ପେଗାସସ୍ ବିବାଦ: ୨୯ଟି ଫୋନ୍ ମଧ୍ୟରୁ ୫ଟିରେ ମିଳିଲା ମାଲୱେର୍, ତଦନ୍ତରେ ସରକାର ସହଯୋଗ କରିନଥିବା ସୁପ୍ରିମକୋର୍ଟ କମିଟିର ଅଭିଯୋଗ | News Room Odisha

ପେଗାସସ୍ ବିବାଦ: ୨୯ଟି ଫୋନ୍ ମଧ୍ୟରୁ ୫ଟିରେ ମିଳିଲା ମାଲୱେର୍, ତଦନ୍ତରେ ସରକାର ସହଯୋଗ କରିନଥିବା ସୁପ୍ରିମକୋର୍ଟ କମିଟିର ଅଭିଯୋଗ

ନୂଆଦିଲ୍ଲୀ: ପେଗାସସ୍ ସ୍ପାଏଓ୍ବେର ବିବାଦର ଯାଞ୍ଚ ପାଇଁ ଗଠିତ ସୁପ୍ରିମକୋର୍ଟଙ୍କ ବୈଷୟିକ ତଥା ପର୍ଯ୍ୟବେକ୍ଷକ କମିଟି ଆଜି ନିଜ ରିପୋର୍ଟ ଦାଖଲ କରିଛି । କମିଟି କୋର୍ଟକୁ କହିଛି ଯେ ଏହି ମାମଲାରେ କେନ୍ଦ୍ର ସହଯୋଗ କରିନାହିଁ।

ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା, ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କ ଏକ ବେଞ୍ଚ ଗୁରୁବାର କହିଛନ୍ତି ଯେ ଯାଞ୍ଚ କରାଯାଇଥିବା ୨୯ଟି ଫୋନ୍ ମଧ୍ୟରୁ ପାଞ୍ଚଟି ଫୋନରେ ଏକ ପ୍ରକାର ମାଲୱେର ମିଳିଛି। କିନ୍ତୁ ଫୋନ୍ ଗୁଡିକ ହ୍ୟାକିଂ ହୋଇଥିବାର ପ୍ରମାଣ ମିଳିନାହିଁ ।

କୋର୍ଟ ବର୍ତ୍ତମାନ ଏହି ମାମଲାର ଶୁଣାଣି ଚାରି ସପ୍ତାହ ପରେ କରିବେ।

ଖଣ୍ଡପୀଠ କହିଛନ୍ତି ଯେ ପ୍ୟାନେଲ ଏହାର “ଲମ୍ବା” ରିପୋର୍ଟକୁ ତିନି ଭାଗରେ ଦାଖଲ କରିଛି ଏବଂ ଗୋଟିଏ ଭାଗରେ ନାଗରିକଙ୍କ ଗୋପନୀୟତା ତଥା ଦେଶର ସାଇବର ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଆଇନରେ ସଂଶୋଧନ ପ୍ରସ୍ତାବ ଦିଆଯାଇଛି।

କୋର୍ଟ କହିଛନ୍ତି ଯେ ସୁପରଭାଇଜିଂ ଜଜ୍ (ଅବସରପ୍ରାପ୍ତ) ଆର.ଭି ରବୀନ୍ଦ୍ରଙ୍କ ସାଧାରଣ ରିପୋର୍ଟକୁ ସର୍ବୋଚ୍ଚ ନ୍ୟାୟାଳୟର ୱେବସାଇଟରେ ଅପଲୋଡ୍ କରାଯିବ। ଅନ୍ୟ ରିପୋର୍ଟର ସଂଶୋଧିତ ଅଂଶ ଦେବା ପାଇଁ ପକ୍ଷଙ୍କ ଆବେଦନ ଉପରେ ବିଚାର କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି।

ରାଜନେତା, ସାମ୍ବାଦିକ, ସେନାଧିକାରୀ ତଥା କାର୍ଯ୍ୟକର୍ତ୍ତାଙ୍କ ଉପରେ ନଜର ରଖିବା ପାଇଁ ସରକାରଙ୍କ ଦ୍ବାରା ଇସ୍ରାଏଲ୍ ସ୍ପାଏୱେର ପେଗାସସ୍ ବ୍ୟବହାର ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଗତବର୍ଷ ଅକ୍ଟୋବର ୨୭ରେ ନିର୍ଦ୍ଦେଶ ଦେଇଥିଲେ ।