'ସୁଲଭ ଇଣ୍ଟରନ୍ୟାସନାଲ'ର ପ୍ରତିଷ୍ଠାତା ବିନ୍ଦେଶ୍ୱର ପାଠକଙ୍କ ପରଲୋକ | News Room Odisha

‘ସୁଲଭ ଇଣ୍ଟରନ୍ୟାସନାଲ’ର ପ୍ରତିଷ୍ଠାତା ବିନ୍ଦେଶ୍ୱର ପାଠକଙ୍କ ପରଲୋକ

ନୂଆଦିଲ୍ଲୀ: ‘ସୁଲଭ ଇଣ୍ଟରନ୍ୟାସନାଲ’ର ପ୍ରତିଷ୍ଠାତା ତଥା ସାମାଜିକ କର୍ମୀ ବିନ୍ଦେଶ୍ୱର ପାଠକଙ୍କ ଆଜି (ଅଗଷ୍ଟ ୧୫) ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କୁ ୮୦ ବର୍ଷ ହୋଇଥିଲା । ପାଠକ ଆଜି ହଠାତ୍ ଅସୁସ୍ଥ ହେଇଯିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ସର୍ବସାଧାରଣ ଶୌଚାଳୟ ନିର୍ମାଣ ସହ ପରିମଳ କ୍ଷେତ୍ରରେ ଏକପ୍ରକାର ବିପ୍ଲବ ଆରମ୍ଭ କରିଥିଲେ ପାଠକ । ଶୌଚାଳୟ ନିର୍ମାଣରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ‘ସୁଲଭ ଇଣ୍ଟରନ୍ୟାସନାଲ’ର ପ୍ରତିଷ୍ଠାତା ତଥା ସାମାଜିକ କାର୍ଯ୍ୟକର୍ତ୍ତା ଭାବେ ବିନ୍ଦେଶ୍ୱର ପାଠକଙ୍କ ବେଶ୍ ଖ୍ୟାତି ରହିଥିଲା । ଭାରତର ଏକ ସାମାଜିକ ସେବା ସଂଗଠନ ‘ସୁଲଭ ଇଣ୍ଟରନ୍ୟାସନାଲ’ ମାନବ ଅଧିକାର, ପରିବେଶ ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଶିକ୍ଷା ମାଧ୍ୟମରେ ସଂସ୍କାର ଆଣିବା ପାଇଁ କାର୍ଯ୍ୟ କରେ |

ବିନ୍ଦେଶ୍ୱର ପାଠକ ୧୯୭୦ରେ ‘ସୁଲଭ ଇଣ୍ଟରନ୍ୟାସନାଲ’ର ପ୍ରତିଷ୍ଠା କରିଥିଲେ। ଭାରତ ସହିତ ଏହି ସଂସ୍ଥା ବିଶ୍ୱର ଅନେକ ଦେଶରେ ସ୍ୱଚ୍ଛତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି |

ସ୍ବଚ୍ଛତା କ୍ଷେତ୍ରରେ ଅବଦାନ ପାଇଁ ପଦ୍ମ ପୁରସ୍କାର ସହ ବିନ୍ଦେଶ୍ୱର ପାଠକ ଅନେକ ଜାତୀୟ ଏବଂ ଆନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି |

ସାରା ଦେଶରେ ‘ସୁଲଭ ଇଣ୍ଟରନ୍ୟାସନାଲ’ର ପ୍ରାୟ ୮୫୦୦ ଶୌଚାଳୟ ଓ ସ୍ନାନାଗାର ରହିଛି | ‘ସୁଲଭ ଇଣ୍ଟରନ୍ୟାସନାଲ’ ଶୌଚାଳୟ ବ୍ୟବହାର କରିବା ପାଇଁ ୫ ଟଙ୍କା ଏବଂ ସ୍ନାନ ପାଇଁ ୧୦ ଟଙ୍କା ଆଦାୟ କରାଯାଏ | ଅନେକ ସ୍ଥାନରେ ‘ସୁଲଭ ଇଣ୍ଟରନ୍ୟାସନାଲ’ ଶୌଚାଳୟ ବ୍ୟବହାର ମାଗଣା ରଖାଯାଇଛି |