ରାଜସ୍ଥାନରୁ ରାଜ୍ୟସଭା ପ୍ରାର୍ଥୀ ହେବେ ସୋନିଆ, ଆଜି ନାମାଙ୍କନ ପତ୍ର ଦାଖଲ କରିବେ | News Room Odisha

ରାଜସ୍ଥାନରୁ ରାଜ୍ୟସଭା ପ୍ରାର୍ଥୀ ହେବେ ସୋନିଆ, ଆଜି ନାମାଙ୍କନ ପତ୍ର ଦାଖଲ କରିବେ

ନୂଆଦିଲ୍ଲୀ / ଜୟପୁର: କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀ ରାଜସ୍ଥାନରୁ ଦଳର ରାଜ୍ୟସଭା ପ୍ରାର୍ଥୀ ହେବେ । ସେ ଆଜି ନାମାଙ୍କନପତ୍ର ଦାଖଲ କରିବେ ବୋଲି ପାର୍ଟି ସୂତ୍ରରୁ ସୂଚନା ମିଳିଛି ।

ସୋନିଆ ଗାନ୍ଧୀ ବୁଧବାର ଜୟପୁରରେ ନାମାଙ୍କନପତ୍ର ଦାଖଲ କରିବେ। ଏହି ଅବସରରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ରହିପାରନ୍ତି।

କଂଗ୍ରେସ ଖୁବ୍ ଶୀଘ୍ର ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିବ। ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବା ଶେଷ ତାରିଖ ହେଉଛି ୧୫ ଫେବୃଆରୀ ।

ସୋନିଆ ଗାନ୍ଧୀ ୧୯୯୯ ମସିହାରୁ କ୍ରମାଗତ ଭାବେ ଲୋକସଭାର ସଦସ୍ୟ ରହିଆସିଛନ୍ତି । ବର୍ତ୍ତମାନ ସେ ଉତ୍ତର ପ୍ରଦେଶର ରାଏବରେଲି ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି। ସେ ଆମେଥି ଲୋକସଭା ଆସନରୁ ମଧ୍ୟ ନିର୍ବାଚିତ ହୋଇଛନ୍ତି । ସୋନିଆ ପ୍ରଥମ ଥର ପାଇଁ ରାଜ୍ୟସଭା ଯିବେ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ସେ ରାଜ୍ୟସଭାକୁ ଯିବାରେ ଗାନ୍ଧୀ ପରିବାରର ଦ୍ୱିତୀୟ ସଦସ୍ୟ ହେବେ। ଇନ୍ଦିରା ଗାନ୍ଧୀ ଅଗଷ୍ଟ ୧୯୬୪ ରୁ ଫେବୃଆରୀ ୧୯୬୭ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟା ଥିଲେ। ରାଜ୍ୟସଭା ଗଲେ ସୋନିଆ ଗାନ୍ଧୀ ଆଗାମୀ ଲୋକସଭା ନିର୍ବାଚନ ​​ଲଢିବା ସମ୍ଭାବନା କମ୍। ରାଜ୍ୟସଭା ନିର୍ବାଚନ ପାଇଁ ଦଳ ଆନୁଷ୍ଠାନିକ ଭାବେ କୌଣସି ପ୍ରାର୍ଥୀ ଘୋଷଣା କରିନାହିଁ।

ସୋନିଆ ଗାନ୍ଧୀ ୨୦୧୯ରେ ଘୋଷଣା କରିଥିଲେ ଯେ ଏହା ତାଙ୍କ ଶେଷ ଲୋକସଭା ନିର୍ବାଚନ ହେବ। ସୋନିଆ ଗାନ୍ଧୀ ଏଥର ଲୋକସଭା ନିର୍ବାଚନ ​​ନ ଲଢ଼ିଲେ ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଏବରେଲି ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ବନ୍ଦିତା କରିପାରନ୍ତି ।

କର୍ଣ୍ଣାଟକ, ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ହିମାଚଳ ପ୍ରଦେଶରୁ ରାଜ୍ୟସଭା ଆସନ ଜିତିବା ସ୍ଥିତିରେ ଅଛି କଂଗ୍ରେସ ।

ରାଜସ୍ଥାନରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଜ୍ୟସଭା କାର୍ଯ୍ୟକାଳ ଚଳିତ ବର୍ଷ ଏପ୍ରିଲରେ ଶେଷ ହେବ। କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ କାର୍ଯ୍ୟକାଳ ମଧ୍ୟ ଏପ୍ରିଲରେ ଶେଷ ହେଉଛି। ନିକଟରେ ରାଜ୍ୟସଭାରୁ ଇସ୍ତଫା ଦେଇଥିବା କିରୋରୀ ଲାଲ ମୀନାଙ୍କ କାର୍ଯ୍ୟକାଳ ମଧ୍ୟ ଏପ୍ରିଲରେ ଶେଷ ହେବ। ବିଜେପି ପୂର୍ବରୁ ହିଁ ରାଜସ୍ଥାନରୁ ମଦନ ରାଠୋର ଏବଂ ଚୁନିଲାଲ ଗରାସିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି।

ରାଜସ୍ଥାନ କଂଗ୍ରେସ କମିଟି ଏଠାରୁ ସୋନିଆ ଗାନ୍ଧୀଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିବାକୁ ଦଳର ନେତୃତ୍ୱଙ୍କୁ ଅନୁରୋଧ କରିଥିଲା ।

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଫେବୃଆରୀ ୮ରୁ ଆରମ୍ଭ ହୋଇଛି। ଫେବୃଆରୀ ୧୬ରେ ନାମାଙ୍କନପତ୍ରର ଯାଞ୍ଚ ହେବ । ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ ହେଉଛି ଫେବୃଆରୀ ୨୦ ।ଆବଶ୍ୟକ ହେଲେ ଫେବୃଆରୀ ୨୭ରେ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ । ସେହି ଦିନ ହିଁ ଫଳାଫଳ ଘୋଷଣା ହେବ।