ରୋମାଞ୍ଚକ ମ୍ୟାଚରେ ପାକିସ୍ତାନକୁ ୧ ଓ୍ବିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା | News Room Odisha

ରୋମାଞ୍ଚକ ମ୍ୟାଚରେ ପାକିସ୍ତାନକୁ ୧ ଓ୍ବିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା

ଚେନ୍ନାଇ: ବିଶ୍ବକପରେ ଶୁକ୍ରବାର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୧ ୱିକେଟ୍‌ରେ ପାକିସ୍ତାନକୁ ହରାଇ ଦେଇଛି । ୧୯୯୯ ପରେ ପାକିସ୍ତାନକୁ ବିଶ୍ବକପରେ ହରାଇଛି ଦକ୍ଷିଣ ଆଫ୍ରିକା । ଚଳିତ ଟୁର୍ଣ୍ଣାମେଣ୍ଟରେ ଦକ୍ଷିଣ ଆଫ୍ରିକାର ଏହା ପଞ୍ଚମ ବିଜୟ। ଏଥିସହ ଦଳ ଭାରତକୁ ହଟାଇ ଶୀର୍ଷ ସ୍ଥାନରେ ପହଞ୍ଚି ଯାଇଛି। ଅନ୍ୟପକ୍ଷରେ ପାକିସ୍ତାନର ଏହା ୬ଟି ମ୍ୟାଚରୁ କ୍ରମାଗତ ଚତୁର୍ଥ ପରାଜୟ। ଦଳର ସେମିଫାଇନାଲ ଆଶା ଏବେ କ୍ଷୀଣ ହେବାରେ ଲାଗିଛି।

ଚେପକରେ ଖେଇଯାଇଥିବା ମ୍ୟାଚରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ୪୬.୪ ଓଭରରେ ୨୭୦ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ତରଫରୁ ଅଧିନାୟକ ବାବର ଆଜମ ଏବଂ ସାଉଦ ଶକିଲ ଅର୍ଦ୍ଧଶତକ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକା ତରଫରୁ ସ୍ପିନର ତାବରେଜ ଶାମସି ୪ଟି ୱିକେଟ୍ ନେଇଥିଲେ ।

୨୭୧ ରନର ବିଜୟଲକ୍ଷ୍ୟ ଜବାବରେ ଦକ୍ଷିଣ ଆଫ୍ରିକା ଏକଦା ବିଜୟ ଆଡ଼କୁ ଅଗ୍ରସର ହୋଇଥିଲା । ହେଲେ ଶେଷ ଆଡ଼କୁ ନିୟମିତ ଓ୍ବିକେଟ୍ ହରାଇ ବ୍ୟାକଫୁଟକୁ ଠେଲି ହୋଇଯାଇଥିଲା । ହେଲେ କେଶବ ମହାରାଜ ଏବଂ ତାବରେଜ ଶାମସି ଦଶମ ୱିକେଟ୍ ପାଇଁ ୧୧ ରନ୍ ଯୋଡ଼ି ଦଳକୁ ରୋମାଞ୍ଚକ ବିଜୟ ଦେଇଥିଲେ । ଦକ୍ଷିଣ ଆଫ୍ରିକା ୪୭.୨ ଓଭରରେ ୯ ୱିକେଟ୍ ହରାଇ ମ୍ୟାଚ୍ ଜିତିନେଇଥିଲା । ଦଳ ତରଫରୁ ଆଡେନ ମାର୍କ୍ରାମ ସର୍ବାଧିକ ୯୧ ରନ କରିଥିବାବେଳେ ଡେଭିଡ ମିଲର ୨୯, ମାର୍କୋ ୟାନସେନ୍ ୨୦, ହେନ୍ରିଚ୍ କ୍ଲାସେନ୍ ୧୨, ରସି ଭାନ୍ ଡେର୍ ଡୁସେନ୍ ୨୧, ତେମ୍ବା ବାଭୁମା ୨୮, କ୍ୱିଣ୍ଟନ୍ ଡି କକ୍ ୨୪ ଓ ଜେରାଲ୍ଡ କୋଜିୟା ୧୦ ରନ୍ କରିଥିଲେ ।

ପାକିସ୍ତାନ ପକ୍ଷରୁ ଶାହିନ୍ ଆଫ୍ରିଦି ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ମହମ୍ମଦ ୱାସିମ, ହରିସ ରାଉଫ ଓ ଉସାମା ମିର ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।