ଭାରତୀୟଙ୍କୁ ସମାଲୋଚନା କରିଥିବା ସୁଏଲା ବ୍ରାଭରମ୍ୟାନଙ୍କୁ ଗୃହମନ୍ତ୍ରୀ ଭାବେ ନିଯୁକ୍ତ କଲେ ଋଷି ସୁନକ | News Room Odisha

ଭାରତୀୟଙ୍କୁ ସମାଲୋଚନା କରିଥିବା ସୁଏଲା ବ୍ରାଭରମ୍ୟାନଙ୍କୁ ଗୃହମନ୍ତ୍ରୀ ଭାବେ ନିଯୁକ୍ତ କଲେ ଋଷି ସୁନକ

ଲଣ୍ଡନ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ନୂଆ ଟିମ୍ ଘୋଷଣା କରିଛନ୍ତି । ତେବେ ଭାରତୀୟଙ୍କୁ ସମାଲୋଚନା କରି ବିବାଦୀୟ ହୋଇଥିବା ସୁଏଲା ବ୍ରାଭରମ୍ୟାନଙ୍କୁ ମଧ୍ୟ ସେ ତାଙ୍କ କ୍ୟାବିନେଟରେ ସାମିଲ କରିଛନ୍ତି । ବ୍ରାଭରମ୍ୟାନ ପୁଣି ଗୃହମନ୍ତ୍ରୀ ଭାବେ ଫେରିଛନ୍ତି।

ଲିଜ୍ ଟ୍ରସ୍ ସରକାରରେ ବି ବ୍ରାଭରମ୍ୟାନ୍ ଗୃହମନ୍ତ୍ରୀ ଥିଲେ। ତେବେ ଗୋପନୀୟତା ନିୟମ ଉଲ୍ଲଂଘନ ପାଇଁ ସେ ଟ୍ରସ୍ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ । ଭାରତ ସହ ଟ୍ରେଡ୍ ଡିଲକୁ ବିରୋଧ କରି ବ୍ରାଭରମ୍ୟାନ୍ ବିବାଦୀୟ ହୋଇଥିଲେ । ସେ କହିଥିଲେ ଯେ ତାଙ୍କ ଦେଶରେ ବେଆଇନ ଭାବେ ବହୁ ଭାରତୀୟ ରହୁଛନ୍ତି। ଭିସା ଅବଧି ଶେଷ ହେଲେ ମଧ୍ୟ ଭାରତୀୟ ମାନେ ବ୍ରିଟେନରେ ରହୁଛନ୍ତି । ଏଭଳି ସ୍ଥିତିରେ ଭାରତ ସହ ଏପରି ଟ୍ରେଡ୍ ଡିଲ୍ ବ୍ରିଟେନ ପାଇଁ ବିପଦଜନକ ହୋଇପାରେ ବୋଲି ବ୍ରାଭରମ୍ୟାନ୍ କହିଥିଲେ । ତାଙ୍କର ଏଭଳି ମନ୍ତବ୍ୟକୁ ବ୍ରିଟେନର ଭାରତୀୟ ସମୁଦାୟ ନିନ୍ଦା କରିଥିଲେ । ଏହାଛଡ଼ା ସେ ସରକାରୀ କାର୍ଯ୍ୟ ଗୋପନୀୟତା ଉଲ୍ଲଂଘନ ଅଭିଯୋଗ ପାଇଁ ଚର୍ଚ୍ଚିତ ହୋଇଥିଲେ । ଏଥିପାଇଁ ତାଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା ।

ଲଣ୍ଡନ ଜନ୍ମିତ ୪୨ ବର୍ଷୀୟ ସୁଏଲା ଆଟର୍ଣ୍ଣି ଜେନେରାଲ୍ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି। ବ୍ରାଭରମ୍ୟାନ୍ ଟ୍ରସଙ୍କ ଜଣେ ବଡ଼ ସମର୍ଥକ । କିନ୍ତୁ ନିକଟ ଅତୀତରେ ସେ ଋଷି ସୁନକଙ୍କୁ ମଧ୍ୟ ସମର୍ଥନ ଜଣାଇଥିଲେ | ୩ ଏପ୍ରିଲ ୧୯୮୦ ରେ ଜନ୍ମ ହୋଇଥିବା ସୁଏଲା ବ୍ରାଭରମ୍ୟାନଙ୍କ ପିତାଙ୍କ ନାମ ଖ୍ରୀଷ୍ଟି ଏବଂ ମାତାଙ୍କ ନାମ ଉମା ଫର୍ଣ୍ଣାଣ୍ଡିସ୍ | ଉଭୟ ଭାରତୀୟ ବଂଶଜ । ସେମାନେ ୧୯୬୦ ଦଶକରେ କେନିଆ ଏବଂ ମରିସସରୁ ବ୍ରିଟେନକୁ ଆସିଥିଲେ।