ଆଇସିସି ଇଭେଣ୍ଟରେ କାହିଁକି ବାରମ୍ବାର ଝୁଣ୍ଟୁଛି ଭାରତ, କ'ଣ କହୁଛନ୍ତି କ୍ରୀଡ଼ା ମନୋବିଜ୍ଞାନୀ ? | News Room Odisha

ଆଇସିସି ଇଭେଣ୍ଟରେ କାହିଁକି ବାରମ୍ବାର ଝୁଣ୍ଟୁଛି ଭାରତ, କ’ଣ କହୁଛନ୍ତି କ୍ରୀଡ଼ା ମନୋବିଜ୍ଞାନୀ ?

ନୂଆଦିଲ୍ଲୀ: ପୁଣି ଏକ ଆଇସିସି ଇଭେଣ୍ଟର ବଡ଼ ମ୍ୟାଚରେ ଝୁଣ୍ଟିଛି ଭାରତ । ଭାରତ ରବିବାର ଅନୁଷ୍ଠିତ ଦିନିକିଆ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ୬ ୱିକେଟରେ ହାରିଯିବା ପରେ ତୃତୀୟ ଟାଇଟଲ୍ ସ୍ବପ୍ନ ଧୂଳିସାତ୍ ହୋଇଥିଲା । ଏହା ପରେ ପ୍ରଶଂସକଙ୍କ ଏକ ଗୋଷ୍ଠୀ ଭାରତୀୟ ଦଳକୁ ‘ଚୋକର୍’ (ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ହାରୁଥିବା ଦଳ) ଆଖ୍ୟା ଦେଲେଣି । ବଡ଼ ମ୍ୟାଚର ଚାପ ସମ୍ଭାଳିବା ସାମର୍ଥ୍ୟ ଭାରତୀୟ ଖେଳାଳିଙ୍କ ନାହିଁ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ମନସ୍ତତ୍ତ୍ୱବିତ୍ ମାନେ ଏଥିରେ ଏକମତ ନୁହଁନ୍ତି । ମନସ୍ତତ୍ତ୍ୱବିତଙ୍କ ମତରେ ଖେଳ ପଡ଼ିଆରେ ଏହା ଭାରତ ପାଇଁ ଏକ ଖରାପ ଦିନ ଥିଲା ।

ବିଶ୍ୱକପ୍‌ର ପ୍ରଥମ ୧୦ ମ୍ୟାଚ୍‌ରେ ଦମଦାର ବିଜୟ ପରେ ରୋହିତଙ୍କ ଟିମ୍ ଟ୍ରଫି ଜିତିବ ବୋଲି ଭାରତୀୟ କ୍ରିକେଟପ୍ରେମୀ ପୁରା ଆଶାବାଦୀ ଥିଲେ। କିନ୍ତୁ ଦଳ ଫାଇନାଲରେ ନିରାଶାଜନକ ପ୍ରଦର୍ଶନ କରିଥିଲା । କୋଟି କୋଟି ଫ୍ୟାନଙ୍କ ସ୍ବପ୍ନ ଭାଙ୍ଗି ଯାଇଥିଲା ।

ଭାରତ ଶେଷଥର ୨୦୧୩ରେ ଏକ ବିଶ୍ୱ ଟାଇଟଲ୍ ଜିତିଥିଲା, ଯେତେବେଳେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଦଳ ଚାମ୍ପିୟନ୍ସ ଟ୍ରଫି ବିଜୟୀ ହୋଇଥିଲା । ଏହା ପରେ ଟିମ୍ ଇଣ୍ଡିଆ ପାଞ୍ଚଟି ଆଇସିସି ଫାଇନାଲ୍ ଓ ଚାରିଟି ସେମିଫାଇନାଲ ମ୍ୟାଚରେ ପରାସ୍ତ ହୋଇଛି ।

ଆଇସିସି ଟାଇଟଲ୍ ଓ ନକ୍ଆଉଟ୍ ମ୍ୟାଚ୍ ରେ ଲଗାତାର ଖରାପ ପ୍ରଦର୍ଶନ ପରେ ଏବେ ପ୍ରଶ୍ନ ଉଠୁଛି – ଭାରତୀୟ ଦଳ ପାଇଁ ଏହା ଏକ ଖରାପ ଦିନ ଥିଲା ନା ଖେଳାଳିମାନେ ପ୍ରକୃତରେ ଏଭଳି ମ୍ୟାଚ୍ ରେ ‘ଚୋକ୍’ କରୁଛନ୍ତି ?

