୭୫ବର୍ଷରେ ଚନ୍ଦ୍ରଲେଖା : ଦକ୍ଷିଣର ପ୍ରଥମ ସଫଳ ‘ପାନ୍ ଇଣ୍ଡିଆ’ ଚଳଚ୍ଚିତ୍ର | News Room Odisha

୭୫ବର୍ଷରେ ଚନ୍ଦ୍ରଲେଖା : ଦକ୍ଷିଣର ପ୍ରଥମ ସଫଳ ‘ପାନ୍ ଇଣ୍ଡିଆ’ ଚଳଚ୍ଚିତ୍ର

ଆଜିକାଲି ‘ଦକ୍ଷିଣ ଭାରତୀୟ ପାନ୍ ଇଣ୍ଡିଆ’ ଚଳଚ୍ଚିତ୍ରର ଚର୍ଚ୍ଚା ହେବାରେ ଲାଗିଛି । ଗତ କିଛି ବର୍ଷ ଧରି ତାମିଲ, ତେଲେଗୁ, କନ୍ନଡ ଓ ମାଲୟଲମ ଭାଷାର ମୁଖ୍ୟସ୍ରୋତ ଚଳଚ୍ଚିତ୍ର ବମ୍ବେ ନିର୍ମିତ ( ତଥାକଥିତ ବଲିଉଡ୍ ) ହିନ୍ଦି ଚଳଚ୍ଚିତ୍ରର ପ୍ରାଧାନ୍ୟକୁ ଚ୍ୟାଲେଞ୍ଜ କରିଆସୁଛି । ଏହା ନୁହେଁ ଯେ, ଆଗରୁ କେବେ ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଦ୍ୱାରା ପ୍ରଭାବିତ ହୋଇନାହିଁ । ଅନେକ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ହିନ୍ଦୀ ରିମେକ୍ ବ୍ୟବସାୟିକ ସଫଳତା ହାସଲ କରିଛି । ନିୟମିତ ବ୍ୟବଧାନରେ ‘ହିଟ୍ ଫର୍ମୁଲା’ପାଇଁ ବଲିଉଡ୍ ନିର୍ମାତା, ନିର୍ଦ୍ଦେଶକମାନେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର କାହାଣୀ ଉପରେ ଭରସା କରିଛନ୍ତି । ଅନେକ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ନୂଆ ଧାରା ସୃଷ୍ଟି କରି ହିନ୍ଦୀ ଚଳଚ୍ଚିତ୍ର ଜଗତକୁ ପ୍ରଭାବିତ କରିଛନ୍ତି । ସେହିପରି ଏକ ଟ୍ରେଣ୍ଡ୍ ସେଟର ଚଳଚ୍ଚିତ୍ର ଆଜିକୁ ୭୫ ବର୍ଷ ତଳେ ମୁକ୍ତିଲାଭ କରିଥିଲା । ସେହି ଚଳଚ୍ଚିତ୍ର ହେଉଛି ତାମିଲ ଭାଷାରେ ନିର୍ମିତ ‘ଚନ୍ଦ୍ରଲେଖା’ । ୧୯୪୮ ମସିହାରେ ମୁକ୍ତିଲାଭ କରିଥିବା ଏହି ବ୍ୟୟବହୁଳ ତାମିଲ ଚଳଚ୍ଚିତ୍ରକୁ ଦକ୍ଷିଣ ଭାରତର ପ୍ରଥମ ‘ପାନ୍ ଇଣ୍ଡିଆ’ ଚଳଚ୍ଚିତ୍ର ବୋଲି ଅନେକ ସିନେ ଐତିହାସିକ ମତ ଦିଅନ୍ତି । ଏହା ହେଉଛି ପ୍ରଥମ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର, ଯାହା କି ସର୍ବଭାରତୀୟ ସ୍ତରରେ ଭାରତରେ ବେଶ୍ ଲୋକପ୍ରିୟ ହୋଇ ବ୍ୟବସାୟିକ ସଫଳତା ହାସଲ କରିଥିଲା । ‘ଚନ୍ଦ୍ରଲେଖା’କୁ ଭାରତର ପ୍ରଥମ ବ୍ୟୟବହୁଳ ଚଳଚ୍ଚିତ୍ର ଭାବେ ମଧ୍ୟ ବିବେଚନା କରାଯାଏ । କେ.ଆସିଫଙ୍କ ମୁଗଲ-ଏ-ଆଜମ ପୂର୍ବରୁ ଚନ୍ଦ୍ରଲେଖା ହିଁ ଥିଲା ଭାରତର ବ୍ୟୟବହୁଳ ଚଳଚ୍ଚିତ୍ର ।

