ସଂରକ୍ଷଣ ବିବାଦକୁ ନେଇ ୟେଦୁରପ୍ପାଙ୍କ ଘର ଉପରକୁ ବିକ୍ଷୋଭକାରୀଙ୍କ ପଥରମାଡ଼ | News Room Odisha

ସଂରକ୍ଷଣ ବିବାଦକୁ ନେଇ ୟେଦୁରପ୍ପାଙ୍କ ଘର ଉପରକୁ ବିକ୍ଷୋଭକାରୀଙ୍କ ପଥରମାଡ଼

ଶିବାମୋଗା (କର୍ଣ୍ଣାଟକ): ସଂରକ୍ଷଣ ବିବାଦକୁ ନେଇ ବିଜେପି ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ଅଫିସ୍ ଓ ବାସଭବନ ଉପରେ ପଥରମାଡ଼ ହୋଇଛି । ୟେଦୁରପ୍ପାଙ୍କ ଘର ଆଗରେ ବଞ୍ଜାରା ଏବଂ ଭୋବି ସମ୍ପ୍ରଦାୟର ଲୋକମାନେ ବିରୋଧ ପ୍ରଦର୍ଶନ ବେଳେ ଏହି ଘଟଣା ଘଟିଛି। ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ନେଇ ପୂର୍ବତନ ବିଚାରପତି ସଦାଶିବ କମିଶନଙ୍କ ସୁପାରିସକୁ ଲାଗୁ କରିବା ନିଷ୍ପତ୍ତିକୁ ବିରୋଧ କରି ବଞ୍ଜାରା ଓ ଭୋବି ସମ୍ପ୍ରଦାୟ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ୟେଦୁରପ୍ପାଙ୍କ ଘର ଉପରେ ପଥରମାଡ ପରେ ବିକ୍ଷୋଭକାରୀଙ୍କୁ ପୋଲିସ ଲାଠିମାଡ଼ କରିଥିଲା ।

ବଞ୍ଜାରା ଓ ଭୋବି ସମ୍ପ୍ରଦାୟର ଲୋକମାନେ ସୋମବାର ଶିବାମୋଗଗା ଜିଲ୍ଲାର ଶିକାରିପୁରା ସହରରେ ବିଜେପିର ବରିଷ୍ଠ ନେତା ବି.ଏସ୍ ୟେଦୁରୁପ୍ପାଙ୍କ ଘରକୁ ଟାର୍ଗେଟ କରିଥିଲେ। ବିକ୍ଷୋଭକାରୀମାନେ ତାଙ୍କ ଘରକୁ ଟେକା ପଥରମାଡ଼ କରିଥିଲେ। ଏହି ଘଟଣାରେ କିଛି ପୋଲିସ କର୍ମଚାରୀ ଆହତ ହୋଇଥିଲେ।

ଭିଡ଼ ହଟାଇବା ପାଇଁ ବିକ୍ଷୋଭକାରୀଙ୍କ ଉପରେ ଲାଠିଚାର୍ଜ କରିଥିଲା ପୋଲିସ । ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ବଞ୍ଜାରା ସମ୍ପ୍ରଦାୟର ଅନେକ ଲୋକ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରେ କିଛି ମହିଳା ମଧ୍ୟ ଥିଲେ । ଏହି ଘଟଣା ପରେ ସହରରେ ଧାରା ୧୪୪ ଲାଗୁ କରାଯାଇଛି |

ବଞ୍ଜାରା ସମ୍ପ୍ରଦାୟ ଅଭିଯୋଗ କରିଛନ୍ତି ଯେ ଅନୁସୂଚିତ ଜାତିରେ ଅନ୍ତର୍ଭୁକ୍ତ ବଞ୍ଜାରା ସମ୍ପ୍ରଦାୟକୁ କମ୍ ସଂରକ୍ଷଣ ଦିଆଯାଇଛି। ଗତ ସପ୍ତାହରେ କର୍ଣ୍ଣାଟକ କ୍ୟାବିନେଟ୍ ଅନୁସୂଚିତ ଜାତି ମଧ୍ୟରେ ଆଭ୍ୟନ୍ତରୀଣ ସଂରକ୍ଷଣ ଆଣିବାକୁ ନିଷ୍ପତ୍ତି ନେଇଥିଲା। ଶିକ୍ଷାନୁଷ୍ଠାନ ଓ ଚାକିରି କ୍ଷେତ୍ରରେ ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ୧୫ ପ୍ରତିଶତରୁ ୧୭ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଥିଲା । ନିଷ୍ପତ୍ତି ଅନୁଯାୟୀ ଅନୁସୂଚିତ ଜାତିର ‘ବାମ’ ଉପ ଶ୍ରେଣୀକୁ ୬ ପ୍ରତିଶତ ସଂରକ୍ଷଣ, ଅନୁସୂଚିତ ଜାତି ବର୍ଗଙ୍କୁ ୫.୫ ପ୍ରତିଶତ ଓ ଅସ୍ପୃଶ୍ୟ ବ୍ୟକ୍ତିଙ୍କୁ ୪.୫ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯିବ।