ତୃତୀୟ ଟି-୨୦: ରୁସୋ ଦେଲେ ଦକ୍ଷିଣ ଆଫ୍ରିକାକୁ ସାନ୍ତ୍ଵନା ମୂଳକ ବିଜୟ | News Room Odisha

ତୃତୀୟ ଟି-୨୦: ରୁସୋ ଦେଲେ ଦକ୍ଷିଣ ଆଫ୍ରିକାକୁ ସାନ୍ତ୍ଵନା ମୂଳକ ବିଜୟ

ଇନ୍ଦୋର: ରାଇଲି ରୁସୋଙ୍କ ବିସ୍ଫୋରକ ଶତକ ସହାୟତାରେ ଦକ୍ଷିଣ ଆଫ୍ରିକା ମଙ୍ଗଳବାର ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି-୨୦ରେ ଭାରତକୁ ୪୯ ରନରେ ହରାଇଛି ‌। ଏହି ସାନ୍ତ୍ଵନା ମୂଳକ ବିଜୟ ସହ ଦକ୍ଷିଣ ଆଫ୍ରିକା କ୍ଲିନ୍ ସୁଇପ ଲଜ୍ଜାରୁ ବର୍ତ୍ତି ଯାଇଥିବା ବେଳେ ଭାରତ ସିରିଜକୁ ୨-୧ରେ ଜିତିଛି । ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଏହା ପ୍ରଥମ ଟି-୨୦ ସିରିଜ୍ ବିଜୟ ।

ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକା ରୁସୋଙ୍କ ଧମାକାଦାର ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ଓ୍ଵିକେଟ୍ ହରାଇ ୨୨୭ ରନର ବିଶାଳ ସ୍କୋର୍ କରିଥିଲା। ଏହାର‌ ଜବାବରେ ଭାରତ ନିୟମିତ ଓ୍ବିକେଟ୍ ହରାଇ ୧୮.୩ ଓଭରରେ ୧୭୮ ରନରେ ଅଲ୍ଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ଦିନେଶ କାର୍ତ୍ତିକ ସର୍ବାଧିକ ୪୬ ରନ୍ କରିଥିବା ବେଳେ ଦୀପକ ଚହର ୩୧ ଓ ରିଷଭ ପନ୍ତ ୨୭ ରନ୍ କରିଥିଲେ । ଅଧିନାୟକ ରୋହିତ ଶର୍ମା ଖାତା ଖୋଲି ପାରିନଥିଲେ । ଆଜିର ମ୍ୟାଚରୁ ବିରାଟ କୋହଲି ଓ କେଏଲ୍ ରାହୁଲଙ୍କୁ ବିଶ୍ରାମ ଦିଆଯାଇଥିଲା।

ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୩୦ ରନ ସ୍କୋରରେ ଅଧିନାୟକ ତେମ୍ବା ବାଭୁମା(୩)ଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଡି କକ୍ ଏବଂ ରାଇଲି ରୁସୋ ଦମଦାର ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ଚାପରେ ରଖିଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟ୍‌ରେ ୯୦ ରନ ଯୋଡି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ଡକକ୍ ନିଜର ଫର୍ମ ବଜାୟ ରଖି ସିରିଜ୍‌ରେ କ୍ରମାଗତ ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୩ ବଲ୍‌ରୁ ୬ ଚୌକା ଏବଂ ୪ ଛକା ସହ ୬୮ ରନର ଉପଯୋଗୀ ଇନିଂସ ଖେଳିଥିଲେ। ତାଙ୍କ ଆଉଟ୍ ପରେ ରୁସୋ ଇନିଂସ ସମ୍ଭାଳିଥିଲେ।

ପ୍ରଥମ ଦୁଇଟି ମ୍ୟାଚ୍‌ରେ ନିରାଶ କରିଥିବା ରୁସୋ ଟି-୨୦ କ୍ୟାରିୟରରେ ସ୍ମରଣୀୟ ଇନିଂସ ଖେଳିଛନ୍ତି। ସେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୪୮ ବଲ୍‌ରୁ ଶତକୀୟ ଇନିଂସ ଖେଳିଛନ୍ତି। ଏଥିରେ ୭ ଚୌକା ଏବଂ ୮ ଛକା ସାମିଲ୍। ଅନ୍ତର୍ଜାତୀୟ ଟି-୨୦ରେ ଏହା ତାଙ୍କର ପ୍ରଥମ ଶତକ । ଟ୍ରିଷ୍ଟନ ଷ୍ଟବ୍ସ ୨୩ ରନ କରିଥିଲେ। ମିଲର ୫ ବଲ୍‌ରୁ ୩ ଛକା ସହ ୧୯ ରନରେ ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ଵିକେଟ୍ ହରାଇ ୨୨୭ ରନର ବିଶାଳ ସ୍କୋର୍ କରିଥିଲା।

ଭାରତ ପକ୍ଷରୁ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଦୀପକ ଚହର ୪ ଓଭରରେ ୪୮ ରନ ଏବଂ ଉମେଶ ଯାଦବ ୩ ଓଭରରେ ୩୪ ରନ ଦେଇ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।