ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବିନ୍ଦର ସୁଖୁ, ମୁକେଶ ଅଗ୍ନିହୋତ୍ରୀ ହେଲେ ଉପମୁଖ୍ୟମନ୍ତ୍ରୀ | News Room Odisha

ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବିନ୍ଦର ସୁଖୁ, ମୁକେଶ ଅଗ୍ନିହୋତ୍ରୀ ହେଲେ ଉପମୁଖ୍ୟମନ୍ତ୍ରୀ

ଶିମଲା: ସୁଖବିନ୍ଦର ସିଂହ ସୁଖୁ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ରବିବାର ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ହିମାଚଳ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ସୁଖବିନ୍ଦର ସୁଖୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ଅବସରରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ସହ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ।

ଶପଥ ଗ୍ରହଣ ସମାରୋହରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆନନ୍ଦ ଶର୍ମା, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡା, ହିମାଚଳ ପ୍ରଦେଶ କଂଗ୍ରେସ ଦାୟିତ୍ୱରେ ଥିବା ରାଜୀବ ଶୁକ୍ଲା, ରାଜ୍ୟ କଂଗ୍ରେସ ସଭାପତି ପ୍ରତିଭା ସିଂହ ଏବଂ ବରିଷ୍ଠ ନେତା ସଚିନ ପାଇଲଟ୍ ମଧ୍ୟ ଉପସ୍ଥିତ ଥିଲେ। ହିମାଚଳ ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ଶପଥ ଗ୍ରହଣ କରିବା ପରେ କହିଛନ୍ତି, “ଆମେ ପ୍ରଥମ କ୍ୟାବିନେଟ ବୈଠକରେ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବୁ। ପୁରୁଣା ପେନସନ ଯୋଜନା ପୁନଃ ଲାଗୁ ହେବ। ପୂର୍ବରୁ ଲୋକମାନେ କହୁଥିଲେ ଯେ କଂଗ୍ରେସ କୌଣସି ରାଜ୍ୟରେ କ୍ଷମତାକୁ ଆସିବ ନାହିଁ। କିନ୍ତୁ ଆଜି ଆମେ ବିଜେପିର ‘ରଥ’କୁ ରୋକି ପାରିଛୁ ବୋଲି ସେ କହିଛନ୍ତି।

ଗତକାଲି ଶିମଲାରେ କଂଗ୍ରେସ ବିଧାୟକ ଦଳର ବୈଠକରେ ସୁଖବିନ୍ଦର ସିଂହ ସୁଖୁ ନେତା ଭାବେ ନିର୍ବାଚିତ ହୋଇଥିଲେ। ହିମାଚଳ ନିର୍ବାଚନରେ ​​କଂଗ୍ରେସର ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ନେତା ଦୌଡ଼ରେ ଥିଲେ । ବହୁ ସମର୍ଥକ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବୀରଭଦ୍ର ସିଂହଙ୍କ ପତ୍ନୀ ପ୍ରତୀଭା ସିଂଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରୁଥିଲେ । କିନ୍ତୁ ବାଦବିବାଦ ମଧ୍ୟରେ କଂଗ୍ରେସ ହାଇକମାଣ୍ଡ ସୁଖବିନ୍ଦର ସୁଖୁଙ୍କୁ ନାମରେ ମୋହର ମାରିଥିଲେ ।

ହିମାଚଳ ପ୍ରଦେଶ ହମିରପୁର ଜିଲ୍ଲାର ନାଦୌନର ବିଧାୟକ ସୁଖୁ ରାଜ୍ୟରେ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରଚାର କମିଟିର ନେତୃତ୍ୱ ସମ୍ଭାଳିଥିଲେ । ସୁଖବିନ୍ଦର ଗାନ୍ଧୀ ପରିବାରର ଜଣେ ବିଶ୍ବସ୍ତ ରୂପେ ପରିଚିତ।