ମିଲର୍, ଡୁସେନଙ୍କ ବିସ୍ଫୋରଣ: ପ୍ରଥମ ଟି-୨୦ରେ ଭାରତକୁ ୭ ଓ୍ବିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା | News Room Odisha

ମିଲର୍, ଡୁସେନଙ୍କ ବିସ୍ଫୋରଣ: ପ୍ରଥମ ଟି-୨୦ରେ ଭାରତକୁ ୭ ଓ୍ବିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ଡେଭିଲ୍ ମିଲର ଓ ରାସି ଭାନ୍ ଡର୍ ଡୁସେନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ଗୁରୁବାର ଅନୁଷ୍ଠିତ ପ୍ରଥମ ଟି୨୦ରେ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ଭାରତକୁ ହରାଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଇଶାନ କିଶାନଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ୪ ୱିକେଟ୍ ହରାଇ ୨୧୧ ରନର ବୃହତ ସ୍କୋର କରିଥିଲା । ହେଲେ ମିଲର, ଡୁସେନଙ୍କ ଅବିଭକ୍ତ ଶତକୀୟ ଭାଗିଦାରୀ ସହାୟତାରେ ଦକ୍ଷିଣ ଆଫ୍ରିକା ୫ଟି ବଲ୍ ଓ ୭ ୱିକେଟ୍ ବାକିଥାଇ ବିଜୟଲକ୍ଷ୍ୟରେ ପହଞ୍ଚି ଯାଇଥିଲା । ମିଲର ତାଙ୍କ ଆଇପିଏଲ୍ ଫର୍ମ ଏହି ମ୍ୟାଚରେ ଦୋହରାଇ ମାତ୍ର ୩୧ଟି ବଲରେ ୭ଟି ଚୌକା ଓ ୫ଟି ଛକା ସହ ଅପରାଜିତ ୬୪ ରନ୍ କରିଥିବା ବେଳେ ଡୁସେନ୍ ୪୬ଟି ବଲରେ ୭ଟି ଚୌକା ଓ ୫ଟି ଛକା ସହ ଅପରାଜିତ ୭୫ ରନ୍ କରିଥିଲେ । ଏ ଦୁହେଁ ତୃତୀୟ ୱିକେଟରେ ଅପରାଜିତ ୧୩୧ ରନ ଯୋଗକରି ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ । ମିଲର ଓ ଡୁସେନଙ୍କୁ ରୋକିବାରେ ଭାରତୀୟ ବୋଲର ବିଫଳ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ୱିଣ୍ଟନ୍ ଡି’କକ୍ ୨୨ ରନ୍ କରିଥିବା ବେଳେ ଅଧିନାୟକ ତେମ୍ବା ବଭୁମା୧୦ ଓ ଡ୍ୱେନ୍ ପ୍ରିଟୋରିୟସ ୨୯ ରନ୍ କରିଥିଲେ । ଅନ୍ତର୍ଜାତୀୟ ଟି୨୦ରେ ମଧ୍ୟ ଦକ୍ଷିଣ ଆଫ୍ରିକାର ଏହା ସର୍ବୋଚ୍ଚ ଚେଜ୍ । ଏହାଛଡ଼ା ଦକ୍ଷିଣ ଆଫ୍ରିକା ଏହି ଫର୍ମାଟରେ ଟିମ୍ ଇଣ୍ଡିଆର କ୍ରମାଗତ ୧୨ ମ୍ୟାଚ୍ ବିଜୟ ଧାରା ଭାଙ୍ଗି ଦେଇଛି । ଏହି ଦମଦାର ବିଜୟ ସହ ଦକ୍ଷିଣ ଆଫ୍ରିକା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ସିରିଜର ଦ୍ୱିତୀୟ ମ୍ୟାଚ୍ ଜୁନ୍ ୧୨ରେ କଟକରେ ଖେଳାଯିବ ।

