ପ୍ରଥମ ଦିନିକିଆ: ଦକ୍ଷିଣ ଆଫ୍ରିକା ଠାରୁ ୩୧ ରନରେ ହାରିଲା ଭାରତ | News Room Odisha

ପ୍ରଥମ ଦିନିକିଆ: ଦକ୍ଷିଣ ଆଫ୍ରିକା ଠାରୁ ୩୧ ରନରେ ହାରିଲା ଭାରତ

ପାର୍ଲ: ଅଧିନାୟକ ତେମ୍ବା ବାଭୁମା ଓ ରାସି ଭାନ୍ ଡର୍ ଡୁସେନଙ୍କ ଆକର୍ଷଣୀୟ ଶତକ ସହାୟତାରେ ଦକ୍ଷିଣ ଆଫ୍ରିକା ବୁଧବାର ବୋଲାଣ୍ଡ ପାର୍କରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଭାରତକୁ ୩୧ ରନରେ ହରାଇ ଦେଇଛି । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିିଛି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା, ବାଭୁମା ଓ ଡୁସେନଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍ ହରାଇ ୨୯୬ ରନର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା । ବାଭୁମା ୧୪୩ ବଲରେ ୮ଟି ଚୌକା ସହ ୧୧୦ ଓ ଡୁସେନ୍ ମାତ୍ର ୯୬ ବଲରେ ୯ଟି ଚୌକା ଓ ୪ଟି ଛକା ସହାୟତାରେ ବିସ୍ଫୋରକ ୧୨୯ ରନ୍ କରିଥିଲେ । ଭାରତ ୨୯୭ ରନର ବିଜୟଲକ୍ଷ୍ୟ ଜବାବରେ ୮ ୱିକେଟ୍ ହରାଇ କେବଳ ୨୬୫ ରନ୍ କରିବାକୁ ସମର୍ଥ ହୋଇଥିଲା । ଦଳ ପକ୍ଷରୁ ଦୀର୍ଘ ଦିନ ପରେ ଫେରିଥିବା ଭେଟେରାନ ଓପନର ଶିଖର ଧାୱନ ୭୯ ରନ୍ କରିଥିବା ବେଳେ ବିରାଟ କୋହଲି ୫୧ ରନ୍ କରିଥିଲେ । ଶେଷ ଆଡ଼କୁ ଶାର୍ଦ୍ଦୁଲ ଠାକୁର ଲଢୁଆ ୫୦ ରନ୍ କରି ଅପରାଜିତ ରହିଥିଲେ ମଧ୍ୟ ଭାରତ ପରାଜୟରୁ ବର୍ତ୍ତି ପାରିନଥିଲା । ଅଧିନାୟକ କେଏଲ ରାହୁଲ (୧୨), ରିଷଭ ପନ୍ତ (୧୬), ଶ୍ରେୟାସ ଆୟର (୧୭) ଫେଲ୍ ମାରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁନଗି ଏନଗିଡି, ତାବ୍ରେଜ ସାମସି ଓ ଆଣ୍ଡିଲେ ଫେଲୁକାୟୋ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।ବୋଲାଣ୍ଡ ପାର୍କରେ ଖେଳାଯାଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଭାରତର ଭାଇସ୍-କ୍ୟାପଟେନ୍ ତଥା ଏକ ନମ୍ବର ବୋଲର ଯଶପ୍ରୀତ ବୁମ୍ରା ଘରୋଇ ଦଳର ଓପ୍ନର ଜାନେମନ୍ ମଲାନ୍ (୬)ଙ୍କୁ ଆଉଟ୍ କରିଥିଲେ। ଅନ୍ୟତମ ଓପ୍ନର କ୍ୱିଣ୍ଟନ୍ ଡି’କକ୍ (୨୭) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତାଙ୍କୁ ରବିଚନ୍ଦ୍ରନ୍ ଅଶ୍ୱିନ୍ କ୍ଲିନ୍ ବୋଲ୍ଡ କରିଥିଲେ। ଟେଷ୍ଟ ସିରିଜରେ ନୈରାଶ୍ୟଜନକ ବ୍ୟାଟିଂ କରିଥିବା ଏଡେନ୍ ମାର୍କରମ୍ (୪) ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ।

୬୮ ରନରେ ୩ ୱିକେଟ୍ ହରାଇ ଦକ୍ଷିଣ ଆଫ୍ରିକା ସଂକଟରେ ପଡ଼ିଥିବା ବେଳେ ବାଭୁମା ଓ ଡୁସେନ୍ ଜବରଦସ୍ତ ବ୍ୟାଟିଂ କରିଥିଲେ। ଡୁସେନ୍ ଆକ୍ରମଣାତ୍ମକ ବ୍ୟାଟିଂ କରି ଗୋଟିଏ ପଟେ ରନ୍ ଗତି ବଢ଼ାଇଥିବା ବେଳେ ବାଭୁମା ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ଦୁହେଁ ଧୀରେ ଧୀରେ ଦଳର ରନ୍ ରେଟ୍ ଓଭରପିଛା ୪ ଏବଂ ପରେ ୫କୁ ବଢ଼ାଇଥିଲେ। ବାଭୁମା ୭୬ ବଲରେ ଓ ଡୁସେନ୍ ୪୯ ବଲରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ଦୁଇ ଯୋଡ଼ିକୁ ଭାଙ୍ଗିବା ପାଇଁ ରାହୁଲ୍ ସବୁ ପ୍ରୟାସ ବୃଥା ଯାଇଥିଲା। ଏହିପରି ଭାବେ ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୨୦୪ ରନର ବଡ଼ ଭାଗିଦାରୀ କରି ଦକ୍ଷିଣ ଆଫ୍ରିକାକୁ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ।

ଉଭୟ ବାଭୁମା ଓ ଡୁସେନ୍ ସେମାନଙ୍କର ଦ୍ୱିତୀୟ ଦିନିକିଆ ଶତକ ପୂରଣ କରିବାରେ ସଫଳ ହୋଇଥିଲେ। ଶତକ ପୂରଣ କରିବା ପାଇଁ ବାଭୁମା ୧୩୩ ବଲ୍ ଓ ଡୁସେନ୍ ୮୩ ବଲର ସହାୟତା ନେଇଥିଲେ। ଶେଷରେ ଏହି ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଥିଲେ ବୁମ୍ରା। ବାଭୁମା ବ୍ୟକ୍ତିଗତ ୧୧୦ (୧୪୩ ବଲ୍, ୮ ଚୌକା) ରନ୍ କରି ରାହୁଲଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ତେବେ ଡୁସେନ୍ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ୨୯୬ ରନରେ ପହଞ୍ଚାଇଥିଲେ। ସେ ମାତ୍ର ୯୬ ବଲର ସାମ୍ନା କରି ୧୨୯ ରନ୍ ଅପରାଜିତ ଥିଲେ, ଯେଉଁଥିରେ ୯ ଚୌକା ଓ ୪ ଛକା ସାମିଲ୍ ଥିଲା। ଡେଭିଡ୍ ମିଲର୍ ୨ ରନ୍ କରି କ୍ରିଜରେ ଥିଲେ। ଭାରତ ପକ୍ଷରୁ ବୁମ୍ରା ୨ଟି ଓ ଅଶ୍ୱିନ ଗୋଟିଏ ୱିକେଟ୍ ନେଇଥିଲେ।