ଦ୍ୱିତୀୟ ଟି୨୦: ବାରବାଟୀରେ ନିରାଶ କଲା ଭାରତ, ଦକ୍ଷିଣ ଆଫ୍ରିକା ୪ ୱିକେଟରେ ବିଜୟୀ | News Room Odisha

ଦ୍ୱିତୀୟ ଟି୨୦: ବାରବାଟୀରେ ନିରାଶ କଲା ଭାରତ, ଦକ୍ଷିଣ ଆଫ୍ରିକା ୪ ୱିକେଟରେ ବିଜୟୀ

କଟକ: ପ୍ରଥମ ମ୍ୟାଚରେ ହାରିବା ପରେ ବାରବାଟୀରେ ଉନ୍ନତ ପ୍ରଦର୍ଶନ ସହ ଭାରତୀୟ ଦଳ ପ୍ରତ୍ୟାବର୍ତ୍ତନ କରିବ ବୋଲି ଆଶା ରଖିଥିଲେ ଓଡ଼ିଶାର କ୍ରିକେଟ୍ ପ୍ରେମୀ । ହେଲେ ଏଠାରେ ବି ନିରାଶ କରିଛି ଟିମ୍ ଇଣ୍ଡିଆ । ବ୍ୟାଟ୍ସମ୍ୟାନଙ୍କ ଫ୍ଲପ୍ ଶୋ ଯୋଗୁଁ ରବିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ରେ ଦକ୍ଷିଣ ଆଫ୍ରିକା ଠାରୁ ୪ ୱିକେଟରେ ହାରିଯାଇଛି ଭାରତ । କ୍ରମାଗତ ବିଜୟ ସହ ଦକ୍ଷିଣ ଆଫ୍ରିକା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି । ସିରିଜରେ ଦ୍ୱିତୀୟ ଥର ଟସ୍ ହାରି ବ୍ୟାଟିଂ ଆମନ୍ତ୍ରିତ ହେବା ପରେ ଭାରତ ୬ ୱିକେଟ୍ ହରାଇ ମାତ୍ର ୧୪୮ ରନ୍ କରିବାକୁ ସମର୍ଥ ହୋଇଥିଲା । କ୍ୟାପଟେନ ରିଷଭ ପନ୍ତଙ୍କ ସହ ଦଳର ସବୁ ବ୍ୟାଟ୍ସମ୍ୟାନ୍ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲେ । କେହି ବି ଅର୍ଦ୍ଧଶତକ ହାସଲ କରିପାରିନଥିଲେ । ଏହାର ଜବାବରେ ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ୧୦ଟି ବଲ୍ ଓ ୪ଟି ୱିକେଟ୍ ବାକିଥାଇ ମ୍ୟାଚ୍ ଜିତି ନେଇଥିଲା । ବାରବାଟୀରେ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଏହା କ୍ରମାଗତ ଦ୍ୱିତୀୟ ବିଜୟ । ଏହା ପୂର୍ବରୁ ଏଠାରେ ୨୦୧୫ରେ ଅନୁଷ୍ଠିତ ଟି୨୦ରେ ବି ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା ।

