ଶ୍ରୀଲଙ୍କା ସଙ୍କଟ: ଦେଶ ଛାଡ଼ି ପଳାଇଲେ ରାଷ୍ଟ୍ରପତି ରାଜପକ୍ଷେ | News Room Odisha

ଶ୍ରୀଲଙ୍କା ସଙ୍କଟ: ଦେଶ ଛାଡ଼ି ପଳାଇଲେ ରାଷ୍ଟ୍ରପତି ରାଜପକ୍ଷେ

କଲମ୍ବୋ: ଆର୍ଥିକ ସଙ୍କଟକୁ ନେଇ ତୀବ୍ର ବିରୋଧ ମଧ୍ୟରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ସେନା ଜେଟରେ ସପରିବାର ଦେଶ ଛାଡି ପଳାଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ୭୩ ବର୍ଷୀୟ ରାଜପକ୍ଷେ ନିଜ ପତ୍ନୀ ଓ ଦୁଇ ଅଙ୍ଗରକ୍ଷୀଙ୍କ ସହ ବୁଧବାର ସ୍ଥାନୀୟ ସମୟ ଭୋର୍ ଟା୩ରେ ମାଲଦ୍ୱୀପର ରାଜଧାନୀ ମାଲେରେ ପହଞ୍ଚିଛନ୍ତି ।

ରାଜପକ୍ଷେଙ୍କ ପଳାୟନ ସହିତ ଶ୍ରୀଲଙ୍କାରେ ଏକ ଦଶନ୍ଧି ଧରି ଚାଲିଥିବା ରାଜପକ୍ଷେ ପରିବାରର ଶାସନ ଶେଷ ହୋଇଛି। ଗତ ଶନିବାର ହଜାର ହଜାର ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନକୁ କବଜା କରିଥିଲେ । ଫଳରେ ଗୋଟାବାୟା ରାଜପକ୍ଷେଙ୍କୁ ଆତ୍ମଗୋପନ କରିବାକୁ ପଡିଥିଲା।

ଗୋଟାବାୟା ଆଜି ତଥା ଜୁଲାଇ ୧୩ରେ ଇସ୍ତଫା ଦେବେ ବୋଲି କହିଥିଲେ ।

ରାଷ୍ଟ୍ରପତିଙ୍କ ଦେଶରୁ ପଳାୟନ ଖବର ଆସିବା ପରେ ଲୋକମାନେ ଗଲ୍ ଫେସ୍ ଗ୍ରୀନରେ ଖୁସି ମନାଇଛନ୍ତି। ଗଲ୍ ସରକାର ବିରୋଧୀ ଆନ୍ଦୋଳନର କେନ୍ଦ୍ର ସ୍ଥଳୀ ଥିଲା ।

ରାଷ୍ଟ୍ରପତିଙ୍କ ଇସ୍ତଫାକୁ ଅପେକ୍ଷା କରି ମଙ୍ଗଳବାର ସନ୍ଧ୍ୟାରେ ଗଲେ ପାର୍କରେ ହଜାର ହଜାର ଲୋକ ଏକାଠି ହୋଇଥିଲେ।

ଶ୍ରୀଲଙ୍କାର ଲୋକମାନେ ଦେଶର ଅର୍ଥନୈତିକ ବିନାଶ ପାଇଁ ରାଜପକ୍ଷେ ଶାସନକୁ ଦାୟୀ ବୋଲି କରିଥିଲେ । ଦଶନ୍ଧି ମଧ୍ୟରେ ଶ୍ରୀଲଙ୍କା ସବୁଠାରୁ ଉତ୍କଟ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ମାସ ମାସ ଧରି ଶ୍ରୀଲଙ୍କାର ଲୋକମାନେ ଦୈନିକ ବିଦ୍ୟୁତ କାଟ, ତୈଳ, ଖାଦ୍ୟ ଏବଂ ଔଷଧ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବକୁ ନେଇ ହାହାକାର ପଡ଼ିଛି ।

କୁହାଯାଉଛି ଯେ ରାଷ୍ଟ୍ରପତି ଗୋଟାବାୟା ତାଙ୍କ ଇସ୍ତଫା ପୂର୍ବରୁ ଦେଶ ଛାଡିବାକୁ ଚାହୁଁଥିଲେ ଯାହା ଦ୍ଵାରା ନୂଆ ପ୍ରଶାସନ ତାଙ୍କୁ ଗିରଫ କରିପାରିବ ନାହିଁ। ରାଷ୍ଟ୍ରପତି ଥିବାବେଳେ ତାଙ୍କୁ ଗିରଫ କରାଯାଇ ପାରିନଥାନ୍ତା।

ରାଷ୍ଟ୍ରପତିଙ୍କ ପଳାୟନ ସହିତ ଶ୍ରୀଲଙ୍କାର ଶାସନରେ କେହି ନ ରହିବାର ବିପଦ ମଧ୍ୟ ଅନୁଭବ କରାଯାଉଛି। ସାମ୍ପ୍ରତିକ ପରିସ୍ଥିତିରେ ଶ୍ରୀଲଙ୍କା ଏକ ଶାସନ ବ୍ୟବସ୍ଥା ଜରୁରୀ ହୋଇପଡ଼ିଛି ଯାହା ଦ୍ଵାରା ଆର୍ଥିକ ସଙ୍କଟର ସମାଧାନ ବାହାର କରାଯାଇ ପାରିବ |

ସର୍ବଦଳୀୟ ନେତାମାନେ ମିଳିତ ସରକାର ଗଠନ ପାଇଁ ଆଲୋଚନା ଜାରି ରଖିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ଷରେ ପହଞ୍ଚି ପାରିନାହାନ୍ତି । ଲୋକମାନେ ନୂଆ ସରକାର ଗ୍ରହଣ କରିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଶ୍ରୀଲଙ୍କାର ସମ୍ବିଧାନ ବିଶେଷଜ୍ଞମାନେ କହିଛନ୍ତି ଯେ ସଂସଦର ବାଚସ୍ପତି ପରବର୍ତ୍ତୀ କାର୍ଯ୍ୟକାରୀ ରାଷ୍ଟ୍ରପତି ହୋଇପାରନ୍ତି, ଯଦିଓ ବାଚସ୍ପତି ମହିନ୍ଦା ୟାପ ଅଭୟବର୍ଦ୍ଧନେ ରାଜପକ୍ଷେଙ୍କର ଜଣେ ସହଯୋଗୀ ଅଟନ୍ତି | ଜନସାଧାରଣ ତାଙ୍କୁ ଗ୍ରହଣ କରିବେ କି ନାହିଁ ସେନେଇ ସନ୍ଦେହ ରହିଛି।

ଯଦି କେହି କାର୍ଯ୍ୟକାରୀ ରାଷ୍ଟ୍ରପତି ହୁଅନ୍ତି, ତେବେ ୩୦ ଦିନ ମଧ୍ୟରେ ସଂସଦର ସଦସ୍ୟମାନଙ୍କ ମଧ୍ୟରୁ ଜଣଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାକୁ ପଡିବ | ଯିଏ ଏଥିରେ ନିର୍ବାଚିତ ହେବ ସେ ରାଜପକ୍ଷେଙ୍କର କାର୍ଯ୍ୟକାଳର ଅବଶିଷ୍ଟାଂଶ ଅର୍ଥାତ୍ ୨୦୨୪ ପର୍ଯ୍ୟନ୍ତ ପଦରେ ରହିବେ ।