ପୂର୍ବରୁ ଦକ୍ଷିଣ ଆଫ୍ରିକା ଅଧିନାୟକ ବଭୁମା ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଦଳର ଦୁଇ ଯୁବ ଓପନର ଈଶାନ କିଶନ ଓ ଋତୁରାଜ ଗାଏକ୍ୱାଡ ବେଶ ଚମତ୍କାର ଢଙ୍ଗରେ ବ୍ୟାଟିଂ କରିଥିଲେ। ବିଶେଷ କରି ଈଶାନଙ୍କ ବ୍ୟାଟରୁ ବଡ଼ ଶଟ ଦେଖିବାକୁ ମିଳିଥିଲା। ଉଭୟ ପ୍ରଥମ ୱିକେଟ ପାଇଁ ୬.୨ ଓଭରରେ ୫୭ ରନ୍‌ ଯୋଡ଼ିଥିଲେ। ଏହି ସମୟରେ ବ୍ୟକ୍ତିଗତ ୨୩ ରନ କରିଥିବା ଗାଏକ୍ୱାଡ ଅଲରାଉଣ୍ଡର ୱେନ ପାର୍ଣ୍ଣେଲଙ୍କ ବଲରେ ଆଉଟ ହୋଇଥିଲେ।

ଏହାର ପ୍ରଭାବ କିନ୍ତୁ ଈଶାନ କିଶନ କିମ୍ବା ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରେୟସ ଆୟରଙ୍କ ଉପରେ ପଡ଼ି ନଥିଲା। ଉଭୟ ବଡ଼ବଡ଼ ଶଟ୍‌ ଖେଳି ଦ୍ରୁତଗତିରେ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ଈଶନ କିଶନ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଶ୍ରେୟସ ଆୟର ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। ଏହି ସମୟରେ ବଡ଼ ଶଟ ଖେଳିବା ଲୋଭରେ ଈଶାନ(୭୬) କେଶବ ମହାରାଜଙ୍କ ବଲରେ ଆଉଟ ହୋଇଯାଇଥିଲେ।

ଆଉଟ ହେବା ପୂର୍ବରୁ ସେ ୪୮ ବଲର ସାମ୍ନା କରି ୧୧ଟି ଚୌକା ଓ ୩ଟି ଛକା ବଳରେ ୭୬ ରନ୍‌ର ଇନିଂସ ଖେଳିଥିଲେ। ଏହାପରେ ଶ୍ରେୟସ ଆୟର ୩୬ ରନ୍‌ କରି ପ୍ରିଟୋରିୟସଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ଏହି ସମୟରେ ଦଳୀୟ ସ୍କୋର ୧୫୬ ଥିଲା। ୪ର୍ଥ ୱିକେଟ ପାଇଁ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥିତି ସମ୍ଭାଳିଥିଲେ। ଉଭୟ ଦଳୀୟ ସ୍କୋରକୁ ୧୯.୧ ଓଭର ସୁଦ୍ଧା ୨୦୨ରେ ପହଞ୍ଚାଇ ଦେଇଥିଲେ।

ପନ୍ତ ୧୬ ବଲରେ ୨୯ ରନ୍‌ କରି ଆଉଟ ହୋଇଥିବା ବେଳେ ପାଣ୍ଡ୍ୟା ଶେଷ ଯାଏ କ୍ରିଜ୍‌ରେ ରହିଥିଲେ। ତାଙ୍କ ସହ ଦୀନେଶ କାର୍ତ୍ତି ୨ ବଲରେ ୧ ରନ୍ କରି ଇନିଂସ ଶେଷ ଯାଏ ଅପରାଜିତ ଥିଲେ। ପାଣ୍ତ୍ୟା ମାତ୍ର ୧୨ ବଲରେ ୩୧ ରନର ଇନିଂସ ଖେଳିଥିଲେ । ଏହି ଇନିଂସରେ ସେ ୩ଟି ଛକା ଓ ଦୁଇଟି ଚୌକା ମାରିଥିଲେ । ପାଣ୍ଡ୍ୟାଙ୍କ ବିସ୍ଫୋରକ ଇନିଂସ ଯୋଗୁ ଭାରତ ୨୦ ଓଭରରେ ୪ ୱିକେଟ ହରାଇ ୨୧୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା ।