ତିନି ବର୍ଷ ହେଲା କ'ଣ କରୁଥିଲ? ବିଲ୍ ବିଳମ୍ବ ନେଇ ତାମିଲନାଡୁ ରାଜ୍ୟପାଳଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ | News Room Odisha

ତିନି ବର୍ଷ ହେଲା କ’ଣ କରୁଥିଲ? ବିଲ୍ ବିଳମ୍ବ ନେଇ ତାମିଲନାଡୁ ରାଜ୍ୟପାଳଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ତାମିଲନାଡୁର ରାଜ୍ୟପାଳ ଆର.ଏନ୍ ରବିଙ୍କୁ ବିଧାନସଭା ଦ୍ବାରା ପାରିତ ବିଲ୍ ଗୁଡ଼ିକୁ ପକାଇ ରଖିବା ନେଇ କଡ଼ା ପ୍ରଶ୍ନ କରିଛନ୍ତି।

ଜାନୁଆରୀ ୨୦୨୦ ପରଠୁ ବିଧାନସଭାରେ ପାସ୍ ହୋଇଥିବା ବିଲ୍ ଗୁଡ଼ିକୁ ରାଜ୍ୟପାଳ ମଞ୍ଜୁରି କରିନାହାଁନ୍ତ ବୋଲି ତାମିଲନାଡୁ ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ।

ଆଜି ପୁଣି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଏକ ତିନିଜଣିଆ ଖଣ୍ଡପୀଠ ଜାଣିବାକୁ ପାଇଥିଲେ ଯେ ତାମିଲନାଡୁ ସରକାରଙ୍କ ଆବେଦନ ଉପରେ ନଭେମ୍ବର ୧୦ରେ କୋର୍ଟ ନୋଟିସ ଜାରି କରିବା ପରେ ମଧ୍ୟ ରାଜ୍ୟପାଳ ୧୦ଟି ବିଲ୍ ପକାଇ ରଖିଥିଲେ । ପରେ ସେ ଏହି ସବୁ ବିଲ୍ ଗୁଡ଼ିକରେ ଦସ୍ତଖତ ନକରି ଫେରାଇ ଦେଇଥିଲେ ‌। ହେଲେ ତାମିଲନାଡୁ ବିଧାନସଭା ଏହି ୧୦ ବିଲକୁ ପୁନଃ ପାରିତ କରି ରାଜ୍ୟପାଳଙ୍କ ନିକଟକୁ ଅନୁମୋଦନ ପାଇଁ ପୁଣି ପଠାଇଥିଲା ।

କୋର୍ଟ କହିଛନ୍ତି, ‘ଜାନୁୟାରୀ ୨୦୨୦ ରୁ ବିଚାରାଧୀନ ଥିବା ସବୁ ବିଲ୍ ପାଇଁ ଆମେ ନଭେମ୍ବର ୧୦ରେ ନୋଟିସ୍ ଜାରି କରିଥିଲୁ । ଯାହା ପରେ ରାଜ୍ୟପାଳ ବିଲ୍ ଗୁଡ଼ିକୁ ଫେରାଇ ଦେଇଥିଲେ। ସେ ଏହା କରିବାକୁ ତିନି ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କଲେ କାହିଁକି ? ସରକାର ସୁପ୍ରିମକୋର୍ଟକୁ ଯିବା ପାଇଁ ରାଜ୍ୟପାଳ ଅପେକ୍ଷା କରିଥିଲେ କି?

ବିଧାନସଭାରେ ପାରିତ ବିଲ୍ ଗୁଡ଼ିକୁ ରାଜ୍ୟପାଳ ମଞ୍ଜୁରି ପ୍ରଦାନ କରିବେ କିମ୍ବା ତାହାକୁ ଫେରାଇ ଦେଇପାରିବେ। କିନ୍ତୁ ବିଲ୍ ଗୁଡ଼ିକୁ ପକାଇ ରଖିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ସୁପ୍ରିମକୋର୍ଟ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣିଙ୍କୁ ଏନେଇ ଜବାବ ଲୋଡ଼ିଥିଲେ ।

ଆଟର୍ଣ୍ଣି ଜେନେରାଲ କୋର୍ଟଙ୍କୁ କହିଥିଲେ, ରାଜ୍ୟପାଳ ସେହି ବିଲଗୁଡ଼ିକ ପକାଇ ରଖିଥିଲେ ଯେଉଁଥିରେ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନିଯୁକ୍ତି ସମ୍ପର୍କରେ ରାଜ୍ୟପାଳଙ୍କର କ୍ଷମତା ପ୍ରତ୍ୟାହାର କରାଯାଇଛି । ଏହା ଏକ ଗୁରୁତ୍ତ୍ୱପୂର୍ଣ ବିଷୟ । ତେଣୁ ଏହାକୁ ବିଚାର କରିବାର ଆବଶ୍ୟକତା ଥିଲା |

ତାମିଲନାଡୁ ସହ ପଞ୍ଜାବ ଓ କେରଳ ସରକାର ମଧ୍ୟ ସେମାନଙ୍କ ରାଜ୍ୟପାଳ ବିରୋଧରେ ସୁପ୍ରିମକୋର୍ଟ ଦ୍ବାରସ୍ଥ ହୋଇଛନ୍ତି ।