୧୪୯ ରନର ଟାର୍ଗେଟ୍ ଜବାବରେ ଦକ୍ଷିଣ ଆଫ୍ରିକା ଶୀଘ୍ର ୩ଟି ୱିକେଟ୍ ହରାଇଥିଲା । ରୀଜା ହେଣ୍ଡ୍ରିକ୍ସ (୪)ଙ୍କୁ ପ୍ରଥମ ଓଭରରେ ଆଉଟ୍ କରିଥିଲେ ଭୁବନେଶ୍ୱର କୁମାର । ଏହାପରେ ସେ ଡୁଏନ୍ ପ୍ରିଟୋରିୟସ (୪)ଙ୍କୁ ବି ପ୍ୟାଭିଲିୟନ୍ ଫେରାଇଥିଲେ । ଦିଲ୍ଲୀ ମ୍ୟାଚର ହିରୋ ଭାନ୍ ଡର ଡୁସେନ (୧)ଙ୍କୁ କ୍ଲିନ୍ ବୋଲ୍ଡ କରି ଭୁବନେଶ୍ୱର ଦକ୍ଷିଣ ଆଫ୍ରିକାକୁ ଆଉ ଏକ ଝଟକା ଦେଇଥିଲେ । ଦକ୍ଷିଣ ଆଫ୍ରିକା ୨୯ ରନରେ ୩ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ହେଲେ ହାଇନରିଚ୍ କ୍ଲାସେନଙ୍କ ଲଢୁଆ ଅର୍ଦ୍ଧଶତକ ସହାୟତାରେ ଦକ୍ଷିଣ ଆଫ୍ରିକା ବିଜୟଲକ୍ଷ୍ୟରେ ପହଞ୍ଚିଥିଲା । କ୍ଲାସେନ୍ ମାତ୍ର ୪୬ଟି ବଲରେ ୭ଟି ଚୌକା ଓ ୫ଟି ଛକା ସହ ଧୂଆଁଧାର ୮୧ ରନ୍ କରିଥିଲେ । କ୍ୟାପଟେନ୍ ତେମ୍ବା ବଭୁମା ୩୫ ରନ୍ କରିଥିବା ବେଳେ ଡେଭିଡ୍ ମିଲର ୨୦ ରନ୍ କରି ନଟ୍ ଆଉଟ୍ ରହିଥିଲେ । ଭାରତ ତରଫରୁ ଭୁବନେଶ୍ୱର ୪ଟି ୱିକେଟ୍ ନେଇଥିବା ବେଳେ ୟୁଜବେନ୍ଦ୍ର ଚହଲ ଓ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ । କ୍ଲାସେନ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ସିରିଜର ତୃତୀୟ ମ୍ୟାଚ୍ ବିଶାଖାପାଟଣାରେ ବୁଧବାର ଖେଳାଯିବ ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ପ୍ରଥମ ଓଭରରେ ଝଟକା ଲାଗିଥିଲା । ଋତୁରାଜ ଗାଏକୱାଡ(୧) ପୁଣି ବିଫଳ ହୋଇଥିଲେ । ସେ ପ୍ରଥମ ଓଭରରେ ହିଁ କାଜିସୋ ରବାଡାଙ୍କ ବଲରେ ଆଉଟ୍ ହୋଇଥିଲେ । ଏହି ପ୍ରାରମ୍ଭିକ ଝଟକା ପରେ ଇଶାନ କିଷନ ଏବଂ ଶ୍ରେୟସ ଆୟର ଦ୍ୱିତୀୟ ୱିକେଟରେ ୪୫ ରନ ଯୋଡିଥିଲେ । ପ୍ରଥମ ମ୍ୟାଚରେ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିବା କିଶାନ ନିଜ ଫର୍ମ ଜାରି ରଖି ଆରମ୍ଭରୁ ଆକର୍ଷଣୀୟ ସଟମାନ ଖେଳିଥିଲେ । କିନ୍ତୁ ସେ ଭଲ ଷ୍ଟାର୍ଟକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ । ଭଲ ବ୍ୟାଟିଂ କରୁଥିବା କିଶାନ ୨୧ ବଲରୁ ୨ ଚୌକା ଏବଂ ୩ ଛକା ସହ ୩୪ ରନ କରି ନର୍ଜେଙ୍କ ଶିକାର ହୋଇଥିଲେ । ଏହାପରେ କ୍ରିଜକୁ ଓହ୍ଲାଇଥିବା ଅଧିନାୟକ ଋଷଭ ପନ୍ତଙ୍କ ବ୍ୟାଟରୁ ବାରବାଟୀ ଦର୍ଶକ ଏକ ଧମାକାଦାର ପାଳିର ଆଶା ରଖିଥିଲେ । ହେଲେ ପନ୍ତ ନିରାଶ କରିଥିଲେ । ସେ ମାତ୍ର ୫ ରନ୍ କରି ଆଉଟ୍ ହେବା ପରେ ଭାରତକୁ ବଡ଼ ଝଟକା ଲାଗିଥିଲା । ତାଙ୍କୁ କେଶବ ମହାରାଜ ନିଜ ଶିକାର ବଳାଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା(୯) ମଧ୍ୟ ଅଧିକ ସମୟ ତିଷ୍ଠି ପାରିନଥିଲେ । କ୍ରିଜରେ ସେଟ୍ ଥିବା ଶ୍ରେୟସ ଆୟର ୪୦ ରନର ଉଲ୍ଲେଖନୀୟ ଇନିଂସ ଖେଳି ଦଳୀୟ ସ୍ଥିତି ସୁଧାରିବା ଉଦ୍ୟମ କରିଥିଲେ । ହେଲେ ସେ ପାଭିଲିୟନ ଫେରିବା ପରେ ଭାରତ ବଡ଼ ବଡ଼ ବିପଦରେ ପଡ଼ିଥିଲା । ଭାରତ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୯୮ ରନରେ ଅଧା ବ୍ୟାଟସମ୍ୟାନଙ୍କୁ ହରାଇଥିଲା ।

ଅକ୍ଷର ପଟେଲ୍ ୧୦ ରନ କରି ବିଦାୟ ନେଇଥିଲେ । ତେବେ ଦକ୍ଷିଣ ଆଫ୍ରିକା ବୋଲରଙ୍କ ମାପଚୁପ ବୋଲିଂ କାରଣରୁ ଭାରତୀୟ ବ୍ୟାଟସମ୍ୟାନ ବଡ ସଟ୍ ଖେଳିବାରେ ବିଫଳ ହୋଇଥିଲେ । ବିଶେଷ କରି ମଧ୍ୟ ଭାଗରେ ଭାରତର ରନ ଗତି ଧିମେଇ ଯାଇଥିଲା । ଶେଷ ଆଡକୁ ଦିନେଶ କାର୍ତ୍ତିକ ରନ୍ ଗତି ବଢ଼ାଇବାରେ ସଫଳ ହୋଇଥିଲେ । ଭାରତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୪୮ ରନ କରି ପାରିଥିଲା । ଶେଷ ଓଭରରେ ୧୮ ରନ ସଂଗ୍ରହ କରି ଭାରତ ଏହି ସ୍କୋରରେ ପହଞ୍ଚିବାକୁ ସମର୍ଥ ହୋଇଥିଲା । କାର୍ତ୍ତିକ ୨୧ ବଲରୁ ୨ ଚୌକା ଏବଂ ୨ ଛକା ସହ ୩୦ ରନର ଅପରାଜିତ ଇନିଂସ ଖେଳିଥିଲେ । ହର୍ଷଲ ପଟେଲ୍ ୧୨ ରନ କରି ଅପରାଜିତ ଥିଲେ ।
ଦକ୍ଷିଣ ଆଫ୍ରିକା ତରଫରୁ ନର୍ଜେ ୨ଟି ଓ୍ବିକେଟ୍ ନେଇଥିବା ବେଳେ ରବାଡା, ମହାରାଜ, ପାର୍ନେଲ୍, ପ୍ରିଟୋରିୟସ୍ ଗୋଟିଏ ଲେଖାଏଁ ଓ୍ବିକେଟ୍ ହାସଲ କରିଥିଲେ ।