦିଶାହୀନ କହିଲେ ସୋନିଆ, ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରିବାକୁ ଆଶାୟୀ ପ୍ରାର୍ଥୀଙ୍କୁ ଅପିଲ କଲେ

ନୂଆଦିଲ୍ଲୀ: ଦେଶରେ ଅଗ୍ନିପଥ ଯୋଜନା ବିରୋଧରେ ଚାଲିଥିବା ଜୋରଦାର ଆନ୍ଦୋଳନ ଉପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପ୍ରତିକ୍ରିୟା ରଖିଛନ୍ତି । ନିଜର ନ୍ୟାଯ୍ୟ ଦାବି ପାଇଁ ଶାନ୍ତିପୂର୍ଣ୍ଣ ତଥା ବିନା ହିଂସାରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଆଶାୟୀ ପ୍ରାର୍ଥୀଙ୍କୁ ଅପିଲ କରିଛନ୍ତି।

ସେ କହିଛନ୍ତି, “ସେନାବାହିନୀରେ ଲକ୍ଷ ଲକ୍ଷ ପଦବୀ ଖାଲି ଥାଇ ମଧ୍ୟ ଗତ ତିନିବର୍ଷ ମଧ୍ୟରେ ନିଯୁକ୍ତି ନହେବା ଯନ୍ତ୍ରଣା ମୁଁ ବୁଝିପାରୁଛି। ବାୟୁସେନା ନିଯୁକ୍ତି ପରୀକ୍ଷା ଦେଇ ଫଳାଫଳ ଏବଂ ନିଯୁକ୍ତିକୁ ଅପେକ୍ଷା କରିଥିବା ଯୁବକମାନଙ୍କ ସହ ମୋର ସମବେଦନା ରହିଛି।”

ସୋନିଆ କହିଛନ୍ତି, “ମୁଁ ଦୁଃଖିତ ଯେ ସରକାର ଆପଣଙ୍କ ସ୍ୱରକୁ ଉପେକ୍ଷା କରି ନୂଆ ସେନା ନିଯୁକ୍ତି ଯୋଜନା ଘୋଷଣା କରିଛନ୍ତି, ଯାହା ସମ୍ପୂର୍ଣ୍ଣ ଦିଶାହୀନ ଅଟେ। ଆପଣଙ୍କ ସହ ବହୁ ଅବସରପ୍ରାପ୍ତ ସେନା କର୍ମଚାରୀ ତଥା ପ୍ରତିରକ୍ଷା ବିଶେଷଜ୍ଞ ମଧ୍ୟ ଏହି ଯୋଜନା ଉପରେ ପ୍ରଶ୍ନ ଉଠାଇଛନ୍ତି।”

ସେ କହିଛନ୍ତି ଯେ ଏହି ଯୋଜନାକୁ ବିରୋଧ କରୁଥିବା ଲୋକଙ୍କ ସହ କଂଗ୍ରେସ ଦୃଢ ଭାବେ ଠିଆ ହୋଇଛି ଏବଂ ଏହି ଯୋଜନାକୁ ପ୍ରତ୍ୟାହାର କରିବା ଏବଂ ଆପଣଙ୍କ ସ୍ୱାର୍ଥ ରକ୍ଷା କରିବାକୁ ଲଢ଼ିବାକୁ ପ୍ରତିଶ୍ରୁତି ଦେଉଛି।