ମୋଦୀ ସରନେମ୍ ମାମଲା: ରାହୁଲ ଗାନ୍ଧୀଙ୍କ ଆବେଦନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି | News Room Odisha

ମୋଦୀ ସରନେମ୍ ମାମଲା: ରାହୁଲ ଗାନ୍ଧୀଙ୍କ ଆବେଦନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି

ନୂଆଦିଲ୍ଲୀ: ‘ମୋଦୀ ସରନେମ୍’ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଜୁଲାଇ ୨୧ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ।

ଗୁଜରାଟର ସୁରଟର ଏକ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ତେବେ ରାହୁଲ ଗାନ୍ଧୀଙ୍କୁ ତୁରନ୍ତ ଜାମିନ ପ୍ରଦାନ କରାଯାଇଥିଲା। କିନ୍ତୁ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ରାହୁଲ ଗାନ୍ଧୀ ତାଙ୍କ ସାଂସଦ ପଦ ହରାଇଥିଲେ।

ସୁରଟ କୋର୍ଟର ରାୟ ବିରୋଧରେ ରାହୁଲ ଗାନ୍ଧୀ ଗୁଜରାଟ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ହେଲେ ହାଇକୋର୍ଟ ମଧ୍ୟ ତଳକୋର୍ଟ ରାୟକୁ କାଏମ ରଖିଥିଲେ । କଂଗ୍ରେସ ପକ୍ଷରୁ ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା।

ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ ହେଉଛି | ଯଦି ସୁପ୍ରିମକୋର୍ଟ ଜୁଲାଇ ୨୧ରେ ରାହୁଲଙ୍କ ସପକ୍ଷରେ ରାୟ ଦିଅନ୍ତି, ତେବେ ସେ ସଂସଦର ମୌସୁମୀ ଅଧିବେଶନରେ ଯୋଗ ଦେଇପାରିବେ।