ବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟ ଆଦାନୀ ଗ୍ରୁପକୁ ଦେବା ପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଉପରେ ଚାପ ପକାଇଥିଲେ ମୋଦି ! | News Room Odisha

ବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟ ଆଦାନୀ ଗ୍ରୁପକୁ ଦେବା ପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଉପରେ ଚାପ ପକାଇଥିଲେ ମୋଦି !

ନୂଆଦିଲ୍ଲୀ: ଶ୍ରୀଲଙ୍କାର ସିଲନ୍ ଇଲେକ୍ଟ୍ରିସିଟି ବୋର୍ଡ (ସିଇବି)ର ଚେୟାରମ୍ୟାନ୍ ସଂସଦୀୟ କମିଟି ଆଗରେ ଦେଇଥିବା ଏକ ବୟାନକୁ ନେଇ ଉଭୟ ଭାରତ ଓ ଶ୍ରୀଲଙ୍କାରେ ରାଜନୈତିକ ବିବାଦ ସୃଷ୍ଟି ହୋଇଛି । ସିଇବି ଚେୟାରମ୍ୟାନ୍ ନିକଟରେ ଶ୍ରୀଲଙ୍କା ସଂସଦୀୟ କମିଟି ସମ୍ମୁଖରେ କହିଥିଲେ ଯେ ଏକ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ଟେଣ୍ଡର ଆଦାନୀ ଗ୍ରୁପକୁ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ଉପରେ ଚାପ ପକାଇଥିଲେ ।

ତେବେ ତାଙ୍କର ଏହି ବୟାନକୁ ନେଇ ଉଭୟ ଶ୍ରୀଲଙ୍କା ଓ ଭାରତରେ ଝଡ଼ ସୃଷ୍ଟି ହେବା ପରେ ସିଇବି ଅଧ୍ୟକ୍ଷ ନିଜ ବୟାନ ପ୍ରତ୍ୟାହାର କରି ନେଇଛନ୍ତି । ଏହି ଅଭିଯୋଗକୁ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ମଧ୍ୟ ଅସ୍ୱୀକାର କରିଛନ୍ତି । ହେଲେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘେରିଛନ୍ତି ବିରୋଧୀ ଦଳ। ସିଇବି ଚେୟାରମ୍ୟାନଙ୍କ ବୟାନରୁ ଆଦାନୀ ଗ୍ରୁପ ପାଇଁ ମୋଦି କିପରି ପ୍ରତିନିଧି ସାଜିଛନ୍ତି ତାହା ପୁଣି ସ୍ପଷ୍ଟ ହୋଇଯାଇଛି ବୋଲି ବିରୋଧୀ କହିଛନ୍ତି ।

ସିଇବି ଅଧ୍ୟକ୍ଷ ଏମଏମସି ଫର୍ଡିନାଣ୍ଡୋ, ଜୁନ ୧୦, ଶୁକ୍ରବାର ଦିନ ସଂସଦର ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ କମିଟିକୁ କହିଥିଲେ ଯେ, ଶ୍ରୀଲଙ୍କାର ମାନ୍ନାର ଜିଲ୍ଲାରେ ଏକ ଓ୍ବିଣ୍ଡ ପାୱାର ପ୍ଲାଣ୍ଟ ନିର୍ମାଣ ପାଇଁ ଭାରତର ଆଦାନୀ ଗ୍ରୁପକୁ ଟେଣ୍ଡର ପ୍ରଦାନ କରାଯାଇଥିଲା। ସେ କହିଛନ୍ତି ଯେ ଆଦାନୀ ଗ୍ରୁପକୁ ଏହି ଡିଲ୍ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ଶ୍ରୀଲଙ୍କା ରାଷ୍ଟ୍ରପତି ରାଜପକ୍ଷେଙ୍କ ଉପରେ ଚାପ ପ୍ରୟୋଗ କରାଯାଇଥିଲା ।

ଫର୍ଡିନାଣ୍ଡୋ ସଂସଦୀୟ କମିଟିକୁ କହିଥିଲେ ଯେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ତାଙ୍କୁ କହିଥିଲେ ଯେ ଭାରତ ସରକାରଙ୍କ ଚାପ ଯୋଗୁଁ ଆଦାନୀ ଗ୍ରୁପକୁ ଟେଣ୍ଡର ପ୍ରଦାନ କରାଯାଇଛି।

ତେବେ ଏହାର ଦିନକ ପରେ ଅର୍ଥାତ୍ ଜୁନ୍ ୧୧ ସନ୍ଧ୍ୟାରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ।

ଅଭିଯୋଗକୁ ଖଣ୍ଡନ କରି ଗୋଟାବାୟା ରାଜପକ୍ଷେଙ୍କ ଟ୍ୱିଟ ପରେ ସିଇବି କାର୍ଯ୍ୟାଳୟ ମଧ୍ୟ ଏହି ପ୍ରସଙ୍ଗରେ ବିସ୍ତୃତ ବିବୃତ୍ତି ଜାରି କରି ଏହାର ଚେୟାରମ୍ୟାନଙ୍କ ବୟାନକୁ ପ୍ରତ୍ୟାଖ୍ୟାନ କରିଛି ।