ନ୍ୟାସନାଲ ହେରାଲ୍ଡ ମାମଲା: ଆଜି ଦ୍ବିତୀୟ ପର୍ଯ୍ୟାୟ ଜେରାର ସମ୍ମୁଖୀନ ହେବେ ସୋନିଆ | News Room Odisha

ନ୍ୟାସନାଲ ହେରାଲ୍ଡ ମାମଲା: ଆଜି ଦ୍ବିତୀୟ ପର୍ଯ୍ୟାୟ ଜେରାର ସମ୍ମୁଖୀନ ହେବେ ସୋନିଆ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ମଙ୍ଗଳବାର ଦ୍ୱିତୀୟ ରାଉଣ୍ଡ ଜେରା କରାଯିବ । ଏହି ସମୟରେ ସଂସଦ ଭିତରେ ଓ ବାହାରେ ବିରୋଧ ପାଇଁ କଂଗ୍ରେସ ଦଳ ଯୋଜନା କରିଛି। ସୋମବାର ଦଳର ମୁଖ୍ୟାଳୟରେ କଂଗ୍ରେସର ସାଧାରଣ ସଚିବ, ଦଳର ରାଜ୍ୟ ଦାୟିତ୍ବ ପ୍ରଭାରୀ ଏବଂ ସାଂସଦମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସୋନିଆଙ୍କୁ ଜେରା ବିରୋଧରେ ଆନ୍ଦୋଳନ ରଣନୀତି ଉପରେ ଆଲୋଚନା କରାଯାଇଥିଲା। ଏହା ପୂର୍ବରୁ ମଧ୍ୟ ପ୍ରଥମ ପର୍ଯ୍ୟାୟ ଜେରା ବେଳେ କଂଗ୍ରେସ ସାରା ଦେଶରେ ପ୍ରଦର୍ଶନ କରିଥିଲା ​​ଏବଂ ବହୁ ବଡ଼ ନେତାଙ୍କୁ ଅଟକ ରଖାଯାଇଥିଲା।

ନ୍ୟାସନାଲ ହେରାଲ୍ଡ ମାମଲାରେ ଗତ ସପ୍ତାହରେ ସୋନିଆ ପ୍ରଥମ ପର୍ଯ୍ୟାୟ ଜେରାର ସମ୍ମୁଖୀନ ହୋଇଥିଲେ । ଇଡି ତାଙ୍କୁ ପ୍ରାୟ ଦୁଇ ଘଣ୍ଟା ପଚରାଉଚରା କରିଥିଲା । ଏହି ସମୟରେ କଂଗ୍ରେସ ସଭାପତିଙ୍କ ସହ ଡାକ୍ତରଙ୍କ ଏକ ଟିମ୍ ଏବଂ ଆମ୍ବୁଲାନ୍ସ ମଧ୍ୟ ନିୟୋଜିତ କରାଯାଇଥିଲା ଯାହା ଫଳରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇପାରିବ। ନିକଟରେ ସୋନିଆ ଗାନ୍ଧୀ କରୋନାରୁ ସୁସ୍ଥ ହୋଇଛନ୍ତି ଏବଂ ଏହି କାରଣରୁ ସେ ଇଡିରେ ହାଜର ହେବାକୁ ସମୟ ମାଗିଥିଲେ। ପ୍ରଥମ ରାଉଣ୍ଡ ପଚରାଉଚରା ବେଳେ ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଦୁଇଥର ଇଡି କାର୍ଯ୍ୟାଳୟରେ ପହଞ୍ଚି ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।