ସର୍ବସମ୍ମତ ଅନୁମତି ପରେ ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ସ୍ପଷ୍ଟ କଲା ବିଜେଡି | News Room Odisha

ସର୍ବସମ୍ମତ ଅନୁମତି ପରେ ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ସ୍ପଷ୍ଟ କଲା ବିଜେଡି

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ଵାରା ପ୍ରସ୍ତୁତ ହୋଇଛି। ଏହାପରେ ଅନୁମୋଦିତ ଲୋକଙ୍କ ମତାମତ ପାଇଁ ପବ୍ଲିକ ଡୋମେନରେ ପ୍ରକଳ୍ପଟି ରଖାଯିବା ସହ ବିଧାନସଭାରେ ସର୍ବସମ୍ମତ କ୍ରମେ ପାରିତ ହୋଇଛି। ଆଉ ସର୍ବସମ୍ମତ ଅନୁମତି ପରେ ହିଁ ସବୁ ଆନୁଷଙ୍ଗିକ ବିଧି ବ୍ୟବସ୍ଥା ପାଳନ କରାଯାଇ କାମ ଆରମ୍ଭ ହୋଇଛି ବୋଲି ଆଜି ବିଜେଡି ପକ୍ଷରୁ ପ୍ରେସ୍ ବିବୃତିରେ କୁହାଯାଇଛି। ଏପରିକି ପ୍ରକଳ୍ପ ଶିଳାନ୍ୟାସ ପର୍ବରେ ସବୁ ଦଳର ନେତାଙ୍କ ଉପସ୍ଥିତ ଥିଲେ। ତେଣୁ ଅଧିକ ବିବାଦ ନ କରି ଆଗକୁ ମୌସୁମୀ ଓ ରଥଯାତ୍ରା ଆସୁଥିବାରୁ ପ୍ରକଳ୍ପ କାର୍ଯ୍ଯରେ ସମସ୍ତେ ସହଯୋଗ କରିବାକୁ ଦଳ ଆହ୍ବାନ ଦେଇଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ଵାରା ପ୍ରସ୍ତୁତ ଏବଂ ଅନୁମୋଦନ କରାଯାଇଛି । ପ୍ରଥମତଃ ସାଧାରଣ ଲୋକେ ଏବଂ ବିଭିନ୍ନ ସଂଗଠନର ମତାମତ ପାଇଁ ଏହି ଯୋଜନାକୁ ପବ୍ଲିକ ଡୋମେନରେ ରଖାଯାଇଥିଲା । ଏହାପରେ ପରିଚାଳନା କମିଟି ଦ୍ଵାରା ଏହି ଯୋଜନା ଅନୁମୋଦନ କରାଯାଇଥିଲା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ମହାନ୍ତି କହିଛନ୍ତି ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଓଡିଶା ସରକାରଙ୍କ ନିକଟକୁ ଆସିଥିଲା ଯାହାକୁ ସରକାର ଅନୁମୋଦନ କରିପାରିଥାନ୍ତେ । କିନ୍ତୁ ଏହା କରିବା ବଦଳରେ ପ୍ରକଳ୍ପକୁ ଓଡିଶା ବିଧାନସଭା ମାଧ୍ୟମରେ ଓଡ଼ିଶାର ଲୋକଙ୍କ ନିକଟକୁ ନେବାକୁ ନିଷ୍ପତ୍ତି ନିଆଯାଇଥିଲା । ସେଠାରେ ଏହି ଯୋଜନାଟି ସମସ୍ତ ବିଧାୟକଙ୍କ ଦ୍ଵାରା ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା । ଯୋଜନା ଅନୁମୋଦନ ହେବା ପରେ ଏହାକୁ ଜାତୀୟ ଐତିହ୍ୟ ପ୍ରାଧିକରଣ ( ଏନ୍‌ଏସ୍ଏ ) କୁ ପଠାଯାଇଥିଲା ଯିଏ କି ପ୍ରସ୍ତାବକୁ ଅନୁମୋଦନ କରିଥିଲେ । ଏନ୍ଏମ୍ଏ ଅନୁମୋଦନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା । ଏହି ସମାରୋହ ପାଇଁ ସମସ୍ତ ରାଜନୈତିକ ଦଳର ନେତାଙ୍କ ସହିତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହା ପରେ କାମ ଆରମ୍ଭ ହେଲା ।

ଏଏସ୍‌ଇ କିଛି ପରାମର୍ଶ ଦେଇଥିଲା ଯାହା ବିଧିବଦ୍ଧ ଭାବରେ ସାମିଲ କରାଯାଇଥିଲା ଏବଂ ସେହି ଅନୁଯାୟୀ ସଂଶୋଧନ କରାଯାଇଥିଲା । ସାଧାରଣ ଲୋକ ଏବଂ ବିଭିନ୍ନ ସଂଗଠନ ସହିତ ପରାମର୍ଶ କରିବା ପରେ , ଓଡ଼ିଶା ବିଧାନସଭା ଦ୍ବାରା ଏହି ଯୋଜନାକୁ ସର୍ବସମ୍ମତି କ୍ରମେ ପାସ୍‌ କରିବା ଏବଂ ପରବର୍ତ୍ତୀ ସମୟରେ ଏସ୍ଏମ୍ ଦ୍ଵାରା ଏହି ଯୋଜନା ଅନୁମୋଦନ ହେବାପରେ କାର୍ଯ୍ୟକାରୀ ହେଉଛି ।

ଆଗକୁ ମୌସୁମୀ ଓ ରଥଯାତ୍ରା ଆସୁଥିବାରୁ ସମସ୍ତେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରିବା ଉଚିତ ବୋଲି ମହାନ୍ତି ପ୍ରକାଶ କରିଛନ୍ତି ।