କ୍ରୀଡ଼ା ମନୋବିଜ୍ଞାନୀ ଗାୟତ୍ରୀ ଭର୍ତ୍ତକ କହିଛନ୍ତି, ଏହା ମାନସିକ ଚାପ ଜନିତ ସମସ୍ୟା ନୁହେଁ । ସେଦିନ (ଫାଇନାଲରେ) ଅଷ୍ଟ୍ରେଲିଆ ଏକ ଭଲ ରଣନୀତି ସହ ପଡ଼ିଆକୁ ଓହ୍ଲାଇଥିଲା ।

ସେ କହିଛନ୍ତି, ଭାରତୀୟ ଦଳ କୌଣସି ଦୃଷ୍ଟିରୁ ମାନସିକ ସ୍ତରରେ ସଂଘର୍ଷ କରୁଛି ବୋଲି ମୁଁ ଭାବୁନାହିଁ । ଚାପରେ ଆସି ଦଳ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହେଲା ବୋଲି ଭାବିବା ଠିକ୍ ନୁହେଁ।

ସେ କହିଛନ୍ତି, “ ଭାରତୀୟ ଦଳ ସକାରାତ୍ମକ ଆଭିମୁଖ୍ୟ ସହ ଟୁର୍ଣ୍ଣାମେଣ୍ଟକୁ ଆସିଥିଲା ଓ ଫାଇନାଲ ପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଥିଲେ । ଜଣେ ଖେଳାଳିଙ୍କ ମନରେ ଗତ ମ୍ୟାଚର ସ୍ମୃତି ରହିବ, ତିନି ବର୍ଷ ପୂର୍ବେ ଖେଳାଯାଇଥିବା ମ୍ୟାଚ୍ ନୁହେଁ | ଏଠାରେ ଗତ ମ୍ୟାଚ୍ ଥିଲା ସେମିଫାଇନାଲ ଯେଉଁଥିରେ ଦଳ ବିଜୟୀ ହୋଇଥିଲା ।

ଦିଲ୍ଲୀର ଫୋର୍ଟିସ୍ ହସ୍ପିଟାଲର କ୍ରୀଡ଼ା ମନୋବିଜ୍ଞାନୀ ଦୀୟା ଜୈନ କହିଛନ୍ତି, ଖେଳାଳିଙ୍କ ଉପରେ ଏକ ବଡ଼ ମ୍ୟାଚର ଚାପ ପଡ଼ିପାରେ । କିନ୍ତୁ ଭାରତର ପ୍ରଦର୍ଶନରେ ଆମେ ଖୁସି ହେବା ଉଚିତ।

ସେ କହିଛନ୍ତି, “ଯେକୌଣସି ଦଳର ଖରାପ ଦିନ ହୋଇପାରେ, ଏହାକୁ ସ୍ବୀକାର କରି ଏଥିରୁ ଶିଖିବାକୁ ପଡ଼ିଥାଏ । ଅଷ୍ଟ୍ରେଲିଆ ଫାଇନାଲରେ ଯୋଜନାବଦ୍ଧ ପ୍ରଦର୍ଶନ କରିଥିଲା ଏବଂ ନିଜ ଦକ୍ଷତା ଉପରେ ସେମାନଙ୍କ ବିଶ୍ୱାସ ଥିଲା । ସେମାନେ ଆରମ୍ଭରୁ ପୂରା ମ୍ୟାଚକୁ ନିୟନ୍ତ୍ରଣରେ ରଖିଥିଲେ | ବଡ଼ ମ୍ୟାଚର ଚାପ ନକାରାତ୍ମକ ପ୍ରଭାବ ପକାଇପାରେ । ତେଣୁ ମାନସିକ ସ୍ତରରେ ପ୍ରସ୍ତୁତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ”

ଜୈନ କହିଛନ୍ତି, “ଏହା ପରାଜୟର ସମୀକ୍ଷାର ସମୟ ନୁହେଁ, ବରଂ ଉତ୍ସବର ସମୟ । ବିଶ୍ୱକପ ଫାଇନାଲିଷ୍ଟ ହେବା ଏବଂ ଲଗାତାର ୧୦ଟି ମ୍ୟାଚ ଜିତିବା ଏକ ଉଲ୍ଲେଖନୀୟ ସଫଳତା। ”

ଭାରତରେ କ୍ରିକେଟ୍ ଖେଳାଳିଙ୍କୁ ମହାନାୟକ ଭଳି ମାନ୍ୟତା ଦିଆଯାଏ | ଅନେକ ପ୍ରଶଂସକ ମଧ୍ୟ କ୍ରିକେଟ୍ ଖେଳାଳିମାନଙ୍କୁ ପୂଜା କରନ୍ତି ଏବଂ ସେମାନଙ୍କ ଏକ ଝଲକ ପାଇବାକୁ ବ୍ୟାକୁଳ ହୋଇ ଉଠନ୍ତି |

କ୍ରୀଡ଼ା ମନୋବିଜ୍ଞାନୀ ଗାୟତ୍ରୀ ଭର୍ତ୍ତକ କୁହନ୍ତି, “ଭାରତୀୟ ପ୍ରଶଂସକମାନେ ଖେଳାଳିଙ୍କ ପାଇଁ ଇନ୍ଧନ ଭଳି କାମ କରନ୍ତି। ସେମାନଙ୍କ ସମ୍ପର୍କ ଅତ୍ୟନ୍ତ ଆବେଗପୂର୍ଣ୍ଣ ହୋଇଥାଏ । ପ୍ରଶଂସକମାନେ ଖେଳାଳିଙ୍କ ସମାଲୋଚକ ହୋଇପାରନ୍ତି କିନ୍ତୁ ସେମାନେ ମଧ୍ୟ ବହୁତ ସହାୟକ ହୋଇଥାନ୍ତି |