ଦୀପକ ଚହରଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ଭାରତ ପରାସ୍ତ, ଦିନିକିଆ ସିରିଜକୁ ୩-୦ରେ ଜିତିଲା ଦକ୍ଷିଣ ଆଫ୍ରିକା | News Room Odisha

ଦୀପକ ଚହରଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ଭାରତ ପରାସ୍ତ, ଦିନିକିଆ ସିରିଜକୁ ୩-୦ରେ ଜିତିଲା ଦକ୍ଷିଣ ଆଫ୍ରିକା

କେପ୍ ଟାଉନ୍: ଦୀପକ ଚହରଙ୍କ ଲଢୁଆ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ ରବିବାର ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆରେ ଘରୋଇ ଦକ୍ଷିଣ ଆଫ୍ରିକା ଠାରୁ ୪ ରନରେ ହାରିଯାଇଛି । ଦିନିକିଆ ସିରିଜରେ ଲଜ୍ଜାଜନକ ମୂଳପୋଛ ସହ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ ହୋଇଛି । ଟେଷ୍ଟ ସିରିଜକୁ ୨-୧ରେ ଜିତିବା ପରେ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କରିଛି ।

ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା, ଓପନର ଡି’କକଙ୍କ ଶତକ ବଳରେ ୪୯.୫ ଓଭରରେ ୨୮୭ ରନ୍ କରି ଅଲଆଉଟ୍ ହୋଇଥିଲା । ଭାରତ ୨୮୮ ରନର ବିଜୟଲକ୍ଷ୍ୟ ଜବାବରେ ଏକଦା ଭଲ ସ୍ଥିତିରେ ଥିଲେ ମଧ୍ୟ ପୁଣି ମିଡିଲ ଅର୍ଡର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପରାଜୟ ଆଶଙ୍କାରେ ପଡିଥିଲା । ହେଲେ ନିମ୍ନଭାଗ ବ୍ୟାଟ୍ସମ୍ୟାନ୍ ଦୀପକ ଚହର ଏକ ଆକ୍ରମଣାତ୍ମକ ଅର୍ଦ୍ଧଶତକ ସହ ଦଳର ବିଜୟ ଆଶା ଉଜ୍ଜୀବିତ କରିଥିଲେ । ତେବେ ଭାରତକୁ ଶେଷ ୧୮ ବଲରେ ୧୦ ରନ୍ ଆବଶ୍ୟକ ହେଉଥିବା ବେଳେ ଚହର ଆଉଟ୍ ହୋଇଯାଇଥିଲେ । ଚହରଙ୍କ ୱିକେଟ୍ ପରେ ଭାରତର ଆଶା ମଉଳି ଯାଇଥିଲା । ୨୮୮ ରନର ବିଜୟଲକ୍ଷ୍ୟ ଜବାବରେ ଭାରତ ୪୯.୨ ଓଭରରେ ୨୮୩ ରନ୍ କରି ଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଚହର ମାତ୍ର ୩୪ ବଲରେ ୫ଟି ଚୌକା ଓ ୨ଟି ଛକା ସହ ଆକର୍ଷଣୀୟ ୫୪ ରନ୍ କରିଥିଲେ । କୋହଲି ୬୫ ରନ୍ କରିଥିବା ବେଳେ ସିରିଜରେ ପ୍ରଥମ ଥର ଖେଳୁଥିବା ସୂର୍ଯ୍ୟକୁମାର ଯାଦବ ୩୯ ରନ୍ ଓ ଶ୍ରେୟସ ଆୟର ୨୬ ରନ୍ କରିଥିଲେ । ଅଧିନାୟକ କେଏଲ୍ ରାହୁଲ ପୁଣିଥରେ ବିଫଳ ହୋଇଥିଲେ । ସେ ମାତ୍ର ୯ରନ୍ କରିଥିବା ବେଳେ ରିଷଭ ପନ୍ତ ଖାତା ବି ଖୋଲି ପାରିନଥିଲେ । ଦକ୍ଷିଣ ଆଫ୍ରିକା ତରଫରୁ ଲୁନଗି ଏନଗିଡି ଓ ଆଣ୍ଡିଲେ ଫେଲୁକାୟୋ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ପୂର୍ବରୁ ଭାରତ କ୍ୟାପଟେନ୍ ଲୋକେଶ ରାହୁଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ମ୍ୟାଚରେ ଭାତର ଏକାଧିକ ପରିବର୍ତ୍ତନ ସହ ଓହ୍ଲାଇଥିଲା। ଏହି ପରିବର୍ତ୍ତନ ପରେ ଭାରତକୁ ପ୍ରାରମ୍ଭିକ ସଫଳତା ମଧ୍ୟ ମିଳିଥିଲା। ଦ୍ୱିତୀୟ ମ୍ୟାଚରେ ଦମଦାର ବ୍ୟାଟିଂ କରିଥିବା ଜାନେମନ୍ ମଲାନ୍ ମାତ୍ର ୧ ରନ୍ କରି ଦୀପକ ଚହରଙ୍କ ଶିକାର ହୋଇଥିଲେ। କ୍ୟାପଟେନ୍ ତେମ୍ବା ବାଭୁମା (୮) ଓ ଏଡେନ୍ ମାର୍କରମ୍ (୧୫) ନିରାଶ କରିଥିଲେ।

