ପାକିସ୍ତାନ ବିଦା, ଭାରତ-ଶ୍ରୀଲଙ୍କା ଏସିଆ କପ୍ ଫାଇନାଲ୍ | News Room Odisha

ପାକିସ୍ତାନ ବିଦା, ଭାରତ-ଶ୍ରୀଲଙ୍କା ଏସିଆ କପ୍ ଫାଇନାଲ୍

କଲମ୍ବୋ: ଚଳିତ ଏସିଆ କପ୍‌ରେ ଗୁରୁବାର ଅନୁଷ୍ଠିତ ସୁପର- ୪ ରାଉଣ୍ଡର ଏକ ରୋମାଞ୍ଚକର ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ୍ ଶ୍ରୀଲଙ୍କା ୨ ୱିକେଟ୍‌ରେ ପାକିସ୍ତାନକୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛି । ଶ୍ରୀଲଙ୍କା ଲଗାତାର ଦ୍ବିତୀୟ ଓ ମୋଟ ୧୧ତମ ଥର ପାଇଁ ଫାଇନାଲରେ ପହଞ୍ଚିଛି । ଏହି ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି ପାକିସ୍ତାନ। ରବିବାର ଖେଳାଯିବାକୁ ଥିବା ଫାଇନାଲରେ ଭାରତ-ଶ୍ରୀଲଙ୍କା ମୁହାଁମୁହିଁ ହେବେ।

ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪୨ ଓଭରରେ ୭ ୱିକେଟ୍ ହରାଇ ୨୫୨ ରନ୍ ସଂଗ୍ରହ କରିଥିଲା।

ଜବାବରେ ଶ୍ରୀଲଙ୍କା ୮ ୱିକେଟ ହରାଇ ଶେଷ ବଲରେ ବିଜୟ ହାସଲ କରିଥିଲା । ଶେଷ ଓଭରରେ ବିଜୟ ପାଇଁ ୮ ରନ୍ ଆବଶ୍ୟକ ହେଉଥିଲା। ପ୍ରଥମ ୪ଟି ବଲ୍‌ରେ ୨ ରନ୍ ସଂଗୃହୀତ ହୋଇଥିଲା ଓ ଅଷ୍ଟମ ୱିକେଟ୍ର ପତନ ଘଟିଥିଲା। ମାତ୍ର ପଞ୍ଚମ ବଲ୍‌ରେ ଚରିଥ ଆଶାଲଙ୍କା ଚୌକା ମାରିଥିଲେ। ଶେଷ ବଲରେ ବାକି ରନ ଅଟକାଇବାକୁ ପାକିସ୍ତାନ ଜୋରଦାର ପ୍ରୟାସ କରିଥିଲେ ହେଁ ସଫଳ ହୋଇପାରି ନଥିଲା। ଶ୍ରୀଲଙ୍କା ତରଫରୁ କୁଶଲ ମେଣ୍ଡିସ୍ ସର୍ବାଧିକ ୯୧ ରନ୍ କରିଥିବା ବେଳେ ସମରବିକ୍ରମା ୪୮ ଓ ଚରିତ୍ ଅସଲଙ୍କା ଅପରାଜିତ ୪୯ ରନ୍ କରିଥିଲେ ।