ଶ୍ରୀଲଙ୍କାରେ ହାହାକାର: ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ, ଦୈନିକ ୧୩ ଘଣ୍ଟା ବିଦ୍ୟୁତ୍ କାଟ୍, ରାଷ୍ଟ୍ରପତିଙ୍କ ବାସଭବନ ଘେରିଲେ ଲୋକ | News Room Odisha

ଶ୍ରୀଲଙ୍କାରେ ହାହାକାର: ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ, ଦୈନିକ ୧୩ ଘଣ୍ଟା ବିଦ୍ୟୁତ୍ କାଟ୍, ରାଷ୍ଟ୍ରପତିଙ୍କ ବାସଭବନ ଘେରିଲେ ଲୋକ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ସଙ୍ଗୀନ୍ ହୋଇଛି। ସ୍ୱାଧୀନତା ପରଠାରୁ ଦେଶ ସବୁଠାରୁ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି | ଡିଜେଲର ବିକ୍ରୟ ବନ୍ଦ ହୋଇଯାଇଛି, ଯେଉଁଥିପାଇଁ ପରିବହନ ବ୍ୟବସ୍ଥା ଅଚଳ ହୋଇଯାଇଛି | ଦେଶରେ ଦୈନିକ ୧୩ ଘଣ୍ଟା ପାଇଁ ବିଦ୍ୟୁତ୍ କାଟ୍ ହେଉଛି | ବିଦ୍ୟୁତ୍ ସଞ୍ଚୟ ପାଇଁ ଷ୍ଟ୍ରିଟ୍ ଲାଇଟ୍ ବନ୍ଦ କରିବାକୁ ସରକାର ଯୋଜନା କରିଛନ୍ତି। ଅତ୍ୟାବଶ୍ୟକ ଜିନିଷର ଆମଦାନୀ ପାଇଁ ଦେୟ ଦେବାକୁ ଦେଶରେ ଯଥେଷ୍ଟ ବୈଦେଶିକ ମୁଦ୍ରା ମଧ୍ୟ ନାହିଁ | ଏହି କାରଣରୁ ଦେଶର ୨.୨ କୋଟି ଲୋକଙ୍କ ଜୀବନ କଷ୍ଟସାଧ୍ୟ ହୋଇପଡିଛି। ସେମାନଙ୍କ ଧୈର୍ଯ୍ୟଚ୍ୟୁତ ହୋଇଛି ‌‌। ଅସନ୍ତୋଷ ଲୋକ ଗତକାଲି ରାତିରେ ରାଷ୍ଟ୍ରପତି ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏପରିକି ଲୋକମାନେ ରାଷ୍ଟ୍ରପତିଙ୍କ ବାସଭବନ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ପୋଲିସର କାର୍ଯ୍ୟାନୁଷ୍ଠାନରେ ଅନେକ ଲୋକ ଆହତ ହୋଇଥିଲେ । ଏହି ଘଟଣାରେ ୪୫ ଲୋକଙ୍କୁ ପୋଲିସ ଅଟକ ରଖିଛି ।

ଅଧିକାରୀଙ୍କ ଅନୁଯାୟୀ ଦେଶର ପେଟ୍ରୋଲ ପମ୍ପରେ ଡିଜେଲ ସରିଯାଇଛି। ପେଟ୍ରୋଲ ଯୋଗାଣ ମଧ୍ୟ ବହୁତ କମ୍ ହୋଇଯାଇଛି | ସ୍ଥିତି ଏପରି ହୋଇଛି ଯେ ପେଟ୍ରୋଲକୁ ଅପେକ୍ଷା କରୁଥିବା ଲୋକମାନେ ନିଜ କାର୍ ଛାଡି ଯାଉଛନ୍ତି। ଦେଶର ପରିବହନ ମନ୍ତ୍ରୀ ଦିଲାମ ଅମୁନୁଗାମା କହିଛନ୍ତି ଯେ ମରାମତି ପାଇଁ ଗ୍ୟାରେଜରେ ରଖାଯାଇଥିବା ବସ୍‌ରୁ ଡିଜେଲ ବାହାର କରି କାମ ଚାଲିଛି। ଦେଶରେ ଦୁଇ ତୃତୀୟାଂଶ ବସ୍ ଘରୋଇ ଅଟେ | ବସ୍ ମାଲିକ କହିଛନ୍ତି ଯେ ସେମାନଙ୍କ ପାଖରେ ତେଲ ନାହିଁ ଏବଂ ଶୁକ୍ରବାର ପରେ ବସ୍ ଚଳାଇବା କଷ୍ଟକର ହେବ |

