ଷ୍ଟୋଇନିସଙ୍କ ବିସ୍ଫୋରଣ, ଖାତା ଖୋଲିଲା ଅଷ୍ଟ୍ରେଲିଆ | News Room Odisha

ଷ୍ଟୋଇନିସଙ୍କ ବିସ୍ଫୋରଣ, ଖାତା ଖୋଲିଲା ଅଷ୍ଟ୍ରେଲିଆ

ପର୍ଥ: ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ଶୋଚନୀୟ ପରାଜୟ ପରେ ଅଷ୍ଟ୍ରେଲିଆ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି । ମାର୍କସ ଷ୍ଟୋଇନିସଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମଙ୍ଗଳବାର ପର୍ଥ ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପର ଏକ ଗ୍ରୁପ୍-୨ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ୭ ୱିକେଟରେ ଶ୍ରୀଲଙ୍କାକୁ ହରାଇଛି । ଚଳିତ ବିଶ୍ବକପରେ ଅଷ୍ଟ୍ରେଲିଆର ଏହା ପ୍ରଥମ ବିଜୟ ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୬ ଓ୍ବିକେଟ୍ ହରାଇ ୧୫୭ ରନ୍ କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ୨୧ଟି ବଲ୍ ବାକିଥାଇ ମ୍ୟାଚ୍ ଜିତି ନେଇଥିଲା । ଅଷ୍ଟ୍ରେଲିଆ ଆରମ୍ଭରୁ ସଂଘର୍ଷ କରିଥିଲା । ଦଳ ୯୭ ରନରେ ୩ଟି ଓ୍ବିକେଟ୍ ହରାଇ ଦେଇଥିଲା । ହେଲେ ଷ୍ଟୋଇନିସ୍ କ୍ରିଜକୁ ଓହ୍ଲାଇବା କ୍ଷଣି ଆଖି ପିଛୁଳାକେ ମ୍ୟାଚର ମୋଡ଼ ବଦଳାଇ ଦେଇଥିଲେ ।

ଷ୍ଟୋଇନିସ୍ ମାତ୍ର ୧୭ଟି ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ମାତ୍ର ୧୮ ବଲରେ ୪ଟି ଚୌକା ଓ ୬ଟି ଛକା ସହାୟତାରେ ବିସ୍ଫୋରକ ୫୯ ରନର ଇନିଂସ ସହ ଅଷ୍ଟ୍ରେଲିଆକୁ ଟୁର୍ଣ୍ଣାମେଣ୍ଟର ପ୍ରଥମ ବିଜୟ ଦେଇଥିଲେ । ଷ୍ଟୋଇନିସ୍ ମାତ୍ର ୧୭ଟି ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ । ଟି-୨୦ରେ କୌଣସି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କ ତରଫରୁ ଏହା ଦ୍ରୁତତମ ଅର୍ଦ୍ଧଶତକ |ଅନ୍ତର୍ଜାତୀୟ ଟି-୨୦ରେ ମଧ୍ୟ ଏହା ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ | ଏହି ଫର୍ମାଟରେ ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡ ଭାରତର ଯୁବରାଜ ସିଂଙ୍କ ନାମରେ ରହିଛି | ଯୁବରାଜ ୨୦୦୭ରେ ଟି-୨୦ ବିଶ୍ବକପର ପ୍ରଥମ ସଂସ୍କରଣରେ ଇଂଲଣ୍ଡ ବିପକ୍ଷରେ ମାତ୍ର ୧୨ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ।

ଷ୍ଟୋଇନିସଙ୍କ ବ୍ୟତୀତ ଅଧିନାୟକ ଆରୋନ ଫିଞ୍ଚ ୪୨ ବଲରୁ ୩୧ ରନ କରି ଅପରାଜିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ଲେନ୍ ମ୍ୟାକ୍ସୱେଲ ଦୁଇଟି ଚୌକା ଓ ଦୁଇଟି ଛକା ସହାୟତାରେ ୧୨ଟି ବଲରେ ୨୩ ରନ୍ ସଂଗ୍ରହ କରିଥିବା ବେଳେ ମିଚେଲ ମାର୍ଶ ୧୭ ଓ ଡେଭିଡ ୱାର୍ଣ୍ଣର ୧୧ ରନ କରି ଆଉଟ୍ ହୋଇଥିଲେ ।

ଶ୍ରୀଲଙ୍କାର ଷ୍ଟାର୍ ସ୍ପିନର ୱାନିନ୍ଦୁ ହାସରାଙ୍ଗା ଆଜି ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ହସରାଙ୍ଗା ୩ ଓଭରରେ ବିନା କୌଣସି ୱିକେଟରେ ୫୩ ରନ୍ ଦେଇଥିଲେ। ଧନଞ୍ଜୟ ଡି’ସିଲଭା, ମହେଶ ତୀକ୍ଷାନା ଏବଂ ଚାମିକା କରୁଣାତ୍ନେ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ।

ପୂର୍ବରୁ ଅଷ୍ଟ୍ରେଲିଆ ଟସ୍ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ତେବେ ଦଳ ନିର୍ଦ୍ଧାରିତ ୨୦ ଐଭରରେ ୬ ଓ୍ବିକେଟ୍ ହରାଇ ୧୫୭ ରନ୍ କରିବାକୁ ସମର୍ଥ ହୋଇଥିଲା । ଦଳ ପକ୍ଷରୁ ଓପନର୍ ପାଥୁମ୍ ନିଶଙ୍କା ସର୍ବାଧିକ ୪୦ ରନ୍ କରିଥିବା ବେଳେ ଚରିତ୍ ଅସଲଙ୍କା ଅପରାଜିତ ୩୮ ଓ ଧନଞ୍ଜୟ ଡି ସିଲଭା ୨୬ ରନ୍ କରିଥିଲେ ।