ନ୍ୟୁଜିଲ୍ୟାଣ୍ଡକୁ ୧୯୦ ରନରେ ହରାଇ ଶୀର୍ଷରେ ଦକ୍ଷିଣ ଆଫ୍ରିକା | News Room Odisha

ନ୍ୟୁଜିଲ୍ୟାଣ୍ଡକୁ ୧୯୦ ରନରେ ହରାଇ ଶୀର୍ଷରେ ଦକ୍ଷିଣ ଆଫ୍ରିକା

ପୁଣେ: କ୍ୱିଣ୍ଟନ୍ ଡି କକ୍ ଓ ରାସି ଭାନ୍ ଡର୍ ଡୁସେନଙ୍କ ଶତକ ବଳରେ ଦକ୍ଷିଣ ଆଫ୍ରିକା ବୁଧବାର ବିଶ୍ୱକପର ଏକ‌ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୧୯୦ ରନରେ ହରାଇଛି । ୨୪ ବର୍ଷ ପରେ ଦିନିକିଆ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଛି ଦକ୍ଷିଣ ଆଫ୍ରିକା ।

ଏମସିଏ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟସ୍ ହାରି ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୪ ୱିକେଟ୍ ହରାଇ ୩୫୭ ରନର ବିଶାଳ ସ୍କୋର୍ କରିଥିଲା। ଦଳ ପକ୍ଷରୁ ଚମତ୍କାର ଫର୍ମରେ ଥିବା କ୍ୱିଣ୍ଟନ୍ ଡି’କକ୍ ଓ ରାସି ଭାନ୍ ଡର୍ ଡୁସେନ୍ ଶତକ ହାସଲ କରିଥିଲେ। ଡି’କକ୍ ୧୧୬ ବଲରେ ୧୦ଟି ଚୌକା ଓ ୩ଟି ଛକା ସହ ୧୧୪ ରନ୍ କରିଥିଲେ । ଚଳିତ ବିଶ୍ୱକପରେ ଏହା ତାଙ୍କ ଚତୁର୍ଥ ଶତକ ଥିଲା । ସେହିପରି ଭାନ୍ ଡର୍ ଡୁସେନ୍ ୧୧୮ ବଲରେ ୯ଟି ଚୌକା ଓ ୫ଟି ଛକା ସହ ଆକର୍ଷଣୀୟ ୧୩୩ ରନ୍ କରିଥିଲେ । ଦ୍ୱିତୀୟ ୱିକେଟ୍ ପାଇଁ ଉଭୟ ୧୮୯ ବଲରେ ୨୦୦ ରନ୍ ଭାଗିଦାରୀ କରିଥିଲେ। ଡେଭିଡ ମିଲର ମାତ୍ର ୩୦ ବଲରେ ୨ଟି ଚୌକା ଓ ୪ଟି ଛକା ସହାୟତାରେ ବିସ୍ଫୋରକ ୫୩ ରନର ଇନିଂସ୍ ଖେଳିଥିବା ବେଳେ ଚଳିତ ବିଶ୍ୱକପରେ ଚତୁର୍ଥ ଥର ପାଇଁ ଦଳ ୩୫୦ରୁ ଊର୍ଦ୍ଧ୍ବ ସ୍କୋର୍ କରିଥିଲା।

ଏହି ବୃହତ୍ ବିଜୟ ଲକ୍ଷ୍ୟ ଜବାବରେ ନ୍ୟୁଜିଲ୍ୟାଣ୍ଡ ୩୫.୩ ଓଭରରେ କେବଳ ୧୬୭ ରନ୍ କରି ଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଗ୍ଲେନ୍ ଫିଲିପ୍ସ ସର୍ବାଧିକ ୬୦ ରନ୍ କରିଥିଲେ । ଫିଲିପ୍ସଙ୍କ ବ୍ୟତୀତ ଓ୍ବିଲ ୟଙ୍ଗ(୩୩) ଓ ଡାରିଲ ମିଚେଲ (୨୪) ହିଁ ଦୁଇ ଅଙ୍କ ଛୁଇଁ ପାରିଥିଲେ ।

ଦକ୍ଷିଣ ଆଫ୍ରିକା ତରଫରୁ ସ୍ପିନର କେଶବ ମହାରାଜ ୪ଟି ୱିକେଟ୍ ନେଇଥିବା ବେଳେ ମାର୍କ ୟାନସେନ ୩ଟି ଓ ଜେରାଲ୍ଡ କୋଜିୟା ୨ଟି ଓ୍ବିକେଟ୍ ପାଇଥିଲେ ।

ଦକ୍ଷିଣ ଆଫ୍ରିକା ଏବେ ୭ଟି ମ୍ୟାଚରେ ୬ଟି ବିଜୟ ସହ ୧୨ ପଏଣ୍ଟରେ ପହଞ୍ଚିଛି । ଦଳ ଭାରତକୁ ହଟାଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ଉନ୍ନୀତ ହେବା ସହ ସେମିଫାଇନାଲର ନିକଟତର ହୋଇଛି। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡର ଏହା ହ୍ୟାଟ୍ରିକ୍ ପରାଜୟ । କିଓ୍ବି ଟିମ୍ ୭ଟି ମ୍ୟାଚରେ ତୃତୀୟ ପରାଜୟ ସହ ଚତୁର୍ଥ ସ୍ଥାନକୁ ଖସି ଆସିଛି।

ସେମିଫାଇନାଲ ଦୌଡ଼ରେ ରହିବାକୁ ହେଲେ ନ୍ୟୁଜିଲ୍ୟାଣ୍ଡକୁ ଶେଷ ଦୁଇଟି ମ୍ୟାଚ୍ ଜିତିବାକୁ ପଡିବ । ଦକ୍ଷିଣ ଆଫ୍ରିକା ଶେଷ ଦୁଇଟି ମ୍ୟାଚ୍ ମଧ୍ୟରୁ ଗୋଟିଏ ଜିତିଲେ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ। ଦକ୍ଷିଣ ଆଫ୍ରିକା ନଭେମ୍ବର ୫ରେ ଭାରତ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବ। ନ୍ୟୁଜିଲ୍ୟାଣ୍ଡ ନଭେମ୍ବର ୪ରେ ପାକିସ୍ତାନକୁ ଭେଟିବ ।