ପ୍ରାଇଭେଟ ବସ୍ ଅପରେଟର୍ସ ଆସୋସିଏସନର ଚେୟାରମ୍ୟାନ୍ ଜେମୁନୁ ବିଜୟରତନ କହିଛନ୍ତି ଯେ ଆମେ ବର୍ତ୍ତମାନ ଡିଜେଲର ପୁରୁଣା ଷ୍ଟକ୍ ବ୍ୟବହାର କରୁଛୁ। ଯଦି ସନ୍ଧ୍ୟା ସୁଦ୍ଧା ଯୋଗାଣ ନହୁଏ, ତେବେ ଆମେ ବସ୍ ଚଲାଇ ପାରିବୁ ନାହିଁ | ଏହି ସମୟରେ ବିଦ୍ୟୁତ୍ ସଞ୍ଚୟ ପାଇଁ ଷ୍ଟ୍ରିଟ୍ ଲାଇଟ୍ ବନ୍ଦ କରିବାକୁ ସରକାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶକ୍ତିମନ୍ତ୍ରୀ ପବିତ୍ରା ଭାନାରାଚି କହିଛନ୍ତି। ସେ କହିଛନ୍ତି ଯେ ୫୦୦ ମିଲିୟନ୍ ଡଲାରର କ୍ରେଡିଟ୍ ଲାଇନ୍ ଅନ୍ତର୍ଗତ ଭାରତରୁ ପ୍ରଥମ ଦଫା ଡିଜେଲ୍ ଶନିବାର ଦିନ ପହଞ୍ଚିବ ବୋଲି ଆଶା କରାଯାଉଛି। କିନ୍ତୁ ସେ ଆହୁରି ମଧ୍ୟ ଚେତାବନୀ ଦେଇଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ନିକଟ ଭବିଷ୍ୟତରେ ସୁଧାର ନ ଆସିପାରେ |

ଦେଶରେ ୧୩ ଘଣ୍ଟା ପାଇଁ ବିଦ୍ୟୁତ କାଟ୍ କରାଯାଉଛି | ଏହାର କାରଣ ହେଉଛି ବିଦ୍ୟୁତ୍ ଉତ୍ପାଦନ ପାଇଁ ଜେନେରେଟରଗୁଡ଼ିକରେ ଡିଜେଲ ନାହିଁ | ସିଲନ୍ ବିଦ୍ୟୁତ୍ ବୋର୍ଡର ଚେୟାରମ୍ୟାନ୍ ଏମ୍ଏମ୍ସି ଫର୍ଡିନାଣ୍ଡୋ କହିଛନ୍ତି ଯେ ଦୁଇ ଦିନ ମଧ୍ୟରେ ଆମକୁ ଏକ ନୂତନ ଯୋଗାଣର ପ୍ରତିଶୃତି ଦିଆଯାଇଛି। ଯଦି ଏହା ହୁଏ ତେବେ ବିଦ୍ୟୁତ୍ କାଟ୍ ହ୍ରାସ ହୋଇପାରେ | ସେ କହିଛନ୍ତି ଯେ ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରୁ ବିଦ୍ୟୁତ୍ ଯୋଗାଣ ମଧ୍ୟ ହ୍ରାସ ପାଇଛି।