୧୯୪୮ ମସିହା ଏପ୍ରିଲ ୯ ତାରିଖରେ ମୁକ୍ତିଲାଭ କରିଥିବା ଚନ୍ଦ୍ରଲେଖା ଅନେକ ଦୃଷ୍ଟିରୁ ଭାରତୀୟ ସିନେମାର ଏକ ମାଇଲଖୁଂଟ ହୋଇ ରହିଛି । ଏହି ବ୍ୟୟବହୁଳ, ଭବ୍ୟ ଓ ମନୋରଞ୍ଜନର ନୂଆ ନୂଆ ଉପାଦାନ ଥିବା ଚଳଚ୍ଚିତ୍ରକ ପ୍ରଯୋଜକ ଓ ନିର୍ଦ୍ଦେଶକ ଥିଲେ କିମ୍ବଦନ୍ତୀ ଏସ.ଏସ ଭାସନ । ଭାସନ ଥିଲେ ଜଣେ ଆଗଧାଡିର ନିର୍ମାତା, ନିର୍ଦ୍ଦେଶକ ଓ ପ୍ରସିଦ୍ଧ ଜେମିନି ଷ୍ଟୁଡିଓର ପ୍ରତିଷ୍ଠାତା । ନାରୀ କୈନ୍ଦ୍ରିକ ଚଳଚ୍ଚିତ୍ର ନିର୍ମାଣ ପାଇଁ ଭାସନ ଜଣାଶୁଣା ଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଭାସନ ଏକ ମନୋରଞ୍ଜନଧର୍ମୀ ଭବ୍ୟ ଓ ବ୍ୟୟବହୁଳ ଚଳଚ୍ଚିତ୍ର ପ୍ରସ୍ତୁତ କରିବାକୁ ଚାହିଁଥିଲେ । ଜେମିନି ଷ୍ଟୁଡିଓରେ ନିୟୋଜିତ କଥାକାରମାନଙ୍କୁ ଉପଯୁକ୍ତ କାହାଣୀଟିଏ ପ୍ରସ୍ତୁତ କରିବା ପାଇଁ କହିଥିଲେ ଭାସନ । ନିଜ ଷ୍ଟୁଡିଓର ‘ଷ୍ଟୋରି ଡିପାର୍ଟମେଂଟ’ ଲେଖକମାନଙ୍କ ଦ୍ୱାରା ପ୍ରସ୍ତୁତ ଅନେକ କାହାଣୀକୁ ନାପସନ୍ଦ କଲା ପରେ ଜର୍ଜ ଡବ୍ଲୁଏମ୍ ରେନଲଡ୍‌୍‌ସଙ୍କ ଲିଖିତ ଉପନ୍ୟାସ ‘ରବର୍ଟ ମ୍ୟାକାୟର -ଦି ଫ୍ରେଞ୍ଚ ବଣ୍ଡିଟ୍ ଇନ୍ ଇଂଲଣ୍ଡ’ର ମୂଳ ବିଷୟବସ୍ତୁ ଅନୁକରଣରେ ଆଧାରିତ ଏକ କାହାଣୀକୁ ପସନ୍ଦ କରିଥିଲେ ଭାସନ । ଏକ ରାଜ୍ୟର ରାଜାଙ୍କ ମୃତ୍ୟୁ ପରେ ସିଂହାସନ ପାଇଁ ଅକ୍ତିଆର ପାଇଁ ଦୁଇ ଭାଇଙ୍କ ମଧ୍ୟରେ ଲଢେଇ ଓ ଜଣେ ନୃତ୍ୟାଙ୍ଗନା ସହ ପ୍ରେମ ଭଳି କାହାଣୀକୁ ନେଇ ‘ଚନ୍ଦ୍ରଲେଖା’ ଚଳଚ୍ଚିତ୍ରର ସୁଟିଂ ୧୯୪୩ ମସିହାରେ ଆରମ୍ଭ ହୋଇଥିଲା । ଅନେକବାର କାହାଣୀର ପୁନଃଲିଖନ, କଳାକାର ପରିବର୍ତ୍ତନ, ରିସୁଟିଂ ମଧ୍ୟରେ ଦୀର୍ଘ ୫ ବର୍ଷ ଧରି ଚଳଚ୍ଚିତ୍ରର ସୁଟିଂ ଚାଲିଥିଲା । ପ୍ରଥମେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଭାବେ ଟି.ଭି ରାଘବଚାରୀଙ୍କୁ ନିଆଯାଇଥିଲା । ହେଲେ ଭାସନଙ୍କ ସହ ମତଭେଦ ଯୋଗୁଁ ସେ ସୁଟିଂ ଅଧାରୁ ଓହରି ଯାଇଥିଲେ । ଶେଷରେ ଖୋଦ୍ ଭାସନ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱ ନେଇଥିଲେ । ଚନ୍ଦ୍ରଲେଖାର କାହାଣୀ ଅନୁସାରେ ଭାସନଙ୍କ ଜେମିନୀ ଷ୍ଟୁଡିଓରେ ନିର୍ମାଣ ହୋଇଥିଲା ବିଶାଳ ଓ ଆକର୍ଷଣୀୟ ସେଟ୍ । ପାଣି ଭଳି ପଇସା ଖର୍ଚ୍ଚ କରିଥିଲେ ଭାସନ । ଚଳଚ୍ଚିତ୍ର ପାଇଁ ନିଜର ସଂପତ୍ତି ବନ୍ଧକ ରଖିବା ସହ ଗହଣା ବିକ୍ରି କରିଦେଇଥିଲେ ଭାସନ । ସୁଟିଂ ପାଇଁ ଜେମିନି ଷ୍ଟୁଡିଓରେ ବେଶ୍ କିଛି ଦିନ ଘୋଡା, ହାତୀ, ସିଂହ, ବାଘ, ଗୋଟିଏ ସର୍କସ ଟିମର କଳାକାର ଓ ଶହ ଶହ ନୃତ୍ୟାଙ୍ଗନାଙ୍କ ଭିଡ ଜମିଥିଲା । ପ୍ରଥମ ଥର ପାଇଁ ଏକ ତାମିଲ ଚଳଚ୍ଚିତ୍ରରେ ପ୍ରକୃତ ସର୍କସ ଦଳର ସଦସ୍ୟଙ୍କୁ ଦେଖିବାକୁ ମିଳିଥିଲା । କାହାଣୀର ଆବଶ୍ୟକତା ଅନୁସାରେ ହାତୀ ଓ ଘୋଡାଙ୍କୁ ମଧ୍ୟ ଚଳଚ୍ଚିତ୍ରରେ ବ୍ୟବହାର କରାଯାଇଥିଲା ।

ଚନ୍ଦ୍ରଲେଖାର ମୁଖ୍ୟ ଆକର୍ଷଣ ଥିଲା ଏହାର ଭବ୍ୟ ଓ ସୃଜନଶୀଳ ‘ଡ୍ରମ ଡ୍ୟାନସ୍‌’ । ୧୯୪୦ ଦଶକରେ ମଧ୍ୟ ଏପରି ବ୍ୟୟବହୁଳ ଓ ସୃଜନଶୀଳ କୋରିଓଗ୍ରାଫି ସମ୍ଭବ ହୋଇପାରୁଥିଲା, ତାହା ଭାବିଲେ ଯେ କେହି ଆଚମ୍ବିତ ହେବା ସ୍ୱାଭାବିକ । କେବଳ ଏହି ‘ଡ୍ରମ୍ ଡ୍ୟାନସ’ ପାଇଁ ଖର୍ଚ୍ଚ ହୋଇଥିଲା ୫ ଲକ୍ଷ ଟଙ୍କା । ଏଥିପାଇଁ ୪ ଶହ ନର୍ତ୍ତକୀ ୬ ମାସ ଧରି ରିହର୍ସଲ କରିଥିଲେ । ସେମାନଙ୍କୁ ମାସିକ ଦରମା ଦିଆଯାଉଥିଲା । ବିଶାଳ ଓ ଭବ୍ୟ ସେଟ୍ , ସିନେମାଟୋଗ୍ରାଫି, କଳା ନିର୍ଦ୍ଦେଶନା, କୋରିଓଗ୍ରାଫି ଓ ସଂଗୀତ ସବୁ କିଛି ଥିଲା ଉଚ୍ଚକୋଟୀର ।

୧୯୪୮ ମସିହାରେ ଚନ୍ଦ୍ରଲେଖାର ଚଳଚ୍ଚିତ୍ରର ସୁଟିଂ ଶେଷ ହୋଇଥିଲା । ନିଜର ଡ୍ରିମ ପ୍ରୋଜେକ୍ଟ ପାଇଁ ୩୦ ଲକ୍ଷ ଟଙ୍କା ବ୍ୟୟ କରିଥିଲେ ନିର୍ମାତା ନିର୍ଦ୍ଦେଶକ ଭାସନ । ଏକ ସଂପୂର୍ଣ୍ଣ ମନୋରଂଜନଧର୍ମୀ ଚଳଚ୍ଚିତ୍ର ଥିଲା ଚନ୍ଦ୍ରଲେଖା । ଚଳଚ୍ଚିତ୍ରର ବ୍ୟାପକ ପ୍ରଚାର ପ୍ରସାର ପାଇଁ ମଧ୍ୟ ହାତଖୋଲା ଖର୍ଚ୍ଚ କରିଥିଲେ ଭାସନ । ଖବରକାଗଜରେ ବିଜ୍ଞାପନ ଛପାଯାଇଥିଲା । ମୁକ୍ତିଲାଭ କଲା ପରେ ସମାଲୋଚକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା ଚନ୍ଦ୍ରଲେଖା । କିନ୍ତୁ ତାମିଲନାଡୁରେ ଏହା ଆଶାନୁରୂପକ ବ୍ୟବସାୟିକ ସଫଳତା ହାସଲ କରି ନଥିଲା । ଏହା ସତ୍ତ୍ୱେ ଏସ.ଏସ ଭାସନ ‘ଚନ୍ଦ୍ରଲେଖା’କୁ ହିନ୍ଦି ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ଚାହିଁଥିଲେ । ତେଣୁ ଚନ୍ଦ୍ରଲେଖାର ହିନ୍ଦି ଭର୍ସନ ପ୍ରସ୍ତୁତ କରିଥିଲେ ଭାସନ । ମୂଳ ତାମିଲ ଚଳଚ୍ଚିତ୍ରରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା । କିଛି କଳାକାରଙ୍କୁ ପରିବର୍ତ୍ତନ କରାଯାଇଥିଲା । କିଛି ଦୃଶ୍ୟର ପୁନଃ ସୁଟିଂ ହୋଇଥିଲା । ୧୯୪୮ ମସିହା ଡିସେମ୍ବର ୨୪ ତାରିଖରେ ମୁକ୍ତିଲାଭ କରିଥିଲା ଚନ୍ଦ୍ରଲେଖାର ହିନ୍ଦି ଭର୍ସନ । ଆଶ୍ଚର୍ଯ୍ୟଜନକ ଭାବେ ଚନ୍ଦ୍ରଲେଖାର ହିନ୍ଦି ଭର୍ସନ ମୂଳ ତାମିଲ ଚଳଚ୍ଚିତ୍ର ଅପେକ୍ଷା ଅଧିକ ସଫଳ ରହିଥିଲା । ପ୍ରଥମ ଥର ପାଇଁ ଏକ ଦକ୍ଷିଣୀ ଚଳଚ୍ଚିତ୍ର ସର୍ବଭାରତୀୟ ସ୍ତରରେ ଆଦୃତ ହୋଇଥିଲା । ଚନ୍ଦ୍ରଲେଖାର ହିନ୍ଦି ଭର୍ସନର ସଫଳତା ପରେ ସାରା ଭାରତରେ ଦକ୍ଷିଣ ଭାରତୀୟ ସିନେମାର ଗୁରୁତ୍ୱ ବଢିଲା । କୁହାଯାଏ ଯେ, ଚନ୍ଦ୍ରଲେଖା ଚଳଚ୍ଚିତ୍ରର ବିଶାଳ କାନଭାସ ହିଁ କେ. ଆସିଫଙ୍କୁ ହାଇ ବଜେଟ୍ ମୁଗଲ୍‌-ଏ-ଆଜମ ପାଇଁ ପ୍ରେରଣା ଯୋଗାଇଥିଲା । ଚନ୍ଦ୍ରଲେଖା ଯୋଗୁଁ ଦକ୍ଷିଣ ଭାରତର ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ହିନ୍ଦି ଦର୍ଶକଙ୍କ ପାଖରେ ନିଜର ଚଳଚ୍ଚିତ୍ର ପହଂଚାଇବାକୁ ପ୍ରେରଣା ପାଇଲେ ।

ଘୋଷଣା: ଏହି ସ୍ତମ୍ଭରେ ପ୍ରକାଶ ପାଇଥିବା ମତାମତ ଲେଖକଙ୍କ ନିଜସ୍ବ ବ୍ୟକ୍ତିଗତ ବିଚାର ଅଟେ। ଏଥିରେ ସମ୍ବଳିତ ତଥ୍ୟ ବା ମତାମତ newsroomodisha.com ଦୃଷ୍ଟିକୋଣକୁ ପ୍ରତିଫଳିତ କରୁନାହିଁ କିମ୍ଵା newsroomodisha.com ଏ ନେଇ କୈାଣସିମତେ ଉତ୍ତରଦାୟୀ ନୁହେଁ।