୭୦ ରନରେ ୩ ୱିକେଟ୍ ହରାଇ ସଂକଟରେ ପଡ଼ିଥିବା ଦକ୍ଷିଣ ଆଫ୍ରିକାକୁ ଟ୍ରାକକୁ ଆଣିଥିରେ ଡି’କକ୍ ଓ ଡୁସେନ୍। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୧୪୪ ରନର ଶତକୀୟ ଭାଗିଦାରୀ କରିଥିଲେ। ଡି’କକ୍ ୧୦୮ ବଲରେ ନିଜର ସପ୍ତମ ଦିନିକିଆ ଶତକ ପୂରଣ କରିଥିଲେ। ଶତକ ମାରିବା ପରେ ସେ ଦ୍ରୁତ ରନ୍ କରିବା ପ୍ରୟାସରେ ଆଉଟ୍ ହୋଇଥିଲେ। ତାଙ୍କୁ ଯଶପ୍ରୀତ ବୁମ୍ରା ପ୍ୟାଭିଲିୟନ୍ ପଠାଇଥିଲେ। ଡି’କକ୍ ୧୨୪ (୧୩୦ ବଲ୍, ୧୨ ଚୌକା, ୨ ଛକା) ରନ୍ କରିଥିଲେ। ପରେ ଡୁସେନ୍ (୫୨) ମଧ୍ୟ ଅର୍ଦ୍ଧଶତକ ପୂରଣ କରି ୟୁଜବେନ୍ଦ୍ର ଚହଲଙ୍କ ଶିକାର ହୋଇଥିଲେ।

ଏହା ପରେ ଡେଭିଡ୍ ମିଲର୍ ଓ ଡ୍ୱେନ୍ ପ୍ରିଟୋରିୟସ୍ ସପ୍ତମ ୱିକେଟ୍ ପାଇଁ ୪୪ ରନ୍ ଯୋଡ଼ି ଦକ୍ଷିଣ ଆଫ୍ରିକାକୁ ଭଲ ସ୍କୋରରେ ପହଞ୍ଚାଇଥିଲେ। ପ୍ରିଟୋରିୟସ୍ ୨୦ ରନ୍ କରି ପ୍ରସିଦ୍ଧ କ୍ରିଷ୍ଣାଙ୍କ ଶିକାର ହୋଇଥିଲେ। ମିଲର୍ ୩୮ ବଲରେ ୩୯ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଲୋୟର୍ ଅର୍ଡରରେ ଆଣ୍ଡିଲେ ଫେଲୁକୱାୟୋ (୪), କେଶବ ମହାରାଜ (୬), ସିସାନ୍ଦା ମଗଲା (୦) ନିରାଶ କରିଥିଲେ। ଭାରତ ପକ୍ଷରୁ କ୍ରିଷ୍ଣା ୩ଟି, ଦୀପକ ଚହର୍ ଓ ବୁମ୍ରା ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।