ସଂସଦରେ ନେହେରୁଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଲେନି ଲୋକସଭା ବାଚସ୍ପତି, ରାଜ୍ୟସଭା ଅଧ୍ୟକ୍ଷ; ବରିଷ୍ଠ ମନ୍ତ୍ରୀ ବି ଆସିଲେନି | News Room Odisha

ସଂସଦରେ ନେହେରୁଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଲେନି ଲୋକସଭା ବାଚସ୍ପତି, ରାଜ୍ୟସଭା ଅଧ୍ୟକ୍ଷ; ବରିଷ୍ଠ ମନ୍ତ୍ରୀ ବି ଆସିଲେନି

ନୂଆଦିଲ୍ଲୀ: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜନ୍ମ ବାର୍ଷିକୀ ଅବସରରେ ଆଜି ସଂସଦରେ ଆୟୋଜିତ ପାରମ୍ପାରିକ କାର୍ଯ୍ୟକ୍ରମରେ କେନ୍ଦ୍ରର କୌଣସି ବରିଷ୍ଠ ମନ୍ତ୍ରୀ ଯୋଗ ଦେଇନାହାନ୍ତି । ଏପରିକି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ । ନେହେରୁଙ୍କ କାର୍ଯ୍ୟକ୍ରମକୁ ଏପରି ବର୍ଜନ କରାଯିବା ନେଇ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛି ।

ନଭେମ୍ବର ୧୪ରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଏ ଏବଂ ପ୍ରତିବର୍ଷ ସଂସଦର ସେଣ୍ଟ୍ରାଲ ହଲରେ ତାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରାଯାଏ |

ରାଜ୍ୟସଭାରେ କଂଗ୍ରେସର ମୁଖ୍ୟ ସଚେତକ ତଥା ବରିଷ୍ଠ ନେତା ଜୟରାମ ରମେଶ ଟୁଇଟ୍ କରି କହିଛନ୍ତି, ” ଯାହାଙ୍କ ଫଟୋ ସେଣ୍ଟ୍ରାଲ ହଲ୍ ର ଶୋଭା ବର୍ଦ୍ଧନ କରୁଛି, ତାଙ୍କ ଜନ୍ମଦିନରେ ଆୟୋଜିତ ପାରମ୍ପାରିକ କାର୍ଯ୍ୟକ୍ରମରେ ଆଜି ସଂସଦରେ ଏକ ଅସାଧାରଣ ଦୃଶ୍ୟ ଦେଖିବାକୁ ମିଳିଥିଲା । ଲୋକସଭା ବାଚସ୍ପତି ଅନୁପସ୍ଥିତ ଥିଲେ। ରାଜ୍ୟସଭା ଅଧ୍ୟକ୍ଷ ମଧ୍ୟ ଅନୁପସ୍ଥିତ ଥିଲେ। ଜଣେ ମନ୍ତ୍ରୀ ବି ଉପସ୍ଥିତ ନଥିଲେ। ଏହାଠାରୁ ଅଧିକ କ୍ରୂରତା କଣ ବା ହୋଇପାରେ? ”

ଅନ୍ୟ ବିରୋଧୀଦଳ ନେତାମାନେ ମଧ୍ୟ ନେହେରୁଙ୍କ କାର୍ଯ୍ୟକ୍ରମକୁ ବର୍ଜନ କରାଯିବା ନେଇ ନିନ୍ଦା କରିଛନ୍ତି। ବରିଷ୍ଠ ତ୍ରିନାମୁଲ କଂଗ୍ରେସ ନେତା ଡେରେକ ଓ’ବ୍ରାଇନ୍ ଟ୍ୱିଟ୍ କରି କହିଛନ୍ତି, “ମୋତେ ଆଉ କିଛି ଆଶ୍ଚର୍ଯ୍ୟ ଲାଗିବ ନାହିଁ। ଏହି ସରକାର ଗୋଟିଏ ଦିନରେ ସଂସଦ ସମେତ ଭାରତର ମହାନ ଅନୁଷ୍ଠାନଗୁଡ଼ିକୁ ଧ୍ୱଂସ କରିବାରେ ଲାଗିଛି।”

ଆଜି ସକାଳେ କେନ୍ଦ୍ରୀୟ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭାନୁ ପ୍ରତାପ ସିଂ ବର୍ମା ଯୋଗ ଦେଇଥିଲେ। ଏହା ବ୍ୟତୀତ ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ ଏବଂ ଅନ୍ୟ ସାଂସଦମାନେ ଉପସ୍ଥିତ ଥିଲେ।

ପାର୍ଲାମେଣ୍ଟ ହାଉସର ସେଣ୍ଟ୍ରାଲ ହଲରେ ନେହେରୁଙ୍କ ତୈଳଚିତ୍ର ଭାରତର ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ଏସ ରାଧାକ୍ରିଷ୍ଣନଙ୍କ ଦ୍ବାରା ୫ ମଇ ୧୯୬୬ରେ ଉନ୍ମୋଚିତ ହୋଇଥିଲା।