ନୂଆଦିଲ୍ଲୀ: ଏଣିକି ପାକିସ୍ତାନରୁ ଡିଗ୍ରୀ ହାସଲ କରୁଥିବା ଛାତ୍ରମାନଙ୍କୁ ଭାରତରେ ନିଯୁକ୍ତି ସୁଯୋଗ ଦିଆଯିବ ନାହିଁ। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏବଂ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏହା କୁହାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ଯଦି ପାକିସ୍ତାନରେ କୌଣସି ଛାତ୍ରଛାତ୍ରୀ ଯେକୌଣସି ବିଷୟରେ ଡିଗ୍ରୀ ହାସଲ କରିଥିବେ, ତେବେ ସେମାନଙ୍କୁ ଭାରତରେ ଉଚ୍ଚଶିକ୍ଷା ପାଇଁ ଆଡମିଶନ ମିଳିବ ନାହିଁ। ଏଥିସହ ଏହି ଛାତ୍ରଛାତ୍ରୀମାନେ ଭାରତରେ ନିଯୁକ୍ତି ସୁଯୋଗ ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ | ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନ ଯିବାକୁ ୟୁଜିସି ଓ ଏଆଇସିଟିଇ ବିଜ୍ଞପ୍ତିରେ ପରାମର୍ଶ ଦିଆଯାଇଛି ।
ତେବେ ପାକିସ୍ତାନରୁ ଭାରତକୁ ଆସୁଥିବା ଶରଣାର୍ଥୀ ଏବଂ ଭାରତୀୟ ନାଗରିକତ୍ୱ ପାଇଥିବା ସେମାନଙ୍କ ପିଲାମାନଙ୍କୁ ପାଇଁ ଏହି କଟକଣା କୋହଳ କରାଯିବ। ପାକିସ୍ତାନରୁ ଭାରତକୁ ଆସୁଥିବା ଶରଣାର୍ଥୀ ଏବଂ ଭାରତୀୟ ନାଗରିକତ୍ୱ ଥିବା ସେମାନଙ୍କ ପିଲାମାନଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରୁ ସୁରକ୍ଷା ମଞ୍ଜୁର ମିଳିଲେ ସେମାନଙ୍କୁ ନିଯୁକ୍ତି ସୁଯୋଗ ଦିଆଯିବ। ଭାରତୀୟ ଛାତ୍ରମାନଙ୍କୁ ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନ ଯିବାକୁ ଆଡଭାଇଜରୀରେ ସ୍ପଷ୍ଟ ଭାବେ ପରାମର୍ଶ ଦିଆଯାଇଛି।
ଭାରତର ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ହେଉଛି କେନ୍ଦ୍ର ସରକାରଙ୍କ ଏକ କମିଶନ ଯାହା ମାଧ୍ୟମରେ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ମାନ୍ୟତା ପ୍ରଦାନ କରାଯାଇଥାଏ | ଏହା ସ୍ବୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକୁ ମଧ୍ୟ ଅନୁଦାନ ପ୍ରଦାନ କରେ | ଏଭଳି ସ୍ଥଳେ, ୟୁଜିସି ଦ୍ୱାରା ଏହି ବିଜ୍ଞପ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି | ଗତକାଲି ବିଳମ୍ବିତ ରାତିରେ ଆସିଥିବା ୟୁଜିସିର ଏହି ନିର୍ଦ୍ଦେଶରେ ଚେୟାରମ୍ୟାନ୍ ପ୍ରଫେସର ଏମ ଜଗଦୀଶ କୁମାର ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।