ଦୀର୍ଘ ସମୟ ବିଦ୍ୟୁତ କାଟ୍ ଯୋଗୁଁ କଲମ୍ବୋ ଷ୍ଟକ୍ ଏକ୍ସଚେଞ୍ଜ କାରବାର ଦୁଇ ଘଣ୍ଟାକୁ ହ୍ରାସ କରିଛି | ଅନେକ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ଘରେ ରହିବାକୁ କୁହାଯାଇଛି। ବିଦ୍ୟୁତ୍ ଅଭାବ କାରଣରୁ ମୋବାଇଲ୍ ଫୋନ୍ ବେସ୍ ଷ୍ଟେସନ୍ ମଧ୍ୟ ପ୍ରଭାବିତ ହୋଇଛି। ଅପରେଟରମାନେ କହିଛନ୍ତି ଯେ ଏହା କଲ୍ ମାନକୁ ପ୍ରଭାବିତ କରିଛି | ସେମାନଙ୍କ ଷ୍ଟାଣ୍ଡ-ବାଇ ଜେନେରେଟର ପାଇଁ କୌଣସି ଡିଜେଲ ନାହିଁ | ବିଦ୍ୟୁତ ଅଭାବରୁ ସାରା ଦେଶରେ ଲୋକଙ୍କ ମଧ୍ୟରେ କ୍ରୋଧ ଅସନ୍ତୋଷ ବଢିବାରେ ଲାଗିଛି। ଅନେକ ସହରରେ ଲୋକମାନେ ଏହା ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇଛନ୍ତି |

ଅନେକ ସରକାରୀ ଡାକ୍ତରଖାନା ଅତ୍ୟାବଶ୍ୟକ ଔଷଧ ସରିଯାଇଥିବାରୁ ଅସ୍ତ୍ରୋପଚାର ବନ୍ଦ କରି ଦେଇଛନ୍ତି। ଆଉ କେତେକ ଡାକ୍ତରଖାନା ନିଦାନ ପରୀକ୍ଷା ବନ୍ଦ କରିଦେଇଛନ୍ତି । କାରଣ ସେଥିରେ ବ୍ୟବହୃତ ରାସାୟନିକ ପଦାର୍ଥ ଆମଦାନୀ ହେଉନାହିଁ | ବୈଦେଶିକ ମୁଦ୍ରା ସଞ୍ଚୟ କରିବାକୁ ଶ୍ରୀଲଙ୍କା ମାର୍ଚ୍ଚ ୨୦୨୦ ରେ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଯାହା ଦ୍ଵାରା ବୈଦେଶିକ ଋଣ ପରିଶୋଧ ହୋଇପାରିବ। କିନ୍ତୁ ଏହାଦ୍ୱାରା ଦେଶରେ ଅତ୍ୟାବଶ୍ୟକ ଦ୍ରବ୍ୟର ଘୋର ଅଭାବ ଦେଖାଦେଇଥିଲା ଏବଂ ମୂଲ୍ୟରେ କ୍ରମାଗତ ବୃଦ୍ଧି ଘଟିଥିଲା ​​|

ଶ୍ରୀଲଙ୍କା ସରକାର କହିଛନ୍ତି ଯେ ଅନ୍ତର୍ଜାତୀୟ ମୁଦ୍ରା କୋଷ (ଆଇଏମଏଫ) ସହ ଭାରତ ଏବଂ ଚୀନ୍ ଠାରୁ ଅଧିକ ଋଣ ପାଇଁ ଅନୁରୋଧ କରାଯାଇଛି। କରୋନା ମହାମାରୀ ଶ୍ରୀଲଙ୍କାର ଆର୍ଥିକ ସ୍ଥିତିକୁ ଅତ୍ୟନ୍ତ ଦୟନୀୟ କରିଥିଲା। ଏହି କାରଣରୁ ଦେଶରେ ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହୋଇଥିଲା। ଅନେକ ବିଶେଷଜ୍ଞ କହିଛନ୍ତି ଯେ ଏଥିପାଇଁ ସରକାରଙ୍କ ଭୁଲ ନୀତି ଦାୟୀ। ଅଯଥା ଟିକସ ହ୍ରାସ କରିବା ଏବଂ ବଜେଟର ନିଅଣ୍ଟିଆ ସ୍ଥିତିକୁ ଅଣଦେଖା କରିବା ମହଙ୍ଗା ପଡ଼ଛି ବୋଲି ବିଶେଷଜ୍ଞ କହିଛନ୍ତି ।