କମିନ୍ସଙ୍କୁ ପଛରେ ପକାଇ ଆଇପିଏଲର ସବୁଠୁ ମହଙ୍ଗା ଖେଳାଳି ହେଲେ ଷ୍ଟାର୍କ, ୨୪.୭୫ କୋଟିରେ କିଣିଲା କେକେଆର୍ | News Room Odisha

କମିନ୍ସଙ୍କୁ ପଛରେ ପକାଇ ଆଇପିଏଲର ସବୁଠୁ ମହଙ୍ଗା ଖେଳାଳି ହେଲେ ଷ୍ଟାର୍କ, ୨୪.୭୫ କୋଟିରେ କିଣିଲା କେକେଆର୍

ଦୁବାଇ: ଆଇପିଏଲ୍ ୨୦୨୪ ପାଇଁ ଏଠାରେ ଚାଲିଥିବା ନିଲାମ ରୋଚକ ‌‌ହୋଇଛି । ପ୍ରଥମେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍ କମିନ୍ସ ଆଇପିଏଲ୍ ଇତିହାସର ସବୁଠୁ ମହଙ୍ଗା ଓ ପ୍ରଥମ ଖେଳାଳି ଭାବେ ୨୦‌ କୋଟି ସୀମା ଟପିଥିଲେ । ତାଙ୍କୁ ୨୦.୫୦ କୋଟିରେ ସନରାଇଜର୍ସ ହାଇଦ୍ରାବାଦ କିଣିଥିଲା । ଲାଗୁଥିଲା କମିନ୍ସଙ୍କ ରେକର୍ଡ ଅନ୍ତତଃ ଗୋଟିଏ ସିଜନ୍ ପାଇଁ ଅକ୍ଷୁଣ୍ଣ ରହିବ । ହେଲେ ତାଙ୍କ ରେକର୍ଡ ମାତ୍ର ଏକ ଘଣ୍ଟା ମଧ୍ୟରେ ଭାଙ୍ଗି ଯାଇଥିଲା ‌। କମିନ୍ସଙ୍କ ରେକର୍ଡ ଆଉ କେହି ନୁହନ୍ତି ବରଂ ତାଙ୍କ ସାଥୀ ଖେଳାଳି ମିଚେଲ ଷ୍ଟାର୍କ ଭାଙ୍ଗିଛନ୍ତି ‌। ଷ୍ଟାର୍କଙ୍କୁ ଅବିଶ୍ବସନୀୟ ୨୪.୭୫ କୋଟିରେ କିଣିଛି କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) । ଆଠ ବର୍ଷ ପରେ ଆଇପିଏଲକୁ ଫେରିଥିବା ଷ୍ଟାର୍କ ଏହି ଟୁର୍ଣ୍ଣାମେଣ୍ଟ ଇତିହାସର ସବୁଠୁ ଦାମୀ ଖେଳାଳି ଭାବେ ନୂଆ ରେକର୍ଡ କରିଛନ୍ତିି ।

ଷ୍ଟାର୍କଙ୍କ ମୂଲ୍ୟ ୨ କୋଟି ଟଙ୍କା ଥିଲା। ଆରମ୍ଭରୁ ଦିଲ୍ଲୀ, ମୁମ୍ବାଇ, କେକେଆର୍ ଏବଂ ଗୁଜୁରାଟ ତାଙ୍କ ପାଇଁ ବିଡ୍ କରିଥିଲେ ।

ଷ୍ଟାର୍କ ପାଇଁ ଦିଲ୍ଲୀ ପ୍ରଥମ ବିଡ୍ କରିଥିଲା। ପରେ ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ସାମିଲ ହୋଇଥିଲା। ବିଡିଂ ମୂଲ୍ୟ ୭ କୋଟି ପହଞ୍ଚିବା ପରେ ଦିଲ୍ଲୀ ସମୟ ନେଇଥିଲା କିନ୍ତୁ ବିଡିଂ ଜାରି ରଖିଥିଲା। ଏହାପରେ ଏଥିରେ ଗୁଜରାଟ ଟାଇଟାନ୍ସ ସାମିଲ ହୋଇଯାଇଥିଲା | ମୁମ୍ବାଇ ଓ ଦିଲ୍ଲୀ ଓହରିଥିବା ବେଳେ ଏହି ଅଷ୍ଟ୍ରେଲୀୟ ପେସରଙ୍କ ପାଇଁ କେକେଆର୍ ଓ ଗୁଜରାଟ ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥିଲା ‌। ବିଡିଂ ମୂଲ୍ୟ ୨୧ କୋଟି ଟପିବା ପରେ କମିନ୍ସଙ୍କୁ ପଛରେ ପକାଇ ଦେଇଥିଲେ ଷ୍ଟାର୍କ । ଶେଷରେ ୨୪ କୋଟି ୭୫ ଲକ୍ଷର ରେକର୍ଡ ମୂଲ୍ୟରେ କେକେଆର୍ ଦଳକୁ ଯାଇଥିଲେ ଏହି ଅଷ୍ଟ୍ରେଲୀୟ ପେସର୍ ।

ଏହି ନିଲାମରେ ପ୍ୟାଟ୍ କମିନ୍ସ ଓ ଷ୍ଟାର୍କଙ୍କ ଉପରେ ହିଁ ୪୫ କୋଟି ଖର୍ଚ୍ଚ ହୋଇଛି । ଷ୍ଟାର୍କ ୮ ବର୍ଷ ପରେ ଆଇପିଏଲକୁ ଫେରିବେ । ସେ ଶେଷଥର ୨୦୧୫ ସିଜନରେ ଖେଳିଥିଲେ।