ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପୁଣି ପଥର ମାଡ଼ | News Room Odisha

ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପୁଣି ପଥର ମାଡ଼

ପାଟନା: ବିହାରରେ ପୁଣିଥରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥର ମାଡ଼ ହୋଇଛି । ଜଣେ ରେଳ ଅଧିକାରୀଙ୍କ ସୂଚନା ଅନୁଯାୟୀ ଟ୍ରେନ୍ କଟିହାର ଜିଲ୍ଲା ଦେଇ ଯାଉଥିବା ବେଳେ ଏହି ଘଟଣା ଘଟିଛି।

କଟିହାର ରେଲୱେ ଡିଭିଜନର ବରିଷ୍ଠ ସୁରକ୍ଷା କମିଶନର କମଲ ସିଂ କହିଛନ୍ତି ଯେ ଶୁକ୍ରବାର ସନ୍ଧ୍ୟାରେ ବନ୍ଦେ ଭାରତ ଟ୍ରେନ୍ ନମ୍ବର ୨୨୩୦୨ ନ୍ୟୁଜଲପାଇଗୁଡିରୁ ହାଓଡ଼ା ଅଭିମୁଖେ ଯାଉଥିଲା। ଜଣେ ଯାତ୍ରୀ ଏହି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ।

ଯାତ୍ରୀ ଜଣକ ଅଭିଯୋଗ କରିଛନ୍ତି ଯେ ଅପରାହ୍ନ ୪ଟା ସମୟରେ ଟ୍ରେନର କୋଚରେ ଟେକାମାଡ଼ ହୋଇଥିଲା । ଏହି ଘଟଣା ଡାଲକୋଲା ଏବଂ ଟେଲଟା ରେଳ ଷ୍ଟେସନ ମଧ୍ୟରେ ଘଟିଥିଲା। ଏହି ଅଞ୍ଚଳ ଜିଲ୍ଲାର ବଳରାମପୁର ପୋଲିସ ଥାନା ଅଧୀନରେ ଆସୁଛି।”

ରେଳ ଅଧିକାରୀ ଯାଞ୍ଚ୍ ବେଳେ ଟ୍ରେନ ଝରକା ଫାଟିଯାଇଥିବା ଦେଖିଥିଲେ। ଘଟଣାର ତଦନ୍ତ ପାଇଁ ସମ୍ପୃକ୍ତ ପୋଲିସ ଷ୍ଟେସନକୁ ଅନୁରୋଧ କରାଯାଇଛି।

ଏକ ମାସ ପୂର୍ବରୁ ବିହାରରେ ବନ୍ଦେ ଭାରତ ଟ୍ରେନ୍ ସହିତ ମଧ୍ୟ ସମାନ ଘଟଣା ଘଟିଥିଲା। ଜାନୁଆରୀ ୩ରେ କିଶାନଗଞ୍ଜର ଏହି ଟ୍ରେନରେ ପଥର ମାଡ଼ ହୋଇଥିଲା।