ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦିଲ୍ଲୀରୁ ଦୁବାଇ ଯାଉଥିବା ସ୍ପାଇସଜେଟ୍ ବିମାନ କରାଚିରେ କଲା ଜରୁରୀ ଅବତରଣ | News Room Odisha

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦିଲ୍ଲୀରୁ ଦୁବାଇ ଯାଉଥିବା ସ୍ପାଇସଜେଟ୍ ବିମାନ କରାଚିରେ କଲା ଜରୁରୀ ଅବତରଣ

ନୂଆଦିଲ୍ଲୀ: ଦିଲ୍ଲୀରୁ ଦୁବାଇ ଅଭିମୁଖେ ଯାଉଥିବା ସ୍ପାଇସଜେଟର ଏକ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାକିସ୍ତାନର କରାଚିରେ ଜରୁରୀ ଅବତରଣ କରିଛି । ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ସୂଚନା ଅନୁଯାୟୀ ସ୍ପାଇସଜେଟର ଏସଜି-୧୧ ର ଇଣ୍ଡିକେଟର ଲାଇଟରେ କିଛି ତ୍ରୁଟି ଦେଖାଦେଇଥିଲା । ଫଳରେ ବିମାନଟି କରାଚିରେ ଜରୁରୀ ଅବତରଣ କରିଥିଲା। ବିମାନରେ ୧୫୦ ଯାତ୍ରୀ ଥିଲେ ଏବଂ ସମସ୍ତେ ସୁରକ୍ଷିତ ଥିବା କୁହାଯାଇଛି ।

ଇଣ୍ଡିକେଟର ତ୍ରୁଟି ଯୋଗୁଁ କରାଚିରେ ବିମାନଟି ଜରୁରୀ ଅବତରଣ କରିଥିବା ଖବରକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ସ୍ପଷ୍ଟ କରିଛି।

ତେବେ ସ୍ପାଇସଜେଟ ମୁଖପାତ୍ର କହିଛନ୍ତି ଯେ ବିମାନର କୌଣସି ଜରୁରୀ ଅବତରଣ ହୋଇନଥିଲା ବରଂ ସାଧାରଣ ଅବତରଣ କରିଥିଲା। ବିମାନରେ ତ୍ରୁଟି ସମ୍ପର୍କରେ ପୂର୍ବରୁ କୌଣସି ଖବର ନଥିଲା। ଯାତ୍ରୀମାନଙ୍କୁ ଜଳଖିଆ ଦିଆଯାଇଛି। ଯାତ୍ରୀମାନଙ୍କୁ ଦୁବାଇ ନେବା ପାଇଁ କରାଚିକୁ ଏକ ବିମାନ ପଠାଯାଇଥିବା ସେ କହିଛନ୍ତି ।